ନେପାଳ : ନେପାଳ ପ୍ରଳୟ ଭିତରେ ଅକ୍ଷତ 'ସବୁଜ ଘର' । ପ୍ରଳୟର ନିରବ ସାକ୍ଷୀ । ତ୍ରିଶୂଳୀରେ ପ୍ରଚଣ୍ଡ ବନ୍ୟା ସ୍ରୋତ ମାଡ଼ିଗଲା, ତଥାପି ଅକ୍ଷତ ରହିଲା ଘର । ଚାରିଆଡ଼େ ପାଣିର ପ୍ରଚଣ୍ଡ ସ୍ରୋତ । ସାଙ୍ଗରେ ମାଟି, ପଥର ଓ ଭଗ୍ନାବଶେଷ । ଯାହା ସାମ୍ନାରେ ପଡ଼ିଲା, ତାହାକୁ ଭସାଇ ନେଇଗଲା ଅଗଷ୍ଟ ୨୬ର ଭୟଙ୍କର ଆକସ୍ମିକ ବନ୍ୟା ।
ନେପାଳର ତ୍ରିଶୂଳୀ ଅଞ୍ଚଳରେ ଏହି ପ୍ରଳୟ ଅନେକ ସ୍ଥାନର ଚିତ୍ର ବଦଳାଇ ଦେଇଥିବାବେଳେ ଏବେ ଏକ ସବୁଜ ରଙ୍ଗର ଘରର ଦୃଶ୍ୟ ସମସ୍ତଙ୍କ ନଜର ଟାଣିଛି । ବନ୍ୟାର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସୁଥିବାବେଳେ ଘରଟି ତାହାରି ମଝିରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଳୟ ପରେ ମଧ୍ୟ ସବୁଜ ରଙ୍ଗର ଏହି ଘରଟି ଅକ୍ଷତ ଅବସ୍ଥାରେ ରହି ଛି। ଚାରିପାଖରେ ବନ୍ୟା ତାଣ୍ଡବର ଚିହ୍ନ ଥିବାବେଳେ ଘରଟି କିନ୍ତୁ ମୁଣ୍ଡ ଟେକି ଛିଡ଼ା ହୋଇଛି ।
ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମାର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବରଫ, ପଥର ଓ ଭଗ୍ନାବଶେଷର ବିଶାଳ ଅଂଶ ତଳକୁ ଖସିବା ପରେ ଭୟଙ୍କର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ପାଣି ସହ ବିପୁଳ ପରିମାଣର କାଦୁଅ, ପଥର ଓ ଭଗ୍ନାବଶେଷ ତଳମୁହାଁ ହୋଇ ମାଡ଼ି ଆସିଥିଲା । ଏହାର ପ୍ରଭାବରେ ତ୍ରିଶୂଳୀ ନଦୀ କରିଡରର ବିସ୍ତୀର୍ଣ୍ଣ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଖର ସ୍ରୋତରେ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହେବା ସହ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତି ସହିଛି। ଅନେକ ସ୍ଥାନରେ ମାଟି ଓ ପଥରର ବିଶାଳ ସ୍ତର ଜମିଯାଇଛି । ଏଭଳି ଭୟାବହ ଧ୍ୱଂସ ଭିତରେ ସବୁଜ ଘରଟି ଅକ୍ଷତ ରହିବା ଏହି ଦୃଶ୍ୟକୁ ଆହୁରି ଚର୍ଚ୍ଚିତ କରିଛି। ତେବେ ଘରଟି କାହିଁକି ଓ କିପରି ଏତେ ପ୍ରଚଣ୍ଡ ବନ୍ୟା ସ୍ରୋତରୁ ବର୍ତ୍ତିଗଲା, ତାହାର କୌଣସି ଅଧିକୃତ ବୈଷୟିକ ବ୍ୟାଖ୍ୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଘରର ନିର୍ମାଣଶୈଳୀ, ଏହା ଯେଉଁ ସ୍ଥାନରେ ରହିଛି ସେଠାର ଭୂପୃଷ୍ଠ କିମ୍ବା ବନ୍ୟା ସ୍ରୋତର ଗତିପଥ-ଏଥିମଧ୍ୟରୁ କେଉଁ କାରଣ ଘରଟିକୁ ବଞ୍ଚାଇଲା, ତାହା ସ୍ପଷ୍ଟ ନୁହେଁ। ତେଣୁ ଏନେଇ ଅନୁମାନ କରିବା ପରିବର୍ତ୍ତେ ବୈଷୟିକ ତଦନ୍ତର ତଥ୍ୟକୁ ଅପେକ୍ଷା କରିବା ଜରୁରୀ । ଏବେ ବି ତ୍ରିଶୂଳୀ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଉଦ୍ଧାର ଓ ସନ୍ଧାନ ଅଭିଯାନ ଚାଲିଛି। ଏହାରି ମଧ୍ୟରେ ଧ୍ୱଂସ ଓ ପ୍ରଳୟ ମଝିରେ ଛିଡ଼ା ହୋଇଥିବା ସବୁଜ ଘର ଅଗଷ୍ଟ ୨୬ ବିପର୍ଯ୍ୟୟର ଏକ ନିରବ ସାକ୍ଷୀ ପାଲଟିଛି।
ବିପର୍ଯ୍ୟୟ ପରେ ଘରଟି ଅକ୍ଷତ ଭାବେ ଠିଆ ହୋଇଥିବାରୁ ଏହାକୁ ଅନେକେ ଚମତ୍କାର ବୋଲି କହୁଛନ୍ତି । କିନ୍ତୁ ଗୋଟିଏ ଘର କୌଣସି ବିପର୍ଯ୍ୟୟରେ କେତେ ମାତ୍ରାରେ କ୍ଷତିଗ୍ରସ୍ତ ହେବ, ତାହା ନିର୍ମାଣଗତ ଓ ଭୌଗୋଳିକ କାରଣ ଉପରେ ନିର୍ଭର କରେ । ନେପାଳରେ ଯେଉଁ ବନ୍ୟା ଆସିଥିଲା ତା'ର ଫୋର୍ସ ଭର୍ଟିକାଲ ଥିଲା । ପାଣିର ପ୍ରବଳ ସ୍ରୋତ ଘରର କାନ୍ଥରେ ସିଧା ମାଡ ହୋଇଥିଲା । ଏହି କାରଣରୁ ପାରମ୍ପାରିକ ଓ ପରୁଣା ଘର ମାତ୍ର କିଛି ମିନିଟ୍ରେ ତାସ୍ ଘର ଭଳି ଭାସିଗଲା । ତାହା ଭର୍ଟିକାଲ ଫୋର୍ସ ସହିପାରିଲାନି। ସେଭଳି ଏକମାତ୍ର ସେଠାରେ ଠିଆ ହୋଇଥିବା ଏହି ଘର କଙ୍କ୍ରିଟ୍ ଓ ଷ୍ଟିଲ୍ରେ ତିଆରି ହୋଇଥିଲା । ଏହାର ମୂଳଦୁଆ ଖୁବ୍ ଗଭୀର ଥିଲା । ତା ଛଡା ଘରଟି ଅପେକ୍ଷାକୃତ ଉଚ୍ଚତାରେ ଥିଲା । ଏହି କାରଣରୁ ତାହା ଭୀଷଣ ଭର୍ଟିକାଲ ଫୋର୍ସକୁ ବି ସହ୍ୟ କରି ଠିଆ ହୋଇ ରହିଥିଲା। ଫଳରେ ଏହା ଘର ମାଲିକଙ୍କ ପାଇଁ ସାକ୍ଷାତ ବରଦାନ ପାଲଟିଥିଲା । ଏହି ଦୁଃଖଦ ଘଟଣା ମଧ୍ୟରେ ଘରର ସ୍ଥିତି ବିଶ୍ୱସ୍ତରୀୟ ଆଲୋଚନାର ବିଷୟ ପାଲଟିଛି । ଏକ୍ସରେ ଅନେକ ବିଶେଷଜ୍ଞ ସେମାନଙ୍କର ମତାମତ ଦେଉଛନ୍ତି। କିଏ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଛନ୍ତି ତ ଆଉ କିଏ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି। ତେବେ ଆଉ କିଛି ଲୋକ ଏହା ପଛରେ ବିଜ୍ଞାନର ଶ୍ରେୟ ବୋଲି କହିଛନ୍ତି।

