ରାୟଗଡା : କମ୍ପାନୀର ରାସ୍ତା ନିର୍ମାଣକୁ ନେଇ ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳ ଅଶାନ୍ତ। ଶାଗବାରୀରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଉତ୍ଯକ୍ତ ଜନତା। ରାସ୍ତାକାମକୁ ବିରୋଧ କରି ସେମାନ ବିକ୍ଷୋଭ କରୁଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଥିଲା। ଏହି ସମୟରେ ପୋଲିସ ଉପରକୁ ହୋଇଥିଲା ଟେକା ପଥର ମାଡ଼। ଏଥିରେ ୩୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି।
ସେମାନଙ୍କ ମଧ୍ୟରେ କିଛି ବରିଷ୍ଠ ଅଧିକାରୀ ବି ଅଛନ୍ତି। ୭ ଜଣ ଗୁରୁତର ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ରାୟଗଡା ଜିଲାପାଳ, ଏସପି ଓ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି। କାଶୀପୁର ବ୍ଲକର ସିଜିମାଳି ଖଣିଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ କମ୍ପାନୀ ଶାଗୁବାରୀରୁ ସିଜିମାଳି ଯାଏ ରାସ୍ତା ନିର୍ମାଣ କରୁଥିଲା। ଏହାକୁ ଲୋକେ ବିରୋଧ କରୁଛନ୍ତି।

