Dailyhunt
ମାଙ୍କିଡିଆ ଆଦିବାସୀଙ୍କ ପାଇଁ ନିର୍ମାଣ କଲୋନୀ ହସ୍ତାନ୍ତର ପୂର୍ବରୁ କାନ୍ଥ ଫାଟି ଆଁ କରିଛି, ବ୍ୟାପକ ଦୁର୍ନୀତି ଅଭିଯୋଗ

ମାଙ୍କିଡିଆ ଆଦିବାସୀଙ୍କ ପାଇଁ ନିର୍ମାଣ କଲୋନୀ ହସ୍ତାନ୍ତର ପୂର୍ବରୁ କାନ୍ଥ ଫାଟି ଆଁ କରିଛି, ବ୍ୟାପକ ଦୁର୍ନୀତି ଅଭିଯୋଗ

ନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାରେ ଅବହେଳିତ ଅବସ୍ଥାରେ ରହିଥିବା ମାଙ୍କିଡିଆ ଆଦିବାସୀଙ୍କ ଥଇଥାନ ପାଇଁ ପୂର୍ବ ସରକାର ଉଦ୍ୟମ ଆରମ୍ଭ କରିଥିଲେ । ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଏକ କଲୋନୀ କରି ଥଇଥାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ କଲୋନୀ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିଛି ।

ହିତାଧିକାରୀଙ୍କୁ ଘର ହସ୍ତାନ୍ତର ପୂର୍ବରୁ ଘରକାନ୍ଥ ଫାଟି ଆଁ କରିଛି । ଫଳରେ ଏହି କଲୋନୀରେ ରହିବାକୁ ରାଜି ହେଉନାହାନ୍ତି ମାଙ୍କିଡ଼ିଆ ଲୋକ ।

କାଳିଆପାଣି ଖଣି ଅଞ୍ଚଳର ମହ୍ଲାରସାହି । ଏହି ଅଞ୍ଚଳରେ କାହିଁ କେଉଁ କାଳରୁ ବସବାସ କରୁଛନ୍ତି ମାଙ୍କିଡିଆ ଆଦିବାସୀ । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେମାନେ ଅତି ଦୟନୀୟ ଅବସ୍ଥାରେ ଭଙ୍ଗା କୁଡିଆରେ ରହୁଛନ୍ତି । ତେଣୁ ପୂର୍ବ ସରକାର ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତର କୁସୁମୁଣ୍ଡିଆରେ ଏକ କଲୋନୀ ନିର୍ମାଣ ଆରମ୍ଭ କରିଥିଲେ । ଏନେଇ ପ୍ରଥମ ପର୍ଯ୍ୟାୟ ଟେଣ୍ଡରରେ ୩ କୋଟି ୨୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ହୋଇଥିଲା । ପ୍ରକଳ୍ପ ଅବଧି ୨୦୧୯ ମସିହା ଫେବୃଆରି ୨୨ ତାରିଖରୁ ୨୦୨୦ ମସିହା ଫେବୃଆରି ୨୧ ପର୍ଯ୍ୟନ୍ତ ଥିଲା । ହେଲେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳିଥିଲା । ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରି କାର୍ଯ୍ୟାଦେଶ ବାତିଲ କରାଯାଇଥିଲା । ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଏବେ କଲୋନୀର ୭୫ଟି ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରାଯିବା ସହ ଆଉ ୧୧ଟି ଘର ନୂଆ ତିଆରି ହୋଇଛି । ଏହା ସହ ଶୌଚାଳୟ ଓ ଗୋଷ୍ଠୀକେନ୍ଦ୍ର ନିର୍ମାଣ ଜାରି ରହିଛି ।

ତେବେ ସଦ୍ୟ ମରାମତି ଓ ରଙ୍ଗବୋଳା ଘର ଗୁଡ଼ିକର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ କଲୋନୀର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ବଡ଼ ପରିବାର ପାଇଁ ଏହି ଛୋଟ ଘର ପର୍ଯ୍ୟାପ୍ତ ନୁହେଁ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ରହିଛି । ଘର ଗୁଡିକର ଏପରି ଅବସ୍ଥା ଦେଖି ମାଙ୍କିଡ଼ିଆ ଲୋକମାନେ ଏଠାରେ ରହିବାକୁ ରାଜି ହେଉନାହାନ୍ତି । ତେଣୁ ସରକାର ଯଦି ଘର ଦେବାକୁ ଚାହୁଁଛନ୍ତି, ତେବେ ବର୍ଷ ବର୍ଷ ଧରି ସେମାନେ ରହୁଥିବା ମହ୍ଲାରସାହିରେ ହିଁ ଥଇଥାନ କରନ୍ତୁ ବୋଲି ମାଙ୍କିଡିଆ ଲୋକେ ଦାବି କରିଛନ୍ତି । ଏହାର ତଦନ୍ତ କରାଯାଇ ସମାଧାନ କରାଯିବା ସହ ମାଙ୍କିଡିଆ ଆଦିବାସୀଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି । ସରକାର ତୁରନ୍ତ ମାଙ୍କିଡିଆ ଆଦିବାସୀଙ୍କ ଦାବିକୁ ବିଚାର କରି ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡ଼ିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV