Sunday, 24 Jan, 6.02 pm ନନ୍ଦିଘୋଷ TV

ହୋମପେଜ୍
ନୂତନ କୃଷି ଆଇନରେ କ'ଣ ରହିଛି ତ୍ରୁଟି, ହରଡଘଣାରେ ପଡିବ କି ବିଜେପି ?

ନୂଆଦିଲ୍ଲୀ: କୃଷକମାନଙ୍କର ଆନ୍ଦୋଳନ ପ୍ରଥମ ପ୍ରତିବାଦ ନୁହେଁ, କିମ୍ବା ଶେଷ ଆନ୍ଦୋଳନ ମଧ୍ୟ ହେବନାହିଁ । କିନ୍ତୁ ସଂପ୍ରତି ଚାଲିଥିବା କୃଷକ ଆନ୍ଦୋଳନ ନିଶ୍ଚିତରୂପେ ଏକଥା ନିର୍ଦ୍ଧାରଣ କରିବ ଯେ ଅନ୍ନଦାତାମାନେ କିପରି ଭାବରେ ସେମାନଙ୍କ ସମସ୍ୟା ସମାଧାନ କରୁଛନ୍ତି । ଆଜି, ଆମ ଦେଶରେ ବିଦେଶୀ ଶାସକ ନାହାନ୍ତି । ଆମ ନିଜ ସରକାର ଚାଲିଛି । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ କୃଷକ ଓ କୃଷିଜାତ ଦ୍ରବ୍ୟ ପ୍ରସଙ୍ଗ ଓ ସମସ୍ୟାର ଏକ ସମାଧାନ ବାହାର କରାଯିବାର ସମୟ ଆସିଛି । ଏହା ଏବେ ଆଉ କେବଳ କୃଷକମାନଙ୍କର ଆନ୍ଦୋଳନ ହୋଇ ରହିନାହିଁ, ବରଂ ସାମଗ୍ରିକ ଭାବେ ଏକ ଜନ ଆନ୍ଦୋଳନର ରୂପ ନେଇ ସାରିଲାଣି । ମଜରୁହ ସୁଲତାନପୁରୀଙ୍କ ଏକ କବିତାରେ ସେ ଲେଖିଛନ୍ତି, ମୈଁ ଐକେଲା ହିଁ ଚଲାଥା ଜାନିବ-ଏ-ମଞ୍ଜିଲ, ମଗର ଲୋକ ସାଥ ଆତେ ଗୟେ ଔର କାରୱାଁ ବନତା ଗୟା । (ମୁଁ ଏକୁଟିଆ ହିଁ ଲକ୍ଷ୍ୟ ସ୍ଥଳ ପାଇଁ ବାହାରିଥିଲି, କିନ୍ତୁ ଲୋକେ ମୋ ସହଯୋଗ ଦେଇ ଚାଲିଲେ ଏବଂ ତାହା ପଥିକମାନଙ୍କର ଏକ ବିଶାଳ ଶୋଭାଯାତ୍ରା ପାଲଟିଗଲା!) ଏହା ହିଁ ଆଜି କୃଷକ ଆନ୍ଦୋଳନ ସ୍ଥଳୀରେ ଦେଖିବାକୁ ମିଳିଛି ଏବଂ ଏହା ଦିନକୁ ଦିନ ବିଶାଳ ରୂପ ନେଉଛି ଏହାକୁ ଗଣତନ୍ତ୍ରର ସରକାର ଭୁଲିଯିବା ଉଚିତ୍ ନୁହେଁ ।

ଅର୍ଥନୈତିକ କହିବେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ କେବଳ କେତେକ ଧନୀ କୃଷକଙ୍କୁ ଅଧିକ ଧନୀ କରେ । ସେମାନଙ୍କର ମିଛ କଥା କିମ୍ବା ଅର୍ଦ୍ଧସତ୍ୟକୁ ଆଦୌ କାନ ଦିଅନ୍ତୁ ନାହିଁ । ଅବଶ୍ୟ ଏକଥା ସତ ଯେ କେବଳ କିଛି ଭାଗ୍ୟବାନ କୃଷକ ହିଁ ସେମାନଙ୍କର ସବୁତକ ତଥା ଅଧିକାଂଶ ଶସ୍ୟକୁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସଂଗ୍ରହ ମୂଲ୍ୟ (ଏମଏସପି) ରେ ବିକ୍ରି