ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୯ରେ ପହଞ୍ଚିଛି ଏବଂ ନଦୀର ତଳମୁଣ୍ଡରେ ଥିବା ଅନେକ ଜିଲ୍ଲାରୁ ଏବେ ବି ମୃତଦେହ ଉଦ୍ଧାର କରାଯାଉଛି । ଏହି ଭୟଙ୍କର ବନ୍ୟାରେ ୧ ହଜାରରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଲୋକଙ୍କ ମଧ୍ୟରୁ ଅନେକ ବିଦେଶୀ ନାଗରିକ ଯେଉଁମାନେ ଏହି ଅଞ୍ଚଳକୁ ଟ୍ରେକିଂ, ଗାଇଡେଡ୍ ଟୁର୍ କିମ୍ବା ପବିତ୍ର ହିନ୍ଦୁ ସ୍ଥଳୀ ତୀର୍ଥଯାତ୍ରା ପାଇଁ ଆସିଥିଲେ ।

ନିଖୋଜ ହୋଇଥିବା ଲୋକଙ୍କ ମଧ୍ୟରେ ନେପାଳ, ଚୀନ୍, ଭାରତ, ଆମେରିକା, ୟୁକ୍ରେନ, ମାଲେସିଆ, ୟୁକେ, କାନାଡା, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଜର୍ମାନୀ, ରୁଷ, ଦକ୍ଷିଣ ଆଫ୍ରିକା, ଲାଟଭିଆ, ଜାପାନ, ନ୍ୟୁଜିଲ୍ୟାଣ୍ଡ, ଫ୍ରାନ୍ସ, ବେଲଜିୟମ, ସ୍ପେନ୍, ଇଟାଲି, କାଜାଖସ୍ତାନ, ପର୍ତ୍ତୁଗାଲ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ବେଲାରୁସ, ଫିନଲ୍ୟାଣ୍ଡ, ହଙ୍ଗେରୀ, ଇସ୍ରାଏଲ, ଲିଥୁନିଆ, ଫିଲିପାଇନ୍ସ, ବୁଲଗେରିଆ, ସ୍ୱିଜରଲ୍ୟାଣ୍ଡ, ସର୍ବିଆ ଏବଂ ସ୍ୱିଡେନର ନାଗରିକ ସାମିଲ ଅଛନ୍ତି । ତେବେ ତଥ୍ୟ ସଂଗ୍ରହ ପଦ୍ଧତି, ରିପୋର୍ଟର ସମୟ ଏବଂ ତଥ୍ୟ ଯାଞ୍ଚରେ ପାର୍ଥକ୍ୟ ଯୋଗୁଁ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ସଂସ୍ଥା ଅନୁସାରେ ଭିନ୍ନ ହୋଇପାରେ ।
ନେପାଳ ପୋଲିସର ସୂଚନା ଅନୁଯାୟୀ, ଦକ୍ଷିଣ ସମତଳ ଅଞ୍ଚଳର ଚିତୱାନ୍ ଜିଲ୍ଲାରୁ ସର୍ବାଧିକ ମୃତଦେହ ଉଦ୍ଧାର କରାଯାଇଛି । ଏହା ପରେ ନବଲପରାସି ପୂର୍ବ, ଧାଡିଂ ଏବଂ ରାସୁୱାରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏପର୍ଯ୍ୟନ୍ତ ୩୫୯ ମୃତଦେହ ଉଦ୍ଧାର କରାଯାଇଛି ।

