ରାଜସ୍ଥାନ : ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା କାର୍ । କାର୍ ରେ ଥିବା ୨ ଜଣଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ମଙ୍ଗଳବାର ରାତି ୨ଟାରେ ଦ୍ରୁତଗତିରେ ଏକ ସ୍କର୍ପିଓ ଅନିୟନ୍ତ୍ରିତ ହୋଇ ବାରମ୍ବାର ଓଲଟି ପଡିଥିଲା ।
ବାରମ୍ବାର ଓଲଟିବା ଯୋଗୁଁ ଏକ ଗଛରେ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଥିବା ଲୋକଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ପୋଲିସ, ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ।
ଘଟଣା ବିଷୟରେ ସୂଚନା ମିଳିବା ପରେ ଆମ୍ବୁଲାନ୍ସ ଏବଂ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମୃତକ ଏବଂ ଆହତଙ୍କୁ ଉଦ୍ଧାର କରିବା ଲାଗି ଜେସିବିର ବ୍ୟବହାର କରାଯାଇଥିଲା । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଜୟପୁର ରେଫର କରାଯାଇଥିଲା ।
ତେବେ ପ୍ରଶ୍ନ ଉଠୁଛି କି, ଏତେ ଭୟଙ୍କର ଦୁର୍ଘଟଣା ପରେ ମଧ୍ୟ ଗାଡ଼ିର ଏୟାରବ୍ୟାଗ୍ ଖୋଲିନଥିଲା । ଏୟାରବ୍ୟାଗ୍ ଖୋଲିଥିଲେ ଏମାନଙ୍କ ଜୀବନ ବଞ୍ଚିଯାଇଥାନ୍ତା । ପୋଲିସ ଘଟଣା ବିଷୟରେ ଯାଞ୍ଚ କରୁଛି ।
ସୂଚନାଯୋଗ୍ୟ, ଝୁନଝୁନୁରେ ଗତ ୭ ଦିନ ହେଲାଣି ମହିନ୍ଦ୍ରା ଏଜେନ୍ସୀ ବାହାରେ ଧାରଣା ଦେଇଛନ୍ତି ପ୍ରଦର୍ଶନକାରୀ । ନିକଟରେ ୨୦ ଜୁଲାଇରେ ସ୍କର୍ପିଓ ଧକ୍କାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିଲା, ପରିବାର ଲୋକଙ୍କ ଅଭିଯୋଗ ରହିଥିଲା କି, ଗାଡ଼ିର ଏୟାରବ୍ୟାଗ୍ ଖୋଲିନଥିଲା । ଏହାକୁ ବିରୋଧ କରି ଧାରଣା ଦିଆଯାଇଥିଲା । କିନ୍ତୁ ଏବେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଛି ।

