ଟାଟା ଗ୍ରୁପ୍ ର ନେତୃତ୍ୱକୁ ନେଇ ଚାଲିଥିବା ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଟାଟା ଗ୍ରୁପର ଅଧ୍ୟକ୍ଷ ରହିବେ ଚନ୍ଦ୍ରଶେଖରନ । ଆଉ ୫ ବର୍ଷ ଟାଟାର ମଙ୍ଗ ଧରିବେ ଚନ୍ଦ୍ରଶେଖରନ । Tata Sons ବୋର୍ଡ ଏନ୍ . ଚନ୍ଦ୍ରଶେଖରନଙ୍କୁ Executive Chairman ଭାବେ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତ କରିବାକୁ ଅନୁମୋଦନ କରିଛି ।
୨୦୧୭ରୁ ସେ ଏହି ପଦରେ ରହିଆସୁଛନ୍ତି । ୨୦୧୬ ମସିହାରେ ତତ୍କାଳୀନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କୁ ଏହି ପଦରୁ ହଟାଯିବା ପରେ ଶ୍ରୀ ଚନ୍ଦ୍ରଶେଖରନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଟାଟା ପରିବାର ବାହାରୁ କେହି ଜଣେ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାରେ ଚନ୍ଦ୍ରଶେଖରନ ପ୍ରଥମ ।୬୩ ବର୍ଷୀୟ ଚନ୍ଦ୍ରଶେଖନରନ ୧୯୮୭ ମସିହାରୁ ଟିସିଏସରେ ଯୋଗଦେଇ ୨୦୦୯ରେ ଏହାର ସିଇଓ ହୋଇପାରିଥିଲେ । ତେବେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ପଦବୀରେ ତାଙ୍କ ନିଯୁକ୍ତିକୁ ନେଇ କିଛିଟା ମତଭେଦ ଦେଖା ଦେଇଥିଲା ।
ବିଶେଷ କରି ୬୬% ଅଂଶଧନର ମାଲିକ ନୋଏଲ ଟାଟାଙ୍କ ତରଫରୁ ଏହି ଅସହମତି ଥିଲା । ଏୟାର ଇଣ୍ଡିଆ, ଜାଗୁଆର, ଲାଣ୍ଡରୋଭର ଆଦିରେ କ୍ଷତି ଚନ୍ଦ୍ରଶେଖରନଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଥିଲା । ତୃତୀୟ ଥର ପାଇଁ ପଦବୀ ଗ୍ରହଣ କରିବାକୁ ଶ୍ରୀ ଚନ୍ଦ୍ରଶେଖରନ ପୂର୍ବରୁ ନିଜର ଅସହମତି ମଧ୍ୟ ପ୍ରକାଶ କରିଥିଲେ । ଏବେ ଚନ୍ଦ୍ରଶେଖରନଙ୍କ ନୂଆ ୫ ବର୍ଷର କାର୍ଯ୍ୟକାଳକୁ ବୋର୍ଡ ଅନୁମୋଦନ କରିବା ପରେ Tata Groupରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏକ ନୂଆ ମୋଡ଼ ଆସିଛି ।

