ବଲାଙ୍ଗିର : କାଜୁ ବଗିଚାରୁ ଦନ୍ତା ହାତୀର ମୃତଦେହ ଠାବ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଚାନୁଟମାଲ ଗାଁ ନିକଟ କାଜୁ ବଗିଚାରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅନେକ ଦିନ ଧରି ହାତୀପଲ ମୁରିବାହାଲର ରେଞ୍ଜର ବିଭିନ୍ନ ଗାଁରେ ଉପଦ୍ରବ କରୁଥିଲେ। ହେଲେ ଆଜି ସକାଳୁ ଚାନୁଟମାଲ ଗାଁ ନିକଟରେ ଥିବା ଏକ କାଜୁ ବଗିଚାରେ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି ।
କାଜୁ ବଗିଚାର ମାଲିକ ଦନ୍ତାର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
କିଛି ଦିନ ହେବ ଏହି ଅଞ୍ଚଳରେ ଦନ୍ତା ହାତୀ ଚଳପ୍ରଚଳ କରି ଲୋକଙ୍କ ଚାଷ ନଷ୍ଟ କରୁଛି। ହାତୀଟି ଲଙ୍କା ଆମ୍ବ ଖାଇବାକୁ କାଜୁ ବଗିଚାରେ ପଶିଥିବାବେଳେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ମୁରିବାହାଲ ରେଞ୍ଜର, ବନ ବିଭାଗ କର୍ମଚାରୀ, ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। । ସେପଟେ ପ୍ରାୟ ୪ ମାସ ଭିତରେ ଦୁଇ ଦୁଇଟି ଦନ୍ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

