କଟକ (କେନ୍ୟୁଜ୍) : ବଲିଉଡ୍ ଫିଲ୍ମ 'ଇକବାଲ' ଅନେକଙ୍କ ହୃଦୟ ଛୁଇଁଥିଲା। ଫିଲ୍ମର କାହାଣୀ ଥିଲା ଜଣେ ଯୁବ କ୍ରିକେଟରଙ୍କୁ ନେଇ, ଯିଏ ଶୁଣି ପାରୁ ନଥିଲେ କି କହି ପାରୁ ନଥିଲେ, କିନ୍ତୁ ଭାରତ ପାଇଁ ଖେଳିବାର ସ୍ୱପ୍ନ ଆଗରେ ତାଙ୍କର ଏହି ଚ୍ୟାଲେଞ୍ଜ କେବେ ବାଧକ ହୋଇନଥିଲା। ଦୀର୍ଘ ବର୍ଷ ପରେ ଓଡ଼ିଶା ମଧ୍ୟ ପାଇଛି ନିଜର ଜଣେ ବାସ୍ତବ ଜୀବନର 'ଇକବାଲ'-୧୯ ବର୍ଷୀୟ ସିବୁନ ନନ୍ଦ।
ଫିଲ୍ମର ଚରିତ୍ର ଭଳି ସିବୁନ ମଧ୍ୟ ଶୁଣି କିମ୍ବା କହି ପାରନ୍ତି ନାହିଁ। କିନ୍ତୁ କ୍ରିକେଟ୍ ତାଙ୍କୁ ନିଜର ଏକ ଭାଷା ଦେଇଛି। ତାଙ୍କର ପ୍ରତ୍ୟେକ ବଲ୍, ପ୍ରତ୍ୟେକ ରନ୍ ଏବଂ ପ୍ରତ୍ୟେକ ମ୍ୟାଚ୍ ତାଙ୍କ ସଂଘର୍ଷ, ଆକାଂକ୍ଷା ଓ ନିଜ ଉପରେ ଥିବା ଅତୁଟ ବିଶ୍ୱାସର କାହାଣୀ କହୁଛି। ତାଙ୍କ ଯାତ୍ରା ଏବେ ସୁଦ୍ଧା ଇଣ୍ଡିଆ ଡିଫ୍ କ୍ରିକେଟ୍ ଟିମ୍ ପର୍ଯ୍ୟନ୍ତ ପହଞ୍ଚିଛି। ସିବୁନ ଭାରତ ପାଇଁ ଡିଫ୍ କ୍ରିକେଟ୍ରେ ଦୁଇଟି ମ୍ୟାଚ୍ ଖେଳିସାରିଛନ୍ତି। କିନ୍ତୁ ସିବୁନଙ୍କ ପାଇଁ ଏହି ସଫଳତା ଯାତ୍ରାର ଶେଷ ନୁହେଁ, ବରଂ ଏହା ଏକ ନୂଆ ଆରମ୍ଭ। ବରହମପୁରର ଏହି ଯୁବ କ୍ରିକେଟରଙ୍କ ସ୍ୱପ୍ନ ହେଉଛି ରଣଜୀ ଟ୍ରଫି ଖେଳିବା ଏବଂ ଦିନେ ଭାରତୀୟ ସିନିୟର ଦଳର ଜର୍ସି ପିନ୍ଧିବା।
ତାଙ୍କ ଯାତ୍ରା ଏବେ ବି ଜାରି ରହିଛି, ବ୍ରହ୍ମପୁର ଏହି ଅଲରାଉଣ୍ଡର ଖଲିକୋଟ କଲେଜ୍ ଗ୍ରାଉଣ୍ଡରୁ କ୍ରିକେଟ୍ ଯାତ୍ରା ଆରମ୍ଭ କରିଥିଲେ। ସେ ଡାହାଣହାତୀ ବ୍ୟାଟର ଏବଂ ଡାହାଣହାତୀ ଫାଷ୍ଟ ବୋଲର। ଗତ ତିନିଟି ସିଜନ୍ ଧରି ସେ ବିସିସିଆଇର ଘରୋଇ ପ୍ରତିଯୋଗିତା କୁଚ୍ ବେହାର ଟ୍ରଫି ଏବଂ ବିନୁ ମାଙ୍କଡ ଟ୍ରଫି ପାଇଁ ଓଡ଼ିଶା ୧୯ ବର୍ଷରୁ କମ୍ ଦଳର ଅଂଶ ରହି ଆସିଛନ୍ତି। ବର୍ତ୍ତମାନ ସିବୁନ ଭାରତ ମସଲା ଓଡ଼ିଶା T20 ଲିଗ୍-CM Trophyରେ କଟକ ପାନ୍ଥର୍ସ ପକ୍ଷରୁ ଖେଳୁଛନ୍ତି।
ବ୍ରହ୍ମପୁରର ରାଧାକୃଷ୍ଣ ବିଲ୍ଲା ଷ୍ଟ୍ରିଟ୍, ଗେଟ୍ ବଜାର ନିକଟରେ ଜନ୍ମ ଓ ବଢ଼ିଥିବା ସିବୁନଙ୍କ ବାପା ଜଣେ ପୁରୋହିତ ଓ ଜ୍ୟୋତିଷ। ଖଲିକୋଟ କଲେଜ୍ ଗ୍ରାଉଣ୍ଡରୁ ଆରମ୍ଭ ହୋଇଥିବା ତାଙ୍କ କ୍ରିକେଟ୍ ଯାତ୍ରା ଏବେ ଭାରତୀୟ ଡିଫ୍ କ୍ରିକେଟ୍ ଦଳ ଏବଂ ଓଡ଼ିଶା T20 ଲିଗ୍ ପର୍ଯ୍ୟନ୍ତ ପହଞ୍ଚିଛି। ସିବୁନଙ୍କ ପ୍ରିୟ କ୍ରିକେଟର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ବ୍ରହ୍ମପୁରରୁ ଭାରତୀୟ ଦଳ ପର୍ଯ୍ୟନ୍ତ ପହଞ୍ଚିଥିବା ସିବୁନଙ୍କ ଯାତ୍ରା ଏବେ ବି ଜାରି ରହିଛି। ତାଙ୍କ ସ୍ୱପ୍ନର ଉଡ଼ାଣ ଏବେ ଆହୁରି ଉଚ୍ଚ ହେବାକୁ ବାକି ଅଛି।..