ନେପାଳ ସରକାର କହିଛନ୍ତି ଯେ ବନ୍ୟା ଆବାସିକ ଅଞ୍ଚଳ, ଜଳବିଦ୍ୟୁତ ପ୍ରକଳ୍ପ, କଷ୍ଟମ୍ସ କାର୍ଯ୍ୟାଳୟ ଏବଂ ବିଦ୍ୟୁତ୍ ଭିତ୍ତିଭୂମିକୁ ନଷ୍ଟ କରିଦେଇଛି । ଯାହା ଫଳରେ ୮୦୦ରୁ ଅଧିକ ଲୋକ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛନ୍ତି । ଏହି ସମୟରେ, ଘରୋଇ କ୍ଷେତ୍ରର ବିଦ୍ୟୁତ୍ ବିକାଶକାରୀଙ୍କ ସଂଗଠନ ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦକ ସଂଘ (IPPAN) କହିଛି ଯେ ବିଭିନ୍ନ ଜଳବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଅନେକ କର୍ମଚାରୀ ଏଯାବତ ନିଖୋଜ ଅଛନ୍ତି ।
ନିର୍ମାଣାଧୀନ ୨୧୬ ମେଗାୱାଟ ଉପର ତ୍ରିଶୁଲି-୧ ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଆଣ୍ଡ୍ରିଜ୍ ହାଇଡ୍ରୋର ୭୬ ଜଣ କର୍ମଚାରୀ ନିଖୋଜ ଅଛନ୍ତି । ଯେଉଁଥିରେ ପ୍ରାୟ ଅଧା ନେପାଳୀ ଏବଂ ଅଧା ବିଦେଶୀ ନାଗରିକ ସାମିଲ ରହିଛନ୍ତି । ପ୍ରକଳ୍ପ ଡେଭଲପର, ନେପାଳ ଜଳ ଏବଂ ଶକ୍ତି ବିକାଶ କମ୍ପାନୀର ଏଗାର ଜଣ କର୍ମଚାରୀ ମଧ୍ୟ ଏହି ଘଟଣାରେ ନିଖୋଜ ଅଛନ୍ତି । ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଆଠ ଜଣ ଦକ୍ଷିଣ କୋରିଆ ନାଗରିକ ମଧ୍ୟ ନିଖୋଜ ତାଲିକାରେ ସାମିଲ ରହିଛନ୍ତି ।
ସେହିପରି, ୧୧୧ ମେଗାୱାଟ ରସୁୱାଗାଢି ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ୫୧ ଜଣ ନିଖୋଜ ଅଛନ୍ତି, ଯେତେବେଳେ ୫ ମେଗାୱାଟ ମୈଲୁଙ୍ଗ ଖୋଲା ଜଳବିଦ୍ୟୁତ୍ ପ୍ରକଳ୍ପର ପାୱାରହାଉସରେ ଥିବା ଆଠ ଜଣ ଶ୍ରମିକ ମଧ୍ୟ ନିଖୋଜ ଅଛନ୍ତି । ୧୨୦ ମେଗାୱାଟ ରସୁୱା ଭୋଟେକୋଶି ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ସିଭିଲ୍ ଠିକାଦାର ସିନୋହାଇଡ୍ରୋର ଦୁଇ ଜଣ କର୍ମଚାରୀ ନିଖୋଜ ଅଛନ୍ତି ।

ଏହି ସମୟରେ, ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ ନିଶ୍ଚିତ କରିଛନ୍ତି ଯେ ହିମାଳୟ ଦେଶରେ ଭୟଙ୍କର ବନ୍ୟା ପରେ ପ୍ରାୟ ୩୦୦ ଭାରତୀୟ ନାଗରିକ, ସେମାନଙ୍କ ମଧ୍ୟରୁ ଅଧିକାଂଶ କୈଳାସ ମାନସରୋବର ଯାତ୍ରାରେ ଆସିଥିବା ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି । କାଠମାଣ୍ଡୁରେ NDTV ବିଶ୍ୱ ଅନ୍ୱେକ୍ଷା ସମ୍ମିଳନୀରେ ଭାଷଣ ଦେଇ ଖାନଲ କହିଛନ୍ତି ଯେ ରସୁୱା ଅଞ୍ଚଳରେ ଦୁର୍ଘଟଣା ପରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଯେତେବେଳେ କର୍ତ୍ତୃପକ୍ଷ କ୍ଷୟକ୍ଷତିର ପରିମାଣ ଆକଳନ କରିବା ଏବଂ ନିଖୋଜମାନଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି ।
"କିଛି ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ଅନେକ ସହର ଧ୍ୱଂସ ପାଇଗଲା । ହଜାର ହଜାର ପରିବାର ସେମାନଙ୍କ ଘର ହରାଇଲେ ଏବଂ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଆମେ ଏବେ ବି ଏହି ବିପର୍ଯ୍ୟୟ ଯୋଗୁଁ ହୋଇଥିବା ମୋଟ କ୍ଷୟକ୍ଷତି ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛୁ," ଖାନଲ କହିଛନ୍ତି । "ଭାରତୀୟମାନଙ୍କ ସମେତ ଅନେକ ବିଦେଶୀ ନାଗରିକ ମାନସରୋବର ଯିବା ପାଇଁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଦେଇ ଯାଆନ୍ତି । ପ୍ରାୟ ୩୦୦ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି ଏବଂ ସରକାର ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି," ବୋଲି ଖାନଲ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ବିପର୍ଯ୍ୟୟ ପରେ ପ୍ରାୟ ୫୦୦ ବିଦେଶୀ ନାଗରିକଙ୍କ ସମ୍ପର୍କରେ କୌଣସି ସୂଚମା ମିଳିପାରି ନାହିଁ । ତେବେ ଉଦ୍ଧାର ଏବଂ ରିଲିଫ୍ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନେପାଳ ସରକାର ନିଖୋଜ ବିଦେଶୀ ନାଗରିକଙ୍କ ସୁରକ୍ଷା ଏବଂ ସ୍ଥାନ ସମ୍ପର୍କରେ ବିଭିନ୍ନ ଦେଶର ଦୂତାବାସରୁ ସୂଚନା ସଂଗ୍ରହ କରୁଛନ୍ତି ।

