Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦୨୯ ପୂର୍ବରୁ ଓଡ଼ିଶାରେ UCC? ଅମିତ ଶାହଙ୍କ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା...

୨୦୨୯ ପୂର୍ବରୁ ଓଡ଼ିଶାରେ UCC? ଅମିତ ଶାହଙ୍କ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା...

News18 Odia Digital Uniform Civil Code: ଓଡ଼ିଶାରେ Uniform Civil Code (UCC) ଲାଗୁ ହେବ କି? ଏହି ପ୍ରଶ୍ନକୁ ନେଇ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ BJP ନେତୃତ୍ୱାଧୀନ NDA ଶାସିତ ୨୧ଟି ରାଜ୍ୟରେ UCC ଲାଗୁ କରାଯିବ।
ଏହି ଘୋଷଣା ପରେ ଓଡ଼ିଶାରେ ମଧ୍ୟ UCC ନେଇ ଆଲୋଚନା ଆରମ୍ଭ ହୋଇଛି।

UCC ବା ସମାନ ନାଗରିକ ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ଆଇନରେ ଧର୍ମ ଆଧାରିତ ଭିନ୍ନତା ବଦଳରେ ଏକ ସମାନ ଆଇନଗତ ବ୍ୟବସ୍ଥା ଆଣିବା। ତେବେ UCC ଲାଗୁ କରିବାର ପ୍ରକ୍ରିୟା ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମାଜିକ ପରିସ୍ଥିତି ଅନୁସାରେ ଭିନ୍ନ ହୋଇପାରେ।

ଅମିତ ଶାହଙ୍କ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା...

ମୁମ୍ବାଇରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଅମିତ ଶାହ କହିଛନ୍ତି ଯେ ଅନେକ ରାଜ୍ୟରେ UCC ଆଣାଯାଇଛି ଏବଂ ୨୦୨୯ ପୂର୍ବରୁ BJP-NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଏହାକୁ ଲାଗୁ କରିବା ନେଇ ସେ ଆଶାବାଦୀ।

ବର୍ତ୍ତମାନ ଉତ୍ତରାଖଣ୍ଡରେ UCC ଲାଗୁ ହୋଇସାରିଥିବାବେଳେ ଗୁଜରାଟ, ଆସାମ ଓ ମଧ୍ୟପ୍ରଦେଶରେ ମଧ୍ୟ ଏନେଇ ପଦକ୍ଷେପ ନିଆଯାଇଛି। ଅନ୍ୟ କିଛି ରାଜ୍ୟରେ ଏହାର ପ୍ରସ୍ତୁତି ଓ ଆଇନଗତ ପ୍ରକ୍ରିୟା ନେଇ କାମ ଚାଲିଛି।

ଓଡ଼ିଶା BJP କ'ଣ କହିଲା?

ଅମିତ ଶାହଙ୍କ ଘୋଷଣା ପରେ ଓଡ଼ିଶାରେ UCC ଲାଗୁ ନେଇ ପ୍ରଶ୍ନ ଉଠିବାରୁ ରାଜ୍ୟ BJP ସଭାପତି ମନମୋହନ ସାମଲ କହିଛନ୍ତି ଯେ ଗୃହମନ୍ତ୍ରୀ ଏନେଇ ସ୍ପଷ୍ଟ ଭାବେ କହିସାରିଥିବାରୁ ଏହା ଉପରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ। ତାଙ୍କ ମତରେ ରାଜ୍ୟ ପାଇଁ UCC ଆବଶ୍ୟକ। ତେବେ ଓଡ଼ିଶାରେ ଏହା କେବେ ଏବଂ କେଉଁ ରୂପରେ ଲାଗୁ ହେବ, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ଓ ବିସ୍ତୃତ ତଥ୍ୟ ଆସିବାକୁ ବାକି ରହିଛି।

ମନ୍ତ୍ରୀ କହିଲେ-ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତ୍ତି...

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ UCCକୁ ନେଇ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ କେନ୍ଦ୍ର ଓ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ରହିଛି ଏବଂ ଉଭୟଙ୍କ ସମନ୍ୱୟରେ ବିକାଶମୂଳକ କାମ ଚାଲିଛି। UCC ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

UCC ଆସିଲେ କ'ଣ ବଦଳିପାରେ?

UCC ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ଦତ୍ତକ ଭଳି ବ୍ୟକ୍ତିଗତ ଆଇନରେ ସମାନ ନିୟମ ଲାଗୁ ହେବା ଏହାର ମୁଖ୍ୟ ଲକ୍ଷ୍ୟ। ସମର୍ଥକମାନେ ଏହାକୁ ଆଇନଗତ ସମାନତା ଓ ଲିଙ୍ଗ ସମାନତା ଦିଗରେ ପଦକ୍ଷେପ ବୋଲି ଦେଖୁଛନ୍ତି। ଅନ୍ୟପକ୍ଷରେ, ଦେଶର ଧାର୍ମିକ ଓ ସାଂସ୍କୃତିକ ବିବିଧତାକୁ ନେଇ UCCର ପ୍ରଭାବ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ରହିଛି।

ଏହି ପରିସ୍ଥିତିରେ ଅମିତ ଶାହଙ୍କ ୨୦୨୯ ପୂର୍ବରୁ ୨୧ଟି NDA ଶାସିତ ରାଜ୍ୟରେ UCC ଲାଗୁ କରିବା ଘୋଷଣା ପରେ ଏବେ ନଜର ରହିଛି ଓଡ଼ିଶା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ରାଜ୍ୟରେ UCC କେବେ ଲାଗୁ ହେବ ଏବଂ ଏହାର ରୂପରେଖା କ'ଣ ରହିବ, ତାହା ସରକାରୀ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ।

ସମାନ ନାଗରିକ ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ବିବାହ, ବିବାହ ବିଚ୍ଛେଦ (ଡାଇଭୋର୍ସ), ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ଆଇନରେ ଏକ ସମାନ ଆଇନଗତ ବ୍ୟବସ୍ଥା ପ୍ରଣୟନ କରିବା। ଦେଶର ୨୧ଟି ଏନ୍‌ଡିଏ ଶାସିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ସମେତ ୧୫ଟି ରାଜ୍ୟରେ ଭାଜପା ନିଜସ୍ୱ ସରକାର ଚଲାଉଥିବା ବେଳେ ଅନ୍ୟ ୬ଟି ରାଜ୍ୟରେ ସହଯୋଗୀ ଦଳ ସହ ମିଶି ଶାସନ କରୁଛି।

ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୫ ଜାନୁଆରୀ ୨୭ରେ ସଫଳତାର ସହ ୟୁସିସି ଲାଗୁ କରିସାରିଛି। ଏହାପରେ ଗୁଜରାଟ, ଆସାମ ଏବଂ ମଧ୍ୟପ୍ରଦେଶ ବିଧାନସଭାରେ ମଧ୍ୟ ୟୁସିସି ବିଲ୍ ପାରିତ ହୋଇସାରିଛି ଏବଂ ଏଗୁଡ଼ିକ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି।

ଗୃହମନ୍ତ୍ରୀଙ୍କ ଏହି ପ୍ରମୁଖ ଆଭିମୁଖ୍ୟ ପରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବେ। ୨୦୨୯ ପୂର୍ବରୁ ଓଡ଼ିଶାର ବ୍ୟକ୍ତିଗତ ଆଇନ ବ୍ୟବସ୍ଥାରେ ଏହି ମହତ୍ତ୍ୱପୂର୍ଣ୍ଣ ଆଇନଗତ ପରିବର୍ତ୍ତନ ଦେଖିବାକୁ ମିଳିବ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News18 Odia