ଜୟପୁର :ବନ୍ୟା ଜଳ ଛାଡ଼ିଯାଇଛି, କିନ୍ତୁ କୋଟପାଡ଼ରେ ବଢ଼ିଛି ଚାଷୀଙ୍କ ଦୁର୍ଦ୍ଦଶା । ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ୭ଟି ପଞ୍ଚାୟତର ୪୧ଟି ଗାଁରେ ପଶିଥିଲା ବନ୍ୟା ଜଳ । ପ୍ରାୟ ୫ ଦିନ ଧରି ପାଣି ଘେରରେ ରହିଥିଲା ଘରଦ୍ୱାର ସହ ହଜାର ହଜାର ଏକର ଚାଷ ଜମି । ଏବେ ଧୀରେ ଧୀରେ ପାଣି ଛାଡ଼ିଛି, ହେଲେ ନଷ୍ଟ ହୋଇଯାଇଛି ଚାଷୀଙ୍କ ବର୍ଷକର ଫସଲ ।
ଧାନ ସହ ମକା ଓ ଆଖୁ ଚାଷ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଦୀର୍ଘ ସମୟ ପାଣି ଜମି ରହିବାରୁ ଧାନ କେଣ୍ଡା ପଚିଯାଇଥିବା ବେଳେ, ଚାଷୀଙ୍କ ମୁଣ୍ଡରେ ଏବେ ଋଣ ଶୁଝିବା ଓ ପରିବାର ଚଳାଇବାର ଚିନ୍ତା । ଅନ୍ୟପଟେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଥିବା ବେଳେ, ଚାଷ ଜମିର କ୍ଷୟକ୍ଷତି ଆକଳନ ଏଯାଏ ଆରମ୍ଭ ହୋଇନଥିବା ଜଣାପଡ଼ିଛି । କୋଟପାଡ଼ରେ ବନ୍ୟା ଛାଡ଼ିଛି, କିନ୍ତୁ ଚାଷୀଙ୍କ ଚିନ୍ତା ଏବେ ବି ଛାଡ଼ିନି ।

