ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ସାକେତରେ ଏକ ଦୁଃଖଦ ଘଟଣା ଘଟିଛି । ବିଲ୍ଡିଂ ଭୁଶୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ସମ୍ଭାବନା ରହିଛି। ପ୍ରଶାସନ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NCRF) ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ମେହରୌଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦକ୍ଷିଣ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନେତୃତ୍ୱରେ ଏକ ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
ସୂଚନାନୁଯାୟୀ, ଶନିବାର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ କୋଠା ଭୁଶୁଡ଼ି ପଡ଼ିଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିଲେ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ସତର୍କତାର ସହ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି ବୋଲି ଘଟଣାସ୍ଥଳ ପରିଦର୍ଶନ କରି ରେଖା ଗୁପ୍ତା କହିଛନ୍ତି ।
ଅନ୍ୟପଟେ ସମସ୍ତ ବେଆଇନ୍ କୋଠା ଏବଂ ଏଥିପାଇଁ ଦାୟୀ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି । ବିପଦପୂର୍ଣ୍ଣ କୋଠାଗୁଡ଼ିକର ଯାଞ୍ଚ କରିବାକୁ ଏବଂ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ଗୃହମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ଏବଂ ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ସମସ୍ତ ଏଜେନ୍ସି ସମନ୍ୱୟରେ କାର୍ଯ୍ୟ କରୁଛନ୍ତି ।

