Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
IMD କହିଥିଲା ଏଲ୍‌-ନିନୋ ଯୋଗୁ ବର୍ଷା ହେବନି, ସେଥିପାଇଁ ହୀରାକୁଦରେ ପାଣି ଷ୍ଟକ୍ ରଖିଥିଲୁ, କିନ୍ତୁ ଓଲଟା ହେଲା

IMD କହିଥିଲା ଏଲ୍‌-ନିନୋ ଯୋଗୁ ବର୍ଷା ହେବନି, ସେଥିପାଇଁ ହୀରାକୁଦରେ ପାଣି ଷ୍ଟକ୍ ରଖିଥିଲୁ, କିନ୍ତୁ ଓଲଟା ହେଲା

Flood Update: ଏଲ୍‌-ନିନୋ ପ୍ରଭାବ ଯୋଗୁଁ ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଥିଲା । ଏହାକୁ ଆଧାର କରି ଓଡ଼ିଶାର ବିଭିନ୍ନ ଜଳଭଣ୍ଡାରରେ ପାଣି ସଂରକ୍ଷଣ କରାଯାଇଥିଲା, ଯାହାଦ୍ୱାରା ଚାଷୀମାନେ ଜଳାଭାବର ସମ୍ମୁଖୀନ ହେବେନାହିଁ । ଜୁନ୍ ମାସରେ ସ୍ୱାଭାବିକ ଠାରୁ ବହୁତ କମ୍ ବର୍ଷା ହେବାରୁ ଏହି ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଇଥିଲା ।
କିନ୍ତୁ ଜୁଲାଇ ମାସରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇ ୬୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହେଲା । ଉପର ମୁଣ୍ଡ ଓ ତଳ ମୁଣ୍ଡ ଉଭୟ ଅଞ୍ଚଳରେ ଲଗାତାର ବର୍ଷା ହେବାରୁ ନଦୀଗୁଡ଼ିକର ଜଳସ୍ତର ଅହେତୁକ ବୃଦ୍ଧିପାଇ ବନ୍ୟା ସ୍ଥିତି ସୃଷ୍ଟି ହେଲା । ଆଇଏମ୍‌ଡିର ଆକଳନ ଅନୁଯାୟୀ ହୀରାକୁଦରେ ପାଣି ଷ୍ଟକ୍‌ ରଖାଯାଇଥିଲା କିନ୍ତୁ ସ୍ଥିତି ଓଲଟା ହେଲା ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀ ରାଉତ ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି, ଜୁନ୍‌ରେ ବର୍ଷା ନ ଥିବାରୁ ହୀରାକୁଦରେ ୬୧୧ ଫୁଟ ପର୍ଯ୍ୟନ୍ତ ଜଳ ରଖିବାକୁ ଯୋଜନା ହୋଇଥିଲା । କିନ୍ତୁ ଜୁଲାଇରେ ଅଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ହେବାରୁ ଛତିଶଗଡ଼ ଓ ହୀରାକୁଦରୁ ଜଳ ଛାଡ଼ିବାକୁ ପଡ଼ିଲା । ଫଳରେ ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ସେ କହିଛନ୍ତି, ଅଗଷ୍ଟ ମାସ ମଧ୍ୟ ଜଳ ପରିଚାଳନା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜଳଭଣ୍ଡାରରେ କେତେ ପାଣି ସଂରକ୍ଷଣ କରାଯିବ ଓ ଆବଶ୍ୟକ ପଡ଼ିଲେ କେତେ ପାଣି ଛଡ଼ାଯିବ, ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଲ୍‌-ନିନୋ ଆଶଙ୍କାକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ କରାଯାଇଥିଲା । କିନ୍ତୁ ହଠାତ୍ ଅତ୍ୟଧିକ ବର୍ଷା ହେବାରୁ ଛତିଶଗଡ଼ ସରକାରଙ୍କୁ ଜଳ ଛାଡ଼ିବାକୁ ପଡ଼ିଲା । ଏହା ସହ ହୀରାକୁଦ ବନ୍ଧରୁ ମଧ୍ୟ ଜଳ ନିଷ୍କାସନ କରିବାକୁ ବାଧ୍ୟ ହେବାରୁ ଅନେକ ନଦୀରେ ଏକାସାଙ୍ଗରେ ବନ୍ୟା ଦେଖାଦେଲା, ଯାହା ପୂର୍ବରୁ କ୍ୱଚିତ୍ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ବନ୍ୟାର ପ୍ରଭାବ ଧୀରେ ଧୀରେ କମୁଥିବା ବେଳେ ମହାନଦୀ, ସାଳନ୍ଦୀ ଓ ବ୍ରାହ୍ମଣୀରେ ଜଳସ୍ତର ହ୍ରାସ ପାଇଛି । ହୀରାକୁଦରେ ବର୍ତ୍ତମାନ ୬୨୦.୭୭ ଫୁଟ ଜଳ ରହିଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ୬୧୫ ଫୁଟକୁ ଖସିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ୧ ଲକ୍ଷ ୧୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୩ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ମୁଣ୍ଡଳୀରେ ୫ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଏହା ସହ ସମସ୍ତ ଘାଇର ମରାମତି କାମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ସାତ ଦିନ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ବାଲିମେଳା, କୋଲାବ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ପରିମାଣ କମ୍ ଥିବାରୁ ଦକ୍ଷିଣ ଓଡ଼ିଶାରେ ଆହୁରି ବର୍ଷାର ଆବଶ୍ୟକତା ରହିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News18 Odia