Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୮ ଘଣ୍ଟା ଧରି ଚାଲିଲା ରତ୍ନଭଣ୍ଡାର ଗଣତି, ଆହୁରି ଅଛି ୩ଟି ବଡ଼ ସିନ୍ଦୁକ...

୮ ଘଣ୍ଟା ଧରି ଚାଲିଲା ରତ୍ନଭଣ୍ଡାର ଗଣତି, ଆହୁରି ଅଛି ୩ଟି ବଡ଼ ସିନ୍ଦୁକ...

ହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ଓ ମେଳକ ପ୍ରକ୍ରିୟା ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି । ସତର ଦିନରେ ଆଜି ରେକର୍ଡ ସମୟ ଧରି ଚାଲିଛି ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ । ଗୋଟିଏ ଦିନରେ ପ୍ରାୟ ୮ ଘଣ୍ଟା ୨୩ ମିନିଟ୍‌ ଧରି ଗଣତି କାର୍ଯ୍ୟ ହୋଇଛି । ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ରତ୍ନ ଭଣ୍ଡାର ଭିତରକୁ ଗଣତି ଟିମ୍‌ ପ୍ରବେଶ କରିଥିଲେ ।
ଏହାପରେ ଦୀର୍ଘ ସମୟ ଧରି ରତ୍ନ ଅଳଙ୍କାରର ଗଣତି ଓ ମେଳକ କାର୍ଯ୍ୟ ଚାଲିଥିଲା । ସନ୍ଧ୍ୟା ୭ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଥିଲା ।

ଆଜି ଭିତର ରତ୍ନ ଭଣ୍ଡାରର ପଞ୍ଚମ ଆଲମିରାରେ ରହିଥିବା ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯାଇଛି । ୧୯୭୮ ମସିହାର ତାଲିକାକୁ ଆଧାର କରି ଏପର୍ଯ୍ୟନ୍ତ ଯେଉଁ ରତ୍ନ ଅଳଙ୍କାରର ଗଣତି ହୋଇଛି, ସେଥିରେ ମେଳକ ସଠିକ୍‌ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ଏହା ସହିତ ୧୯୭୮ ମସିହାର ତାଲିକାରେ ଥିବା କିଛି ରତ୍ନ ଅଳଙ୍କାର, ଯାହାର ଚିହ୍ନଟ ପୂର୍ବରୁ ହୋଇପାରିନଥିଲା, ସେଗୁଡ଼ିକର ଚିହ୍ନଟ କାର୍ଯ୍ୟ ମଧ୍ୟ କରାଯାଇଛି । ଏଯାବତ୍‌ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟରେ ମୋଟ ୯୩ ଘଣ୍ଟା ୫୧ ମିନିଟ୍‌ ସମୟ ଲାଗିଛି । ସପ୍ତଦଶ ଦିନର ଗଣତି ଶେଷ ହେବା ପରେ ଏହି ସମୟ ରେକର୍ଡ ହୋଇଛି ।

ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗିଥିବା ୩ଟି ଝୋବାକଣ୍ଠୀର ଗଣତି ଶେଷ ହୋଇଛି । ଏଥିସହ ଚଳନ୍ତି ରତ୍ନ ଭଣ୍ଡାର ଏବଂ ବାହାର ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି । ତେବେ ଏବେ ସମସ୍ତଙ୍କ ନଜର ରହିଛି ଭିତର ରତ୍ନ ଭଣ୍ଡାରରେ ଥିବା ୩ଟି ସିନ୍ଧୁକ ଉପରେ । ଏହି ତିନୋଟି ସିନ୍ଧୁକର ଗଣତି କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ । କେବଳ ଏହି ୩ଟି ସିନ୍ଧୁକର ମାପ ନିଆଯାଇପାରିଛି ।

ସିନ୍ଧୁକ ଭିତରେ କ'ଣ କ'ଣ ରହିଛି, ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି । ଏହା ମଧ୍ୟରେ ଅନେକ ଦୁର୍ମୂଲ୍ୟ ଏବଂ ବୃହତ୍‌ ରତ୍ନ ଅଳଙ୍କାର ରହିଥିବା ନେଇ ବିଭିନ୍ନ ଅନୁମାନ ଓ ଆକଳନ କରାଯାଉଛି । ଫଳରେ ଏହି ୩ଟି ସିନ୍ଧୁକର ଗଣତି କେବେ ହେବ ଏବଂ ଏଥିରୁ କ'ଣ ବାହାରିବ, ତାହା ଜାଣିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି ।

ତେବେ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଚଳିତ ସେପ୍ଟେମ୍ବର ମାସରେ ଆଉ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ହେବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପରବର୍ତ୍ତୀ ଗଣତି କେବେ ହେବ, ସେନେଇ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ଆଲୋଚନା କରାଯିବ । ଆଲୋଚନା ପରେ ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ ।

ନୂଆ SOP ଅନୁଯାୟୀ ରତ୍ନ ଭଣ୍ଡାରର ସମସ୍ତ ଗଣତି ଓ ମେଳକ କାର୍ଯ୍ୟ ଶେଷ ହେବା ପରେ ଭିତର ଭଣ୍ଡାରରେ ଥିବା ୬ଟି ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମ୍‌ ପାର୍ଶ୍ୱବର୍ତ୍ତୀ ଗୃହରେ ରଖାଯିବ । ଅନ୍ୟପଟେ ଗଣତି ଓ ମେଳକ ସମୟରେ ଅଳଙ୍କାରଗୁଡ଼ିକର ଫଟୋଗ୍ରାଫି, ଭିଡିଓଗ୍ରାଫି ସହିତ ୩D ମ୍ୟାପିଙ୍ଗ ଏବଂ E-Catalogue ମଧ୍ୟ ପ୍ରସ୍ତୁତ କରାଯାଇଛି । ଫଳରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ତଥ୍ୟକୁ ଡିଜିଟାଲ୍‌ ଭାବେ ସଂରକ୍ଷଣ କରାଯାଉଛି ।

ସପ୍ତଦଶ ଦିନର ଗଣତି ପରେ ରତ୍ନ ଭଣ୍ଡାରର ଅନେକ ଅଳଙ୍କାରର ଗଣତି ଓ ମେଳକ ସରିଥିବା ବେଳେ ଏବେ ଅପେକ୍ଷା ରହିଛି ଭିତର ଭଣ୍ଡାରର ସେହି ୩ଟି ସିନ୍ଧୁକ ଉପରେ । ସେଗୁଡ଼ିକର ଭିତରେ କେତେ ଓ କେଉଁ ପ୍ରକାରର ଦୁର୍ମୂଲ୍ୟ ଅଳଙ୍କାର ରହିଛି, ଗଣତି ପରେ ହିଁ ତାହା ସ୍ପଷ୍ଟ ହେବ । ଏହି କାରଣରୁ ରତ୍ନ ଭଣ୍ଡାରର ଆଗାମୀ ଗଣତିକୁ ନେଇ ଭକ୍ତ ଓ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢ଼ିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News18 Odia