Sunday, 19 Jan, 10.42 pm NEWS7

ହୋମ
ଶିଶୁ ବିକ୍ରି ଖବରକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି

ମାଲକାନଗିରି ୧୯।୦୧ - ଶିଶୁ ବିକ୍ରି ଖବରକୁ ନେଇ ପୁଣି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଚର୍ଚ୍ଚାକୁ ଆସିଛି । ୧୭ ଦିନର ଛୁଆକୁ ବିକ୍ରି ପାଇଁ ଉଦ୍ୟମ ବେଳେ ଉଦ୍ଧାର କରିଥିଲା ଜିଲ୍ଲା ଶିଶୁ ମଙ୍ଗଳ ସମିତି । ପ୍ରଶ୍ନ ହେଉଛି ଆଦିବାସୀ ଅଞ୍ଚଳର ବିକାଶ ପାଇଁ ହେଉଥିବା ଯୋଜନା କ'ଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି ? ମୌଳିକ ସୁବିଧାରୁ ଏମାନେ କ'ଣ ଏବେବି ବଞ୍ଚିତ ? କାହିଁକି ମାଙ୍ଗତୁ ଚାଲାଣ ଜନ୍ମକଲା ସନ୍ତାନକୁ ବିକ୍ରି କରିବାକୁ ସହର ଯାଇଥିଲା, ତାହା ଜାଣିବାକୁ ଆମେ ଯାଇଥିଲୁ ମାଙ୍ଗତୁର ଘରକୁ।

ଗୋଟିଏ ଥାଳିରେ କାଉଲ ବାଉଲ ହୋଇ ଶୁଖିଲା ଭାତ ଖାଉଛନ୍ତି ୬ ଜଣ ପିଲା । ଏ ଚିତ୍ରକୁ ଦେଖନ୍ତୁ । ଏଠି ଫୁଙ୍ଗୁଳା ଦେହରେ ରାହା ଧରି କାନ୍ଦୁଛି ଶିଶୁଟି । ଆଖିର ଲୁହ ନାକର ଶିଙ୍ଗାଣୀ ଏକ ହୋଇ ଗାଲରେ ବହିଯାଉଛି। ଏକକାର ମଣିଷ-ଘଷୁରୀ ଆଉ କୁକୁର । ଏ ଚିତ୍ର ହେଉଛି ବଣ୍ଡାଘାଟିର । ଖୈରପୁଟ ବ୍ଲକ କାତାମଗୁଡା ଗାଁର ବଣ୍ଡା ଯୁବକ ମାଙ୍ଗତୁ ଚାଲାଣଙ୍କର ୬ ସନ୍ତାନ । ଇଏ ସେଇ ମାଙ୍ଗତୁ ଯିଏ ଦୁଇ ଦିନ ତଳେ ୧୭ ଦିନର ଶିଶୁ କନ୍ୟାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଶିଶୁ ମଙ୍ଗଳ ସମିତି ଅଧିକାରୀ ଉଦ୍ଧାର କରିଥିଲେ। । ସପ୍ତମ ସନ୍ତାନକୁ ଜନ୍ମ ଦେଇ ମାଆ ଆରପାରିକୁ ଚାଲିଗଲେ। ତେଣୁ ସେହି ସପ୍ତମ ସନ୍ତାନ ଝିଅଟିକୁ ବିକ୍ରି କରିବାକୁ ଚାହୁଁଥିଲା ମାଙ୍ଗତୁ। ମାଙ୍ଗତୁଙ୍କ ବୃଦ୍ଧ ବାପା ଆମ କ୍ୟାମେରା ଆଗରେ ବଖାଣିଥିଲେ କୋହଭରା କାହାଣୀ ।

ବଣ୍ଡା ଜନଜାତିଙ୍କ ବିକାଶ ଲାଗି ସରକାରଙ୍କ ଅନେକ ଯୋଜନା । ଶିଶୁ ବିକ୍ରି ଖବର ପାଇବା ପରେ ଆମେ ମାଙ୍ଗତୁର ପ୍ରକୃତ ଅବସ୍ଥା ଦେଖିବାକୁ ଯାଇଥିଲୁ ବଣ୍ଡାଘାଟିର କାତାମଗୁଡା ଗାଁକୁ। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ , ଗର୍ଭବତୀଙ୍କୁ ମିଳେନି ସ୍ବାସ୍ଥ୍ୟାସେବା କି ପୁଷ୍ଟିକର ଖାଦ୍ୟ । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ପାଇଁ ଏମାନଙ୍କୁ ନିଇତି କେତେଯେ ସଂଘର୍ଷ କରିବାକୁ ପଡେ ତାହା ନେଦେଖିଲେ ବିଶ୍ବାସ କରିହେବନି ।

କଥା ହେଉଛି ମାଙ୍ଗତୁର ଘଟଣା ପ୍ରଥମ ନୁହେଁ କିନ୍ତୁ ଏହା ଶେଷ ଘଟଣା ହେଉ। ଆଉ କେହି ମାଙ୍ଗତୁର ପତ୍ନୀ ସନ୍ତାନ ପ୍ରସବ ବେଳେ ପ୍ରାଣ ନ ହରାଉ କିମ୍ବା ଆଉ କେହି ମାଙ୍ଗତୁ ନିଜ ସନ୍ତାନକୁ ବିକ୍ରି ନ କରୁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top