Monday, 25 Jan, 10.50 am NEWS7

ହୋମ
ଏଲଏସିରେ ପୁଣି ରକ୍ତାକ୍ତ ସଙ୍ଘର୍ଷ, ୨୦ ଚୀନ୍ ସୈନ୍ୟ ଆହତ, ଭାରତୀୟ ସୀମାରେ ଧସେଇ ପଶିବାକୁ ଚାହୁଁଥିଲେ

ନୂଆଦିଲ୍ଲୀ,୨୫।୦୧: ପୂର୍ବ ଲଦାଖର ଏଲଏସିରେ ପୁଣି ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦେଶର ପ୍ରତିନିଧି ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବା ବେଳେ କିଛି ଚୀନ୍ ସୈନ୍ୟ ସିକ୍କିମରେ ଭାରତୀୟ ସୀମା ମଧ୍ୟରୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଯବାନ ଚୀନ ସୈନ୍ୟଙ୍କୁ ରୋକିଥିଲେ । ପରିସ୍ଥିତି ହାତାହାତି ଯାଏଁ ଯାଇଥିଲା । ଏଥିରେ ୪ ଭାରତୀୟ ଯବାନ ଓ ଚୀନର ୨୦ ସୈନ୍ୟ ଆହତ ହୋଇଛନ୍ତି ।ତେବେ ୩ ଦିନ ପୂର୍ବରୁ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।

ତେବେ ରବିବାର ଠାରୁ ଦୀର୍ଘ ୧୫ ଘଣ୍ଟା ଧରି ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଥିଲା । ଏହି ବୈଠକରେ ଭାରତ ଚୀନକୁ ରୋକଠୋକ ଶୁଣାଇଛି । ଚୀନ ପଛକୁ ହଟୁ । ଏହାଦ୍ୱାରା ହିଁ ଶାନ୍ତି ସମ୍ଭବ ବୋଲି ଭାରତ କହିଛି । ପୂର୍ବରୁ ମଧ୍ୟ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ବୈଠକ କରିଥିଲେ ବି ସମାଧାନର ବାଟ ବାହାରି ନଥିଲା ।

ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା । ସୂତ୍ରାନୁସାରେ, ଭାରତ ବୈଠକରେ କହିଥିଲା ଯେ, ଉଭୟ ଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବା ଦରକାର । ଏକତରଫା ଭାବେ କୌଣସି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଏଲଏସିରେ ଥିବା ସ୍ଥିତି ଫେରି ଆସୁ ବୋଲି ଭାରତ ଜୋର୍ ଦେଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top