Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଦାଲତ ଅବମାନନା ନେଇ ଅଡୁଆରେ ପୂର୍ବତନ ଡିଜି ୱାଇ ବି ଖୁରାନିଆ, କାରଣ ଦର୍ଶାଅ ନୋଟିସ ଜାରି କଲେ ଓଡ଼ିଶା ହାଇକୋର୍ଟ

ଅଦାଲତ ଅବମାନନା ନେଇ ଅଡୁଆରେ ପୂର୍ବତନ ଡିଜି ୱାଇ ବି ଖୁରାନିଆ, କାରଣ ଦର୍ଶାଅ ନୋଟିସ ଜାରି କଲେ ଓଡ଼ିଶା ହାଇକୋର୍ଟ

K NEWS 1 week ago

ଟକ: ଅଦାଲତ ଅବମାନନା ନେଇ ପୂର୍ବତନ ଡିଜି ୱାଇ ବି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଓଡିଶା ହାଇକୋର୍ଟ । ଆଇଜିପି (ପର୍ସୋନେଲ)ଙ୍କ ଜରିଆରେ ପୂର୍ବତନ ଡିଜିଙ୍କୁ ନୋଟିସ ପ୍ରଦାନ କରାଯିବ । ନୋଟିସ ମିଳିବାର ସାତ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ ରହିଛି । ଖୁରାନିଆ ଅବସର ନେଇଥିଲେ ସୁଦ୍ଧା ଅବମାନନା ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ ।

ମହିଳା ଏସଆଇ ସାଗରିକା ପରିଡ଼ାଙ୍କ ପୁନଃନିଯୁକ୍ତି ନିର୍ଦ୍ଦେଶ ପାଳନ ନହେବା ଘଟଣାରେ ଜାରି ହୋଇଛି ନୋଟିସ ।

ମହିଳା ସବ୍ -ଇନ୍ସପେକ୍ଟର ସାଗରିକା ପରିଡ଼ାଙ୍କୁ ଚାକିରିରେ ପୁନଃନିଯୁକ୍ତି ନିର୍ଦ୍ଦେଶ ପାଳନ ନହେବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ହାଇକୋର୍ଟ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଅବମାନନା କରାଯାଇଥିବା ହୃଦବୋଧ କରି ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଅଦାଲତ ଅବମାନନାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେଇସାରିଥିଲେ ମଧ୍ୟ ଏହା ତାଙ୍କୁ ଅଦାଲତ ଅବମାନନା ପ୍ରକ୍ରିୟାରୁ ମୁକ୍ତ କରିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆଇଜିପି (ପର୍ସୋନେଲ)ଙ୍କ ଜରିଆରେ ପୂର୍ବତନ ଡିଜିଙ୍କୁ ନୋଟିସ ପ୍ରଦାନ କରାଯିବ। ନୋଟିସ ମିଳିବାର ସାତ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୭ରେ ଓଡ଼ିଶା ପୋଲିସରେ ସବ ଇନସପେକ୍ଟର ଭାବେ ଯୋଗ ଦେଇଥିଲେ ସାଗରିକା ପରିଡ଼ା । କିନ୍ତୁ ୨୦୨୦ ନଭେମ୍ବର ୧୨ରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ନିଯୁକ୍ତି ସମୟରେ ଭେରିଫିକେସନ୍ ରୋଲରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ସେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ମାନୁଆଲ ନିୟମ ଅନୁଯାୟୀ ତାଙ୍କୁ ଚାକିରିକୁ ବିଦା କରାଯାଉଥିଲା । ଏହାକୁ ଚ୍ୟାଲେଞ୍ଜ କରି ସାଗରିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଛାନଭିନ ପରେ ତାଙ୍କ ବିରୋଧରେ ଥିବା ଗୋଟିଏ ମାମଲାରେ ସେ ୨୦୧୭ ଅଗଷ୍ଟ ୪ରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

