ହୋମ
ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ନୂଆ ପ୍ଲାଣ୍ଟରେ ପୁଣି ଲାଗିଗଲା ନିଆଁ, କ୍ଷତିଗ୍ରସ୍ତ କମ୍ପାଟ୍ମେଣ୍ଟରେ ଅଗ୍ନି ଆୟତ୍ତ ଲାଗି ଉଦ୍ୟମ ଜାରି

ପୁନେ ୨୧/୦୧: ମହାରାଷ୍ଟ୍ରର ପୁନେରେ ଥିବା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ପୁଣି ଥରେ ନିଆଁ ଲାଗିଛି। ପ୍ଲାଣ୍ଟର ଏକ ପ୍ରକୋଷ୍ଠରେ ପୁଣି ଥରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ତେବେ କିଛି ସମୟ ପୂର୍ବରୁ ପ୍ଲାଣ୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା। କିନ୍ତୁ ପୁଣିଥରେ ସେହି ବିଲ୍ଡିଂର ଏକ କମ୍ପାଟମେଣ୍ଟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏଥିରେ କଣ ସବୁ କ୍ଷତି ହୋଇଛି ଏବଂ କେହି ଲୋକ ସେଠାରେ ଥିଲେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।
Maharashtra: Fire breaks out again in one compartment of the same building at Serum Institute of India (SII), in Pune. Fire fighting operation is underway. More details awaited.
— ANI (@ANI) January 21, 2021
Fire had broken out at Manjri Plant of SII today afternoon and claimed five lives. pic.twitter.com/6MKDWiCxZt
ପୁନେର ମଞ୍ଜରୀ ସ୍ଥିତି ସେରମ୍ ଇନ୍ଷ୍ଟିଚ୍ୟୁଟର ନୂତନ ପ୍ଲାଣ୍ଟରେ ଗୁରୁବାର ଅପରାହ୍ଣରେ ନିଆଁ ଲାଗିଯାଇଥିଲା। ଦୀର୍ଘ ସମୟ ଧରି ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ପ୍ଲାଣ୍ଟରେ କିଛି ଦିନ ମଧ୍ୟରେ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତି ଆରମ୍ଭ ହୋଇଥାନ୍ତା।
ଏହି ଭୀଷଣ ଅଗ୍ନିକାଣ୍ଡରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସେପଟେ ଅଗ୍ନିକାଣ୍ଡ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦେଶ ଦେଇଥିଲା । ଏହାର କିଛି ସମୟ ପରେ ପୁଣି ସେହି ପ୍ଲାଣ୍ଟର ଏକ କମ୍ପାଟ୍ମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି।
ଗୁରୁବାର ଅପରାହ୍ଣରେ କରୋନା ଟିକା ତିଆରି କରୁଥିବା ପୁନେର ମଞ୍ଜରୀସ୍ଥିତ ସେରମ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ନିଆଁ ଲାଗିଥିବା ନେଇ ଖବର ମିଳିବା ପରେ ଦେଶ ସମେତ ବିଶ୍ବରେ ଚିନ୍ତା ବଢ଼ିଥିଲା। ଭାରତର ସେରମ ଇନଷ୍ଟିଚ୍ୟୁଟ ବିଶ୍ବର ସର୍ବବୃହତ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀ। ତେଣୁ ଏଠାରେ ନିଆଁ ଲାଗିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯ, ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ନୂଆ ପ୍ଲାଣ୍ଟରେ ବିସିଜି ଟିକା ପ୍ରସ୍ତୁତ ଚାଲିଥିବା ବେଳେ ବହୁ ପରିମାଣରେ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ ପାଇଁ ଯୋଜନା ହୋଇଥିଲା। ଖୁବଶୀଘ୍ର ଏହି ପ୍ଲାଣ୍ଟରେ କୋଭିସିଲ୍ଡ ତିଆରି ଆରମ୍ଭ ହୋଇଥାନ୍ତା। ନୂଆ ପ୍ଲାଣ୍ଟ ନିର୍ମାଣ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଠାରେ ପ୍ରସ୍ତୁତ ହେବାକୁ ଥିବା କରୋନା ଭ୍ୟାକ୍ସିନ୍ ଭାରତରୁ ଅନ୍ୟ ଦେଶଗୁଡ଼ିକୁ ଅଧିକ ପରିମାଣରେ ପଠାଯିବାକୁ ବି ଯୋଜନା ଥିବା ଜଣାପଡ଼ିଛି।
ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ଦ୍ବାରା ବିକଶିତ କୋଭିସିଲ୍ଡ ଟିକାର ଲକ୍ଷ ଲକ୍ଷ ଡୋଜ୍ ସେରମ ଇନ୍ଷ୍ଟିଚ୍ୟୁଟ୍ରେ ହିଁ ପ୍ରସ୍ତୁତ ହେଉଛି। ଏବେ କରୋନା ଭ୍ୟାକସିନ୍ ପ୍ରସ୍ତୁତି ପୁରୁଣା ପ୍ଲାଣ୍ଟରେ ହେଉଥିବା ବେଳେ କିଛି ଦିନ ଭିତରେ ନୂଆ ପ୍ଲାଣ୍ଟରେ ଟିକା ପ୍ରସ୍ତୁତ ହେବାର ଥିଲା। ନିଆଁ ଲାଗିଯିବା ପରେ ପ୍ଲାଣ୍ଟକୁ ପୂର୍ଣ୍ଣକ୍ଷମ କରିବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପଦକ୍ଷେପ ନିଆଯାଇପାରେ । ପରେ ଏଠାରେ କରୋନା ଟିକା ପ୍ରସ୍ତୁତ ହେବ କି ନାହିଁ ବିଚାର କରାଯାଇପାରେ। ତେବେ ଏନେଇ କିଛି ସୂଚନା ମିଳିପାରିନାହିଁ।