କରିପାରନ୍ତି । କିନ୍ତୁ ସରକାରଙ୍କ ଦ୍ୱାରା ଘୋଷାଣା କରାଯାଇଥିବା ସର୍ବନିମ୍ନ ସଂଗ୍ରହ ମୂଲ୍ୟ ସାରାଦେଶରେ କୃଷିଜାତ ସାମଗ୍ରୀକୁ ନେଇ କରାଯାଉଥିବା ସମସ୍ତ ପ୍ରକାରର ବ୍ୟବସାୟ ପାଇଁ ଏକ ସଂକେତ ରୂପେ କାର୍ଯ୍ୟ କରେ । ଏହା ଘଟେ କିପରି? ଯଦିଓ ଅଧିକାଂଶ ପ୍ରଦେଶରେ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ କୃଷିଜାତ ବିପଣନ ସାମଗ୍ରୀ କମିଟି ମଣ୍ଡିର ଘୋର ଅଭାବ ରହିଛି ତଥାପି ଯେଉଁ ଅଳ୍ପ କେତୋଟି ମଣ୍ଡି ଗୋଟିଏ ପ୍ରଦେଶରେ ଅଛନ୍ତି, ସେଗୁଡ଼ିକ ମାଧ୍ୟମରେ ରାଜ୍ୟରେ ଉତ୍ପାଦିକ ଅଧିକାଂଶ ଫସଲ ବିକ୍ରି ହୋଇଥାଏ । କୃଷକମାନେ ନିଜେ ଏହି ମଣ୍ଡିରେ ସେମାନଙ୍କର ଉତ୍ପାଦ ବିକ୍ରି କରିବାରେ ବ୍ୟର୍ଥ ହୋଇପାରନ୍ତି, ମାତ୍ର ସ୍ଥାନୀୟ ଖାଦ୍ୟଶସ୍ୟ ବ୍ୟବସାୟୀମାନେ ଏହି ମଣ୍ଡି ବ୍ୟବସ୍ଥାର ପୂର୍ଣ୍ଣ ସୁଯୋଗ ନିଅନ୍ତି । ଫସଲ ଅମଳ ହେବା ସଙ୍ଗେ ସଙ୍ଗେ ଛୋଟ ଚାଷୀମାନଙ୍କର ଅର୍ଥ ଆବଶ୍ୟକ । ତେଣୁ ସେମାନେ ତାଙ୍କର ଫସଲକୁ ସ୍ଥାନୀୟ ଖାଦ୍ୟଶସ୍ୟ ବ୍ୟବସାୟକୁ ବିକ୍ରି କରିଦିଅନ୍ତି । ବ୍ୟବସାୟୀମାନେ ସେହି ଅଞ୍ଚଳର ସବୁତକ ଫସଲ କିଣିନିଅନ୍ତି ଏବଂ ସରକାରୀ ଭାବେ ଖାଦ୍ୟଶସ୍ୟ ସଂଗ୍ରହ ଆରମ୍ଭ ହେବା ପର୍ଯ୍ୟନ୍ତ ତାହାକୁ ଗଚ୍ଛିତ ରଖନ୍ତି ।

ଏହି ବ୍ୟବସାୟୀମାନଙ୍କର ବଜାରରେ ଭଲ ସଂଯୋଗ ଥିବା କାରଣରୁ ସେମାନେ ଖାଦ୍ୟଶସ୍ୟ କିଣିବା ପାଇଁ ଅର୍ଥ ସଂଗ୍ରହ କରିପାରନ୍ତି, ଗୋଦାମ ଭଡ଼ାରେ ନେଇପାରନ୍ତି ଏବଂ ପରବର୍ତ୍ତୀ ସମୟରେ ବିପୁଳ ପରିମାଣର ଗହମ, ଧାନ,ଡ଼ାଲି ଓ ତୈଳବୀଜ ପରିବହନ କରିଥାଆନ୍ତି । ଖାଦ୍ୟଶସ୍ୟକୁ କିଛି ଦିନ ପାଇଁ ଧରି ରଖିବାର କ୍ଷମତା ଏହି ବ୍ୟବସାୟୀମାନଙ୍କର ଥାଏ, ଯାହାକି ଛୋଟ ଓ ମଧ୍ୟମ ଚାଷୀମାନଙ୍କଠାରେ ନ\'ଥାଏ । ଭାରତୀୟ ଖାଦ୍ୟ ନିଗମ (ଏଫ.ସି.