ଓଡ଼ିଶାର ପରବର୍ତ୍ତୀ ଡିଜି ନିଯୁକ୍ତି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ୨୨ ତାରିଖକୁ ଘୁଞ୍ଚିଛି । ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ । ଡିଜି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା କିମ୍ବା ନିୟମ ଉଲ୍ଲଂଘନ ହୋଇନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ।ଆଜି ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି ସୁଶାନ୍ତନାଥ ।
ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟାର ମୂଳ ତାଲିକାରେ ରହିଥିଲେ ସୁଶାନ୍ତ । କିନ୍ତୁ ପୋଲିସ ଏସଆଇ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ସିବିଆଇ ତଦନ୍ତ ପରିପ୍ରେକ୍ଷୀରେ ତାଙ୍କୁ ପଚରାଉଚରା କିମ୍ବା ତାଙ୍କ ବୟାନ ରେକର୍ଡ କରିବା ସମ୍ଭାବନା ରହିଛି । ଏନେଇ ସିବିଆଇ ଚିଠି ଲେଖି ରାଜ୍ୟ ଗୃହ ବିଭାଗକୁ ଜଣାଇଥିବା ଜଣାପଡ଼ିଛି । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ସମୟରେ ସୁଶାନ୍ତ ନାଥ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ରହିଥିଲେ ।
ତେଣୁ ତଦନ୍ତକାରୀ ସଂସ୍ଥା ତାଙ୍କଠାରୁ କିଛି ତଥ୍ୟ ଜାଣିବାକୁ ଚାହିଁପାରେ । ଏହା ସୁଶାନ୍ତଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଡିଜିପି ଚୟନ ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ । ତାଙ୍କ ଏଣ୍ଟ୍ରି ସହ ଏବେ କେବଳ ରାଜ୍ୟ ସରକାର, ୟୁପିଏସସି କିମ୍ବା ମୂଳ ଆବେଦନକାରୀଙ୍କ ଯୁକ୍ତି ନୁହେଁ, ପ୍ରକ୍ରିୟାରେ ପ୍ରଭାବିତ ହେବାକୁ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷ ମଧ୍ୟ ଡିଜିପି ଚୟନ ପ୍ରକ୍ରିୟାରେ ସାମ୍ନାକୁ ଆସିଛି ।
ଓଡ଼ିଶା ଡିଜିପି ଚୟନ ନିଯୁକ୍ତି ବେଳେ ୨୦୦୬ ପ୍ରକାଶ ସିଂ ମାମଲାର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ ଅଭିଯୋଗରେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।ସେପଟେ ତତ୍କାଳୀନ ଡିଜି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନିୟମିତ ଡିଜି ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିଲା । ଏହି ସମୟରେ ଭିନୟତୋଷ ମିଶ୍ରଙ୍କୁ କାମଚଳା ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ନିୟମିତ ଡିଜି ଚୟନ ନେଇ ଆଇନଗତ ପ୍ରକ୍ରିୟା ଚାଲିଥିବାରୁ ଏହି କାମଚଳା ବ୍ୟବସ୍ଥା ହୋଇଥିଲା । ଏବେ ୨୨ ତାରିଖର ଶୁଣାଣି ଉପରେ ନଜର ରହିଛି । ଏହି ଶୁଣାଣିରେ ଡିଜି ଚୟନ ପ୍ରକ୍ରିୟା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଭିମୁଖ୍ୟ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

