ନୂଆଦିଲ୍ଲୀ: ଆଜି ମେ ୪, ୨୦୨୬ । ଭାରତୀୟ ରାଜନୀତିର ଏକ ବଡ଼ ଦିନ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ୍ ଓ ପଡୁଚେରୀ - ଏହି ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୨୩ଟି ବିଧାନସଭା ଆସନର ଭୋଟ୍ ଗଣନା ସକାଳ ୮ଟାରୁ ଆରମ୍ଭ ହେବ । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହେବ ଭୋଟ ଗଣତି । ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଚିତ୍ର।
ଏହି ନିର୍ବାଚନ ଫଳ କେବଳ ଏହି ରାଜ୍ୟଗୁଡ଼ିକର ସରକାର ଗଢ଼ିବ ନାହିଁ, ବରଂ ଜାତୀୟ ରାଜନୀତିର ଭବିଷ୍ୟତ ଓ ୨୦୨୯ ଲୋକସଭା ନିର୍ବାଚନ ପାଇଁ ଏକ ବଡ଼ ସଙ୍କେତ ଦେବ । ବିଶେଷକରି ଦୁଇ ପ୍ରମୁଖ ଆଞ୍ଚଳିକ ନେତା - ମମତା ବାନାର୍ଜୀ ଓ ଏମ୍.କେ. ଷ୍ଟାଲିନଙ୍କ ରାଜନୈତିକ ଭାଗ୍ୟ ଏଥରେ ଝୁଲୁଛି ।
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ସବୁଠୁ ବଡ଼ ଯୁଦ୍ଧକ୍ଷେତ୍ର । ମମତା ବାନାର୍ଜୀଙ୍କ ଟିଏମସି ଏଠାରେ ଗତ ୧୫ ବର୍ଷ ଧରି ଶାସନ କରୁଛି। କିନ୍ତୁ ଏଥର ବିଜେପି କଡ଼ା ଚ୍ୟାଲେଞ୍ଜ୍ ଦେଇଛି । ଏଗଜିଟ ପୋଲ୍ ଅନୁଯାୟୀ ଏକ ହଙ୍ଗ୍ ବା ବିଜେପିର ସାମାନ୍ୟ ଆଗୁଆ ଅବସ୍ଥା ଦେଖାଯାଉଛି। କେତେକ ଏଜେନ୍ସି ବିଜେପିକୁ ୧୪୫ ରୁ୧୬୦ ଆସନ୍ ଦେଉଛନ୍ତି । ଟିଏମ୍ ସିକୁ ୧୨୫ ରୁ ୧୪୦ ଆସନ ଦେଉଛନ୍ତି। ଯଦି ଟିଏମସି ହାରେ ତେବେ ମମତାଙ୍କ ୧୫ ବର୍ଷର ଶାସନର ଅନ୍ତ ହୋଇପାରେ । ଏହା ବିଜେପି ପାଇଁ ଏକ ବଡ଼ ବିଜୟ ହେବ ଓ ଇଣ୍ଡିଆ ମେଣ୍ଟର ଏକ ମୂଳ ସ୍ତମ୍ଭ ଭାଙ୍ଗିବ । ତାମିଲନାଡୁରେ ଏମ୍.କେ. ଷ୍ଟାଲିନଙ୍କ ଡିଏମକେ ସରକାର ବଜାୟ ରହିବା ସମ୍ଭାବନା ଅଧିକ ରହିଛି । ଅଧିକାଂଶ ଏକ୍ସିଟ୍ ପୋଲ୍ ଡିଏମକେ ସପକ୍ଷରେ ଆକଳନ କରିଛନ୍ତି । କିନ୍ତୁ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ଭିଜୟଙ୍କ ଟିଭିକେ ଦଳ ଏକ ବଡ଼ ସ୍ପଏଲର୍ ହୋଇପାରେ ।
ଷ୍ଟାଲିନ୍ ଯଦି ଜିତନ୍ତି ତାହେଲେ ତାଙ୍କର ଦ୍ୱିତୀୟ ପାଳି ନିଶ୍ଚିତ ହେବ । ତାମିଲନାଡ଼ୁରେ ବିରୋଧୀ ମେଣ୍ଟ ମଧ୍ୟ ମଜବୁତ ରହିବ। ଆସାମରେ ବିଜେପି ଏଠାରେ ହ୍ୟାଟ୍ ଟ୍ରିକ୍ କରିବାର ପ୍ରବଳ ସମ୍ଭାବନା । ଏକ୍ସିଟ୍ ପୋଲ୍ ଅନୁଯାୟୀ ବିଜେପି ସ୍ପଷ୍ଟ ଆଗୁଆ। ୧୪୦ ଆସନ ବିଶିଷ୍ଟ କେରଳରେ ସିପିଏମ୍ ନେତୃତ୍ୱାଧୀନ ଏଲ୍ ଡିଏଫ୍ ସରକାର ହାରିବାର ସମ୍ଭାବନା ଅଧିକ । କଂଗ୍ରେସ୍ ନେତୃତ୍ୱାଧୀନ ୟୁଡିଏଫ୍ ଫେରିବା ଆଭାସ ଦେଉଛି ଏକ୍ସିଟ ପୋଲ୍ । ସେହିପରି ୩୦ ଆନ ବିଶିଷ୍ଟ ପଡୁଚେରୀରେ ଏନ୍ ଡିଏ ସରକାର ପୁଣି କ୍ଷମତାକୁ ଫେରିବା ସମ୍ଭାବନା ଅଧିକ । ଯଦି ମମତା ଓ ଷ୍ଟାଲିନ୍ ହାରନ୍ତି, ତେବେ ଜାତୀୟ ସ୍ତରରେ ବିରୋଧୀ ଶିବିରର ଶକ୍ତି ହ୍ରାସ ପାଇବ । ଏହା ୨୦୨୯ ଲୋକସଭା ପାଇଁ ଏକ ପରୀକ୍ଷା ହେବ । ପଶ୍ଚିମବଙ୍ଗରେ ଯଦି ବିଜେପି ଜିତେ ତାହେଲେ ପୂର୍ବ ଭାରତର ରାଜନୀତି ବଦଳିଯିବ । ତାମିଲନାଡୁରେ ଡିଏମକେ ଜିତିଲେ ଦକ୍ଷିଣର ବିରୋଧୀ ଶକ୍ତି ମଜବୁତ୍ ରହିବ ।