ଆଇ) ଶସ୍ୟ କିଣିବା ଆରମ୍ଭ କରିବା ପରେ ଏହି ବ୍ୟବସାୟୀମାନେ ସେମାନଙ୍କ ନିକଟରେ ଥିôବା ଖାଦ୍ୟଶସ୍ୟର ଗୋଟିଏ ଅଂଶ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୀ କରିଦେଇ ଥାଆନ୍ତି । ଏହା ସେମାନଙ୍କ ପାଇଁ ଏକପ୍ରକାର ବୀମା ଭଳି କାମ କରିଥାଏ । ଏହା ଦ୍ୱାରା ସେମାନେ ପୁଞ୍ଜି ସଂଗ୍ରହ, ପରିବହନ ଏବଂ ଗୋଦାମରେ ଗଚ୍ଛିତ ରଖିବା ବାବଦକୁ ଖର୍ଚ୍ଚର ଭରଣାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ବେଶ୍ କିଛି ଲାଭ ମଧ୍ୟ କରିଥାଆନ୍ତି । ଖୋଲା ବଜାରରେ ଖାଦ୍ୟଶସ୍ୟର ମୂଲ୍ୟ କମିଗଲେ ମଧ୍ୟ କୃଷି ବ୍ୟବସାୟୀଙ୍କର ବିଶେଷ କ୍ଷତି ହୁଏ ନାହିଁ ।

ଏକଥା ସୁନିଶ୍ଚିତ ଯେ, ବ୍ୟବସାୟୀମାନେ ଯେଉଁମାନଙ୍କଠାରୁ ଖାଦ୍ୟସାମଗ୍ରୀ କିଣନ୍ତି ସେମାନଙ୍କୁ ଏକ ସ୍ଥିରମୂଲ୍ୟ ଦେବାରେ ସମର୍ଥ ହୋଇଥାଆନ୍ତି । ଯଦି ଖାଦ୍ୟଶସ୍ୟ ବ୍ୟବସାୟୀମାନଙ୍କୁ ସାରା ବିଶ୍ୱରେ ଚାଲିଥିବା କୃଷିଜାତ ଦ୍ରବ୍ୟର ବଜାରରେ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡ଼ୁଥାଆନ୍ତା, ତେବେ କ୍ଷୁଦ୍ର ଚାଷୀମାନେ ସେମାନଙ୍କ ଉତ୍ପାଦ ସକାଶେ ଆହୁରି କମ୍ ମୂଲ୍ୟ ପାଉଥାଆନ୍ତେ । ଯେଉଁ ଫସଲଗୁଡ଼ିକୁ ସରକାରୀ ଭାବେ ସଂଗ୍ରହ କରାଯାଏ ନାହିଁ ସେଗୁଡ଼ିକର ଦୃଷ୍ଟାନ୍ତରୁ ଏକଥା ବେଶ୍ ସ୍ପଷ୍ଟ ହୋଇଯାଏ ।
ପନିପରିବା ହେଉଛି ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ । ପନିପରିବା କ୍ଷେତ୍ରରେ କୌଣସି ନିର୍ଦ୍ଧାରିତ ମୂଲ୍ୟ ନ'ଥାଏ । ତେଣୁ କୃଷକମାନେ ଖୋଲା ବଜାରରେ ମୂଲ୍ୟର ତାରତମ୍ୟ ଦ୍ୱାରା ପ୍ରଭାବିତ ହୁଅନ୍ତି । ସେଇଥିପାଇଁ ଆମେ ଶୁଣୁ ଯେ କୃଷକମାନେ କିଲୋଗ୍ରାମ ପ୍ରତି ମାତ୍ର ଟଙ୍କାଏରେ ପିଆଜ ବିକ୍ରି କରୁଥିବା ବେଳେ ଖାଉଟି ସେହି ଏକ କିଲୋ ପିଆଜ ପାଇଁ ୩୦ଟଙ୍କା ଏବଂ ବେଳେବେଳେ ୧୦୦ଟଙ୍କା ମଧ୍ୟ ଦେବାର ଦୃଷ୍ଟାନ୍ତ ରହିଛି । ସେହି ଏକା କାରଣରୁ ଆମେ ରାସ୍ତା ଉପରେ ଟମାଟୋ, କୋବି ଏବଂ ଅନ୍ୟାନ୍ୟ ପରିବା ଗଦା ହୋଇଥିବାର ଦେଖୁ, କାରଣ ସେମାନେ ଏଭଳି ପନିପରିବା ବିକ୍ରି କରି ତାର ପରିବହନ ମୂଲ୍ୟ ମଧ୍ୟ ପାଇପାରନ୍ତି ନାହିଁ ।

ସାରା ଜଗତରେ କୃଷିର ଅଭିଜ୍ଞତା ଏକଥା କୁହେ, ଯୋଗାଣ ଓ ଚାହିଦାର ପାରମ୍ପରିକ ପ୍ରକ୍ରିୟା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରେନାହିଁ । ସେଇଥି ପାଇଁ ବିକଶିତ ପୁଞ୍ଜିବାଦୀ ବିଶ୍ୱ ମଧ୍ୟ ଏହାର କୃଷକମାନଙ୍କୁ ରିହାତି ପ୍ରଦାନ କରେ । ଯଦିଓ ଏହି ବିଶ୍ୱରେ ମୁକ୍ତ ବଜାର ଅର୍ଥନୀତିର ହିଁ ପ୍ରଭାବ ରହିବା କଥା, ଯାହା ରିହାତିକୁ ବିରୋଧ କରେ । ଏହାର କାରଣ ହେଲା, କୃଷିର ନିଜସ୍ୱ ନିର୍ଦ୍ଦିଷ୍ଟ ସମୟ ଅଛି ଏବଂ ଏକ ନିର୍ଦ୍ଦିଷ୍ଟ ଛନ୍ଦ ରହିଛି, ଯାହାକୁ ମେସିନ ଦ୍ୱାରା ନିୟନ୍ତ୍ରିତ କରାଯାଇ ପାରିବ ନାହିଁ । କାରଖାନାଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ, ଏପରିକି ଦିନକରୁ ମଧ୍ୟ କମ୍ ସମୟରେ ସାମଗ୍ରୀମାନ ପ୍ରସ୍ତୁତ କରିପାରନ୍ତି । ତେଣୁ ସେମାନେ ଚାହିଦାରେ କିମ୍ବା ଯୋଗାଣରେ ପରିବର୍ତ୍ତନକୁ ଦେଖି ତୁରନ୍ତ ସେମାନଙ୍କ ପ୍ରତିକ୍ରିୟା ପ୍ରଦର୍ଶନ କରିପାରନ୍ତି ।

ପୂର୍ବ ଋତୁର ଚାହିଦାକୁ ବିଚାରକୁ ନେଇ କୃଷକ ମଞ୍ଜି ବୁଣିବା ଆରମ୍ଭ କରେ । ଏପରିକି ସବୁଠାରୁ ଜ୍ଞାନୀ ଯିଏକି ବିଶ୍ୱବ୍ୟାପୀ ଚାହିଦାର ଖବର ରଖେ ସିଏ ମଧ୍ୟ କେଇ ଏକର ଜମିରେ ମଞ୍ଜି ବୁଣିଥାଏ । ଫସଲ ବଢି ଅମଳ ହେବା ମଧ୍ୟରେ କେଇ ସପ୍ତାହରେ ଯଦି ଯୋଗାଣ କିମ୍ବା ଚାହିଦାରେ ପରିବର୍ତ୍ତନ ଘଟେ ତେବେ କୃଷକର ସେ କ୍ଷେତ୍ରରେ କିଛି ହେଲେ କରିବାର ନାହିଁ । ଏହି କାରଣ ଯୋଗୁଁ କୃଷି କ୍ଷେତ୍ରରେ ଯୋଗାଣ ଓ ଚାହିଦା ମଧ୍ୟରେ ଥିବା ତାରତମ୍ୟର ପ୍ରତିକାର କରାଯାଇ ପାରେ ନାହିଁ । ଋତୁଭିତ୍ତିକ ପାର୍ଥକ୍ୟ, ପାଣିପାଗର ପରିବର୍ତ୍ତନ ଏବଂ ଦୈବ ଦୁର୍ବିପାକ ଯୋଗୁଁ ଯୋଗାଣ ଓ ଚାହିଦା ମଧ୍ୟରେ ସଂଘାତ ଲାଗି ରହିଥାଏ । ଏପରି ପରିସ୍ଥିତିରେ କେବଳ ସରକାରଙ୍କ ସ୍ଥିର ମୂଲ୍ୟର ପ୍ରତିଶ୍ରୁତି (ଏମଏସପି) ହିଁ କୃଷକମାନଙ୍କ ପାଇଁ ଏକ ନିୟମିତ ରୋଜଗାରକୁ ସୁନିଶ୍ଚିତ କରିପାରିବ । ଏହା ନ' ହେଲେ ହଠାତ୍ ବଜାରରେ ଯୋଗାଣ ଆଶାତୀତ ଭାବେ ବୃଦ୍ଧି ପାଇଲେ ତାହା କୃଷକମାନଙ୍କୁ ଦେବାଳିଆ କରି ଦେଇପାରେ । ଏବଂ ଆମେ ଏକଥା ଜାଣିଛୁ ଯେଉଁ ଅଞ୍ଚଳରେ କୃଷକ ଏ.