Wednesday, 05 Aug, 4.18 pm NEWS7

ହୋମ
'ସମସ୍ତଙ୍କ ସ୍ନେହ ଓ ପ୍ରେମରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମ ମନ୍ଦିର ଦେବ ଭାଇଚାରାର ସନ୍ଦେଶ'

ଅଯୋଧ୍ୟା, ୦୫|୦୮: ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ କରିଛନ୍ତି । ପ୍ରାୟ ୫୦୦ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାନଗରୀ ପୁଲକିତ ହୋଇଛି । କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ସାକାର ହୋଇଛି । ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ସମ୍ପନ୍ନ ହେବା ସହ ମନ୍ଦିରର ଶୁଭାରମ୍ଭ ହୋଇଯାଇଛି । ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଉତ୍ସବକୁ ସମ୍ପନ୍ନ କରାଯାଇଛି । ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ପବିତ୍ର ଅଯୋଧ୍ୟା ମାଟିରୁ ଉଦବୋଧନ ଦେଇଛନ୍ତି ।

ମୋଦୀ କହିଛନ୍ତି ଯେ, ଯେପରି ଭାବେ ଦଳି, ପଛୁଆ, ଆଦିବାସୀ ଓ ସମସ୍ତ ବର୍ଗ ଦେଶର ସ୍ୱାଧିନତା ପାଇଁ ମହାତ୍ମା ଗାନ୍ଧିଙ୍କୁ ସମର୍ଥନ କରିଥିଲେ ସେହିପରି ସାରା ଦେଶର ଜନତା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରିଛନ୍ତି । ଫଳରେ ଏହି ପୂଣ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଏହା କେବଳ ଇତିହାସ ରଚିନାହିଁ ବରଂ ପୁଣି ଇତିହାସକୁ ଦୋହରାଯାଇଛି । ପଥରରେ ଶ୍ରୀରାମ ଲେଖାଯାଇ ରାମ ସେତୁ ନିର୍ମାଣ କରାଯାଇଥିଲା । ସେହିପରି ପ୍ରତି ଗ୍ରାମ, ସହରରୁ ଶ୍ରଦ୍ଧାପୂର୍ବକ ଶୀଳା ପ୍ରଦାନ କରାଯାଇଛି । ବିଶ୍ୱର ମୁସଲିମ ମହୁଳ ରାଷ୍ଟ୍ର ଇଣ୍ଡୋନେସିଆରେ ରାମଙ୍କ ଅନେକ ରୂପ ଦେଖିବାକୁ ମିଳିଥାଏ । ଭାରତ ବାହାରର ବିଭିନ୍ନ ଦେଶରେ ରାମଙ୍କ କଥା ରହିଛି । ସେହି ସବୁଦେଶର ଲୋକମାନେ ମଧ୍ୟ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ଦେଖିଥିବେ । ଅଗଷ୍ଟ ୧୫ ଯେପରି ସ୍ୱାଧିନତା ଦିବସ ଭାବେ ପାଳନ କରୁଛେ ସେଭଳି ଅଗଷ୍ଟ ୫ ମଧ୍ୟ ମନେ ରହିବ ।

ମୋଦୀ ଆହୁରି କହିଛନ୍ତି ଯେ, ଭାରତ ବିଶ୍ୱ ଦରବାରରେ କିପରି ପ୍ରସିଦ୍ଧି ଲାଭ କରିବ ତାହା ବର୍ତ୍ତମାନ ଓ ଉତ୍ତର ପୀଢିର ଦାୟିତ୍ୱ । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭାରତର ସଂସ୍କୃତିକୁ ବିଶ୍ୱ ଦରବାରରେ ପହଁଚାଇବ । ଏପରି ବିଶ୍ୱାସ ଅଛି । ଏହି ମନ୍ଦିର ମାନବତାକୁ ପ୍ରେରଣା ଦେବ । ରାମ ସମସ୍ତଙ୍କର ଓ ସମସ୍ତଙ୍କଠାରେ ରହିଛନ୍ତି । ସମସ୍ତଙ୍କର ସ୍ନେହ, ପ୍ରେମ ଓ ଭାଇଚାରା ଦ୍ୱାରା ମନ୍ଦିରର ଶୀଳାକୁ ଯୋଡିବାକୁ ହେବ ।ଯେତେବେଳେ ରାମଙ୍କ ନାଁକୁ ଗ୍ରହଣ କରାଯାଇଛି ସେତେବେଳେ ବିକାଶ ହୋଇଛି । ସମସ୍ତଙ୍କ ଭାବନାକୁ ଧ୍ୟାନରେ ରଖିବାକୁ ହେବ । ରାମଙ୍କ ଦ୍ୱାରା ପ୍ରଦତ୍ତ ମର୍ଯ୍ୟାଦାର ରାସ୍ତା ଜରୁରୀ ଅଟେ ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଶହଶହ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ସାରା ଦେଶ ଆଜି ଭାବବିହ୍ୱଳ ହୋଇଛି । ଏହାପରେ ଏକ ଡାକ ଟିକେଟ୍ ଜାରୀ କରିଥିଲେ । କାର୍ଯ୍ୟକ୍ରମର ସମାପ୍ତି ପରେ ମୋଦୀ ଅଯୋଧ୍ୟାରେ ଲକ୍ଷ୍ମୌ ଫେରିଯିବେ । ଏଠାରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top