ହୋମ
ମିଳିତ କୃଷକ ମଞ୍ଚର ବିବୃତ୍ତି : ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିବେ ସଙ୍ଗଠନ

ନୂଆଦିଲ୍ଲୀ ୨୭।୧: ମିଳିତ କିଷାନ ମୋର୍ଚ୍ଚା ୨୬ ଜାନୁୟାରୀ ଦିଲ୍ଲୀ ହିଂସାକୁ ନେଇ ବୁଧବାର ବିକ୍ଷୋଭସ୍ଥଳରେ ଜରୁରି ବୈଠକ କରିଛି। ବଲବୀର ସିଂହ ରାଜେୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪୧ ଟି ସଙ୍ଗଠନ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକ ପରେ ମୋର୍ଚ୍ଚା ଏକ ବିବୃତ୍ତି ଜାରି କରିଛି। ଏଥିରେ ଚାଷୀଙ୍କ ଆନ୍ଦୋଳନ ଦିଲ୍ଲୀରେ ଜାରି ରହିବ ବୋଲି କୁହାଯାଇଛି।
ବୈଠକରେ ଜାନୁୟାରୀ ୨୬ ଦିଲ୍ଲୀ ହିଂସାକାଣ୍ଡ ନେଇ ଆଲୋଚନା ହୋଇଥିଲା। ଏଥିରେ ଚାଷୀଙ୍କ ଆନ୍ଦୋଳନରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦୋହଲିଯାଇଥିବା ଓ ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା କୁହାଯାଇଛି। ଏଣୁ ମିଳିତ ମଞ୍ଚ ସଦସ୍ୟଙ୍କୁ ସତର୍କତାର ସହ ଆନ୍ଦୋଳନ ଜାରି ରହିବାକୁ କହିଛନ୍ତି। ଏଣୁ ଧାରଣା ସ୍ଥଳରେ ରହିବାକୁ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ କୁହାଯାଇଛି।
ଏଥିରେ କୃଷକ ଆନ୍ଦୋଳନର ୧୫ ଦିନପରେ ଯେଉଁ କୃଷକ ସଙ୍ଗଠନମାନେ ଅଲଗା ହୋଇ ବିକ୍ଷୋଭ ଆରମ୍ଭ କରିଥିଲେ ସେମାନେ ମିଳିତ କୃଷକମଞ୍ଚ ସହ ସଂସ୍ଲିଷ୍ଟ ନଥିଲେ ବୋଲି କୁହାଯାଇଛି। ଏଣୁ କୃଷକ ଟ୍ରାକ୍ଟର ପରେଡ ଘୋଷଣା କରିବାମାତ୍ରେ ଦୀପ ସିଦ୍ଧୁଙ୍କ ଭଳି ଲୋକେ ସେହି ସବୁ ସଙ୍ଗଠନଙ୍କ ସହ ମିସି ଆନ୍ଦୋଳନ ବିଫଳ କରିବାକୁ ଯୋଜନା କରିଥିଲେ ବୋଲି କୁହାଯାଇଛି।
ସେହିସବୁ କୃଷକ ସଙ୍ଗଠନ ରିଂ ରୋଡରେ ପରେଡ କରିବେ ବୋଲି ଯୋଜନା କରିବା ସହ କିଷାନ ମଜଦୂର ସଂଘର୍ଷ ସମିତିର ନିର୍ଦ୍ଧାରିତ କାର୍ଯ୍ୟସୂଚୀରୁ ବାହାରେ ଯାଇ କାର୍ଯ୍ୟକ୍ରମ କରିଥିଲେ। ଯାହାଦ୍ୱାରା ସେମାନେ ଦିଲ୍ଲୀ ପଶି ଉପଦ୍ରବ ଭିଆଇଲେ ବୋଲି କୁହାଯାଇଛି। ଏଣୁ ମିଳିତ କିଷାନ ମଞ୍ଚ ଓ ଏହାର ସହଯୋଗୀମାନେ ୨୬ ଜାନୁୟାରୀ ଦିଲ୍ଲୀ କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି।
ଏହି ବୈଠକରେ ରାଜେୱାଲଙ୍କ ସହ ଜଗଜିତ ସିଂହ ଡାଲେୱାଲ, ଦର୍ଶନ ପାଲ ଓ ଅନ୍ୟ ସମସ୍ତ ସଙ୍ଗଠନର ନେତା ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ୩ କଳା କୃଷି ଆଇନ ବିରୋଧରେ ଯେପରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା ସେହି ପରି ଆନ୍ଦୋଳନ ଜାରି ରହିବ ଓ ଆଇନ ପ୍ରତ୍ୟାହାର ହେଲେ ହିଁ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଛନ୍ତି।