ପି.ଏମ୍.ସି ମଣ୍ଡିରେ ସେମାନଙ୍କ ଉତ୍ପାଦ ବିକ୍ରୀ କରିପାରନ୍ତି ନାହିଁ କିମ୍ବା ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ନାହିଁ ସେହି ଅଞ୍ଚଳରେ ଏପରି ଘଟଣା ଘଟେ । ସେମାନେ ଫସଲ ଋତୁ ଆରମ୍ଭରେ ନେଇଥିବା କୃଷି ଋଣ ପରିଶୋଧ କରିବାରେ ଅସମର୍ଥ ହୁଅନ୍ତି । ମାଇକ୍ରୋ ଫାଇନାନ୍ସ, ଗାଁ ସାହୁକାର ଓ ବ୍ୟାଙ୍କମାନେ ସେମାନେ ଦେଇଥିବା ଋଣ ଫେରିପାଇବା ପାଇଁ କୃଷକମାନଙ୍କ ଉପରେ ଚାପ ପକାନ୍ତି । ବେଳେ ବେଳେ କୃଷକମାନେ ଏତେ ବେଶି ଋଣଭାର ସହିନପାରି ସେମାନେ ଶେଷରେ ଆତ୍ମହତ୍ୟା କରନ୍ତି ।

କେବଳ ସରକାର ଓ ଏମଏସପି କୃଷକମାନଙ୍କ ବଜାର ବ୍ୟବସ୍ଥାର ବିଭିନ୍ନ ଶୋଷଣକାରୀ ଶକ୍ତିର କବଳରୁ ରକ୍ଷା କରିପାରିବେ । ତାହା କେବଳ ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ସରକାର ପୂର୍ବ ଘୋଷିତ ସର୍ବନିମ୍ନ ସଂଗ୍ରହ ମୂଲ୍ୟରେ କୃଷିଜାତ ଦ୍ରବ୍ୟ ସଂଗ୍ରହ କରିବେ । ଯେତେ ବଡ଼ କୃଷି ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ବ୍ୟବସାୟୀ ଏକଥା କରିବା ସମ୍ଭବ ନୁହେଁ । କେବଳ ଅର୍ଥନୀତି ପୁସ୍ତକର ଦୁନିଆରେ ଏକଥା ସମ୍ଭବ ହୋଇପାରିବ । କେବଳ ସେହି ଦୁନିଆରେ ହିଁ ଯଦି କୃଷି ବ୍ୟବସାୟକୁ ସମସ୍ତଙ୍କ ପାଇଁ ମୁକ୍ତ କରି ଦିଆଯାଏ, ତେବେ କୃଷକମାନଙ୍କ ପାଖରେ ବାଛିବା ପାଇଁ ଅନେକଗୁଡ଼ିଏ କ୍ରେତାଙ୍କର ବିକଳ୍ପ ରହିବ । ଏହା ଫଳରେ ସେମାନେ ସେମାନଙ୍କର ଉତ୍ପାଦ ପାଇଁ ଅଧିକ ମୂଲ୍ୟ ଦାବୀ କରିପାରିବେ ଏବଂ ଶେଷରେ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ସେମାନେ ଅଧିକ ମୂଲ୍ୟ ପାଇପାରିବେ ।

କୃଷିଜାତ ଦ୍ରବ୍ୟ ସଂଗ୍ରହ ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା । ଏହି ଜଟିଳତା ଏକଥା ସୁନିଶ୍ଚିତ କରିବ ଯେ କେତେକ ବଡ଼ ଧରଣର କୃଷି ବ୍ୟବସାୟ କମ୍ପାନୀମାନେ, ବର୍ତ୍ତମାନର ଖାଦ୍ୟଶସ୍ୟ କାରବାର କରୁଥିବା ବ୍ୟବସାୟୀମାନଙ୍କର ନେଟୱାର୍କକୁ ନିଜ ସହ ସାମିଲ କରିନେବେ, ଏବଂ ଖୁବ୍ ଶୀଘ୍ର ବଜାରକୁ ନିଜ ନିୟନ୍ତ୍ରଣକୁ ନେଇଯିବେ । ଯେଉଁ କୃଷି ବ୍ୟବସାୟ କମ୍ପାନୀ ପ୍ରଥମେ ସଫଳତାର ସହ ଏକଥା କରିପାରିବ ସେହି କମ୍ପାନୀ ବଜାରରେ ଏକାଧିପତ୍ୟ ଜାହିର କରିବ ବା ଏକଚାଟିଆ କାରବାର କରିବ । ଏପରି କମ୍ପାନୀ ବଜାରରେ ଏକତରଫା ଭାବେ ମୂଲ୍ୟ ନିର୍ଦ୍ଧାରଣ କରିବ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ସେମାନଙ୍କୁ ଉତ୍ପାଦର ମୂଲ୍ୟ ସୁରକ୍ଷା ନ\'ଦେବା କାରଣରୁ କୃଷକମାନଙ୍କ ପାଇଁ ଆଉ କୌଣସି ଉପାୟ ନ\'ଥିବ । ବର୍ତ୍ତମାନ ଯେଉଁ ବ୍ୟବସାୟୀମାନେ ସରକାରୀ ଫସଲ ସଂଗ୍ରହ ବ୍ୟବସ୍ଥା ଯୋଗୁଁ ଛୋଟ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ କେତେକାଂଶରେ ସ୍ଥିରମୂଲ୍ୟ ପ୍ରଦାନ କରୁଛନ୍ତି, ପରିବର୍ତ୍ତିତ ପରିସ୍ଥିତିରେ ସେମାନେ କଠୋର ହୋଇଯିବେ ଏବଂ ବଡ଼ କମ୍ପାନୀଗୁଡ଼ିକର ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇଯିବେ । ଭାରତର ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଥିବା ଶୋଷଣମୂଳ ସଂପର୍କ ଓ ବ୍ୟବସ୍ଥା ଜାରି ରହିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟର ଜୀବନତରୀକୁ କୃଷକମାନଙ୍କଠାରୁ ଛଡ଼େଇ ନିଆଯିବ । କୃଷକମାନଙ୍କର ଜୀବନ ଓ ଜୀବିକା ଅସୁରକ୍ଷିତ ହୋଇପଡ଼ିବ ।

ମୋଦି ସରକାର ଯଦି ପ୍ରକୃତପକ୍ଷେ କୃଷକମାନଙ୍କର ରୋଜଗାର ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି, ତେବେ ଏହା ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ କୃଷି ଉତ୍ପାଦ ସଂଗ୍ରହକୁ ଅକାମୀ କରିବା ବଦଳରେ ଆହୁରି ଦୃଢ କରିଥାଆନ୍ତେ । ଏଥିପାଇଁ ସରକାର ଯଥେଷ୍ଟ ସଂଖ୍ୟକ ଏ.ପି.ଏମ୍.ସି ମଣ୍ଡି ସ୍ଥାପନ କରିଥାଆନ୍ତେ, ଏପି.ଏମ୍.ସିକୁ ଦୁର୍ବଳ କରିଦେଇ ନଥାନ୍ତେ । ଏ.ପି.ଏମ୍.