ଆଜି ମେ' ୧ । ସାରା ବିଶ୍ୱରେ ଆଜିର ଦିନକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା । ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । କେହି କେହି ଆଜିର ଦିନକୁ ମେ ଡେ ବୋଲି ମଧ୍ୟ କହିଥାନ୍ତି ।
ଶ୍ରମିକ ଦିବସର ଇତିହାସ :
ପୂର୍ବରୁ ଶ୍ରମିକଙ୍କ ପାଇଁ କାମ କରିବାର କୌଣସି ସମୟ ସୀମା ନ ଥିଲା । ଏଣୁ ମାଲିକମାନେ ସେମାନଙ୍କୁ ଦିନକୁ ୧୦-୧୫ ଘଣ୍ଟା କାମ କରାଉଥିଲେ । ଏହାକୁ ବିରୋଧ କରି ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ଦୋଳନ କରିଥିଲେ । ଏଥିସହ କାମ କରିବା ସମୟ ୮ ଘଣ୍ଟା ରଖିବାକୁ ଦାବି କରିଥିଲେ । ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶ୍ରମିକଙ୍କ ଉପରେ ପୋଲିସ ଅନ୍ଧାଧୂନ ଗୁଳି ମାଡ଼ କରିଥିଲା । ଏହି ଗୁଳି ମାଡ଼ରେ ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଶହ ଶହ ଶ୍ରମିକ ଗୁରୁତର ମଧ୍ୟ ହୋଇଥିଲେ । ଏହି ଘଟଣାର ୩ ବର୍ଷ ପରେ ୧୮୮୯ ମସିହାରେ ପ୍ୟାରିସରେ ଅନ୍ତରାଷ୍ଟ୍ରୀୟ ସମାଜବାଦୀ ସମ୍ମେଳନ ହୋଇଥିଲା । ଏହି ବୈଠକରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ସମ୍ମେଳନରେ ମେ ୧ କୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା । ତା ପରଠାରୁ ଆମେରିକାରେ ଏହି ନିୟମ ପ୍ରଚଳନ ହୋଇଥିଲା। ସେବେ ଠାରୁ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି ।

୩୪ ବର୍ଷ ପରେ ଭାରତରେ ଆରମ୍ଭ ହେଲା ଶ୍ରମିକ ଦିବସ :
ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା । ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା । ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା । ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ । ଫଳରେ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।

