ଭୁବନେଶ୍ୱର : ବନ୍ୟା ପରେ ବଢ଼ୁଛି ସାପ ଭୟ । ବୁଡିଯାଉଛି ପ୍ରାକୃତିକ ବାସସ୍ଥାନ । ବନ୍ୟା ପାଣିରେ ସାପଙ୍କ ଗାତ, ଉଈ ଢିବି, ଗଛ କୋରଡ଼ ଓ ବିଲ ପାଣିରେ ବୁଡ଼ିଯାଉଛି । ଜୀବନ ବଞ୍ଚାଇବା ପାଇଁ ସାପ ଉଚ୍ଚ ଓ ଶୁଖିଲା ସ୍ଥାନ ଖୋଜି ଘର ଭିତରକୁ ପଶୁଛନ୍ତି । ଫଳରେ ଘରର ଖଟ, ଛାତ, ମେଜ, ଆଲମିରା, ଗୋଦାମ ଓ ଉଚ୍ଚ ସ୍ଥାନ ସାପଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ପାଲଟୁଛି ।
ବନ୍ୟାରେ ମୂଷା, ବେଙ୍ଗ ଓ ଅନ୍ୟ ଛୋଟ ପ୍ରାଣୀ ଘର ଭିତରକୁ ପଳାଇ ଆସୁଛନ୍ତି । ଏହି ଶିକାରକୁ ଧରିବା ପାଇଁ ସାପ ମଧ୍ୟ ଘର ଭିତରେ ପ୍ରବେଶ କରୁଛନ୍ତି । ପ୍ରବଳ ସ୍ରୋତରେ ସାପ ଜଙ୍ଗଲ, ନଦୀପଠା ଓ ଚାଷଜମିରୁ ଭାସି ଆସି ଗାଁରେ ପହଞ୍ଚୁଛନ୍ତି । ଭାସୁଥିବା କାଠ, ଆସବାବପତ୍ର କିମ୍ବା ଘରର ଦୁଆରରେ ଆଶ୍ରୟ ନେଉଛନ୍ତି । ଘୋଳା ପାଣି ଓ ପ୍ରବଳ ସ୍ରୋତରେ ସାପ ଦିଗ ହରାଇ ନିକଟସ୍ଥ ସ୍ଥିର ସ୍ଥାନକୁ ଚାଲି ଆସୁଛନ୍ତି, ଯାହା ପ୍ରାୟତଃ ଘର ଭିତରେ ଥାଏ।.
ବନ୍ୟା ପରେ ସାପ କାମୁଡ଼ା ବିପଦ ଅଧିକ ବଢ଼ୁଛି ? ବିଦ୍ୟୁତ୍ ନଥିବାରୁ ଅନ୍ଧାରରେ ଚାଲିବା କିମ୍ବା ପାଣି ଭିତରେ ଚାଲିବା ବେଳେ ଅଜାଣତରେ ସାପ ଉପରେ ପାଦ ପଡ଼ିଯାଉଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ନାଗ ସାପ, କମନ୍ କ୍ରାଇଟ୍ ଓ ରସେଲ୍ ସ ଭାଇପର୍ ଭଳି ବିଷଧର ସାପ ଅଧିକ ଦେଖାଯାଏ । ରାସ୍ତା ଓ ପୋଲ ଭାଙ୍ଗିଯିବାରୁ ସାପ କାମୁଡ଼ା ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ପହଞ୍ଚାଇବା କଷ୍ଟକର ହେଉଛି । ସରକାରୀ ହସ୍ପିଟାଲରେ ଆଣ୍ଟି ସ୍ନେକ୍ ଭେନମ୍ ଥିଲେ ମଧ୍ୟ ବିଦ୍ୟୁତ୍ ବିଚ୍ଛିନ୍ନ ହେବାରୁ ଶୀତଳୀକରଣ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହୁଛି । ବନ୍ୟା ସମୟରେ ସାପଠାରୁ ସୁରକ୍ଷିତ ରହିବାକୁ ହେଲେ ରାତିରେ କିମ୍ବା ବିଦ୍ୟୁତ୍ ନଥିଲେ ଟର୍ଚ୍ଚ ଜଳାଇ ଚାଲନ୍ତୁ।ଶୋଇବା ପୂର୍ବରୁ ବିଛଣା, ଚାଦର, ଖଟ ତଳ ଓ ଆସବାବପତ୍ର ଯାଞ୍ଚ କରନ୍ତୁ । ସିଧାସଳଖ ମାଟିରେ ଶୁଅନ୍ତୁ ନାହିଁ । ଖାଲି ହାତରେ ଆବର୍ଜନା ସଫା କରନ୍ତୁ ନାହିଁ । ପ୍ରଥମେ ଲମ୍ବା ବାଡ଼ି କିମ୍ବା ବାଉଁଶରେ ଯାଞ୍ଚ କରନ୍ତୁ । ସାପକୁ ଧରିବା କିମ୍ବା ମାରିବାକୁ ଚେଷ୍ଟା କରନ୍ତୁ ନାହିଁ । ଦୂରରେ ରୁହନ୍ତୁ ଏବଂ ବନ ବିଭାଗ, ଅଗ୍ନିଶମ ବାହିନୀ କିମ୍ବା ସ୍ଥାନୀୟ ସାପ ଉଦ୍ଧାରକାରୀଙ୍କୁ ଖବର ଦିଅନ୍ତୁ।