ସି ଗୁଡ଼ିକରେ ରହିଥିବା ବିଭିନ୍ନ ପ୍ରକାରର ଦୋଷ ଦୁର୍ବଳତାକୁ ଠିକ୍ କରାଯିବ ଦିଗରେ ପଦକ୍ଷେପ ନେଇଥାଆନ୍ତେ, ଏବଂ ଏଗୁଡ଼ିକ ଉପରେ ବଡ଼ ଚାଷୀମାନଙ୍କର ନିୟନ୍ତ୍ରଣକୁ କିପରି ହ୍ରାସ କରାଯାଇପାରିବ ସେଥିପାଇଁ ଉଦ୍ୟମ କରିଥାଆନ୍ତେ । ଏସବୁ ନକରି ସରକାର କେନ୍ଦ୍ର ସରକାର କୃଷକମାନଙ୍କୁ ବଜାର ବ୍ୟବସ୍ଥାର ଦୟାରେ ବଞ୍ଚିବାକୁ ଛାଡ଼ି ଦେଇଛନ୍ତି । ବିଶ୍ୱବ୍ୟାପୀ ଏକଥା ଦେଖାଯାଇଛି ଯେ ଏପରି ପରିବର୍ତ୍ତନ କୃଷକମାନଙ୍କର ପରିସ୍ଥିତିକୁ କେବଳ ଅଧିକ ଖରାପ ହିଁ କରିଛି । ସବୁଠାରୁ ବେଶୀ ଦୁଃଖ ଦୁର୍ଦ୍ଦଶା କୃଷି ଶ୍ରମିକ ଭୋଗ କରିଛନ୍ତି ।

କୃଷିଜାତ ଦ୍ରବ୍ୟର ମୂଲ୍ୟ ଢାଞ୍ଚାକୁ ଭଲଭାବରେ ତର୍ଜମା କଲେ କେଉଁଠାରେ ସମସ୍ୟା ରହିଛି ସେକଥା ବେଶ ସ୍ପଷ୍ଟ ହୋଇଯିବ । କୃଷକମାନଙ୍କର ଫସଲ ବିକ୍ରିରୁ ଯାହା କିଛି ସଂଗ୍ରହ କରାଯାଏ, ସେ ସବୁକୁ ଶେଷରେ ଖାଉଟୀକୁ ଯଥେଷ୍ଟ ଚଢା ମୂଲ୍ୟରେ ବିକ୍ରୀ କରାଯାଏ । ମାତ୍ର ଖାଉଟୀ ଯେଉଁ ମୂଲ୍ୟରେ ସାମଗ୍ରୀ ଖରିଦ କରେ କୃଷକ ସେହି ମୂଲ୍ୟର ମାତ୍ର ୧୦ ରୁ ୪୦% ପର୍ଯ୍ୟନ୍ତ ହିଁ ପାଇଥାଏ । ଏହାର କାରଣ ହେଲା ଉତ୍ପାଦିତ ସାମଗ୍ରୀ ଶେଷତମ ଖାଉଟୀ ପାଖରେ ପହଞ୍ଚିବା ପୂର୍ବରୁ ଚାରି ପାଞ୍ଚ ଥାକରେ ବ୍ୟବସାୟୀମାନଙ୍କ ହାତରେ ଲାଗିଥାଏ । " ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଉତ୍ପାଦନକାରୀ ନାମକୁ ମାତ୍ର ମୂଲ୍ୟ ପାଉଥିବା ବେଳେ ବ୍ୟବସାୟୀମାନେ ହିଁ ସବୁତକ ଲାଭ ପାଇଥାଆନ୍ତି । ଏହି ମଧ୍ୟସ୍ଥ ବ୍ୟବସାୟୀମାନଙ୍କୁ ଲୋପ କରିଦେଲେ ମଧ୍ୟ ଏହା ଫଳପ୍ରଦ ହୋଇ ନ' ପାରେ । କାରଣ ଏପରି କଲେ କମ୍ପାନୀମାନେ କୃଷିଜାତ ଦ୍ରବ୍ୟର ବଜାରକୁ ସେମାନଙ୍କର ଏକଚାଟିଆ ବଜାରରେ ପରିବର୍ତ୍ତନ କରିଦେଇ ପାରନ୍ତି । ଏପରି କ୍ଷେତ୍ରରେ କୃଷକମାନଙ୍କର ଏହି ବଡ଼ କମ୍ପାନୀଗୁଡ଼ିକ ସହ ମୂଲଚାଲ କରିବାର କ୍ଷମତା ରହିବନାହିଁ ।

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନକ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନକ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Nandi Ghosa TV
Top