ଅନ୍ୟ ମାମଲାଗୁଡ଼ିକ ମଧ୍ୟ ଲୋକ ଅଦାଲତରେ କିମ୍ବା ପ୍ରମାଣ ଅଭାବରୁ ବନ୍ଦ ହୋଇଥିଲା । ୨୦୧୯ରେ ଅତିରିକ୍ତ DCP (Crime)ଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ମାମଲା ସମ୍ପର୍କରେ ସାଗରିକା ଅବଗତ ନଥିବା ଦାବିକୁ ସଠିକ୍ ବୋଲି କୁହାଯାଇଥିଲା । ତଥ୍ୟ ପରଖିବା ପରେ ୨୦୨୫ ସେପ୍ଟେମ୍ବର ୨୫ରେ ହାଇକୋର୍ଟ ସାଗରିକାଙ୍କୁ ଚାକିରିରୁ ବହିଷ୍କାର ନିର୍ଦ୍ଦେଶକୁ ରଦ୍ଦ କରିଥିଲେ । ତାଙ୍କୁ ପୁଣି ଚାକିରିରେ ନେବା ସହ ସମସ୍ତ ସର୍ଭିସ୍ ଓ ଆର୍ଥିକ ସୁବିଧା ପ୍ରଦାନ କରିବାକୁ ଆଦେଶ ହୋଇଥିଲା । ବହିଷ୍କାର ଅବଧିକୁ 'ଅନଡ୍ୟୁଟି' ଭାବେ ଗଣନା କରିବା ଏବଂ ତାଙ୍କର ସମସ୍ତ ବକେୟା ଆର୍ଥିକ ପ୍ରାପ୍ୟ ଦୁଇ ମାସ ମଧ୍ୟରେ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ରିଟ୍ ଅପିଲ୍ କରିଥିଲେ। ୨୦୨୬ ଜୁନ୍ ୨୨ରେ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ ରିଟ୍ ଅପିଲ୍ କୁ ଖାରଜ କରି ସିଙ୍ଗଲ୍ ବେଞ୍ଚଙ୍କ ରାୟକୁ କାଏମ ରଖିଥିଲେ । ଡିଭିଜନ୍ ବେଞ୍ଚ ସ୍ପଷ୍ଟ କରିଥିଲେ ଯେ ଯେଉଁ ମାମଲା ସମ୍ପର୍କରେ ଜଣେ କର୍ମଚାରୀ ନିଜେ ଅବଗତ ନଥିଲେ, ସେହି ମାମଲା ସମ୍ପର୍କରେ ତଥ୍ୟ ଦେଇନଥିବା କାରଣରୁ ତାଙ୍କୁ ଚାକିରିରୁ ବାହାର କରାଯାଇପାରିବ ନାହିଁ । ଏହା ସତ୍ତ୍ୱେ ପୁନଃନିଯୁକ୍ତି ଆଦେଶ କାର୍ଯ୍ୟକାରୀ ନହେବାରୁ ଅଦାଲତ ଅବମାନନା ମାମଲା ଆଗକୁ ବଢ଼ିଥିଲା ।

ଶୁଣାଣି ସମୟରେ ସୁପ୍ରିମକୋର୍ଟରେ SLP ଦାଖଲ ହୋଇଥିବା ଏବଂ ତତ୍କାଳୀନ DGP ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେଇସାରିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା । କିନ୍ତୁ SLP ବିଚାରାଧୀନ ଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ନଥିଲେ ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ମିଶ୍ର ସ୍ପଷ୍ଟ କରିଛନ୍ତି । ଜଣେ ଅଧିକାରୀ ଅଦାଲତଙ୍କ ଆଦେଶ ସମ୍ପର୍କରେ ଜାଣିଥିବା ସତ୍ତ୍ୱେ ଏହାକୁ ପାଳନ କରିନଥିଲେ, ପରବର୍ତ୍ତୀ ସମୟରେ ଅବସର ନେବା ତାଙ୍କୁ ଅବମାନନା ପ୍ରକ୍ରିୟାରୁ ମୁକ୍ତ କରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha