Nepal Flash Flood: ନେପାଳରେ ପ୍ରକୃତିର ମହାତାଣ୍ଡବର ୪ ଦିନ ପରେ ବି ଧ୍ୱଂସାବଶେଷ ଭିତରେ ଚାଲିଛି ଜୀବନ ଖୋଜା । ଯେତେ ମାଟି ହଟୁଛି, ସେତେ ସାମ୍ନାକୁ ଆସୁଛି ପ୍ରଳୟର କରୁଣ କାହାଣୀ । ବନ୍ୟା ଓ ଭୂସ୍ଖଳନରେ ଧ୍ୱଂସ ହୋଇଛି ଘର, ରାସ୍ତା ଓ ଗାଁ । ଅନେକ ଅଞ୍ଚଳ ଏବେ ବି ଯୋଗାଯୋଗରୁ ବିଚ୍ଛିନ୍ନ। ସେପଟେ ବନ୍ୟାରେ ମୃତ୍ୟୁସଂଖ୍ୟା ୬୨୬ରେ ପହଞ୍ଚିଛି ।
ସେପଟେ ନେପାଳର ରସୁୱା ଟନେଲରେ ଫସିଛନ୍ତି ୧୦୦ରୁ ଅଧିକ ଲୋକ । ଟନେଲ ଭିତରେ ଭରି ରହିଛି ମାଟି ଓ କାଦୁଅ । ମାଟି, କାଦୁଅ ଯୋଗୁଁ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । ଏକ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ଟନେଲ ନିର୍ମାଣ କରାଯାଉଥିଲା । ଅକସ୍ମାତ ବନ୍ୟା ଆସିବାରୁ ଏହି ଟନେଲ ଭିତରେ ପାଣି ସହ କାଦୁଅ ଭରିଯାଇଥିଲା । ନେପାଳ ସେନା ପକ୍ଷରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଛି । କାଦୁଅ ଭିତରୁ ଲୋକଙ୍କୁ ଟାଣି ଟାଣି ବାହାର କରାଯାଉଛି ।
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଚତୁର୍ଥ ଦିନରେ ବି ଜାରି ରହିଛି ଉଦ୍ଧାର ଓ ରିଲିଫ୍ ଅଭିଯାନ। ହଠାତ୍ ବନ୍ୟା, ମାଟି ଓ ପଥର ଧସିବା ଯୋଗୁଁ ନେପାଳର ରସୁୱା ସମେତ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗଷ୍ଟ ୨୬ରେ ଘଟିଥିବା ଏହି ବିପର୍ଯ୍ୟୟରେ ନେପାଳରେ ମୃତ୍ୟୁସଂଖ୍ୟା ୬୨୬ରେ ପହଞ୍ଚିଥିବା ବେଳେ ତିବ୍ବତରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୬୩୩ ହୋଇଛି ।
ସଦ୍ୟତମ ତଥ୍ୟ ଅନୁସାରେ, ନେପାଳରେ ୩୭୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ହେଲେ ବିପର୍ଯ୍ୟୟର ଚିତ୍ର ଏବେ ବି ଅତ୍ୟନ୍ତ ଭୟଙ୍କର ରହିଛି। ନେପାଳରେ ୨୪୨୬ ଜଣ ଏବଂ ତିବ୍ବତରେ ୫୫୪ ଜଣ ନିଖୋଜ ଥିବା ରିପୋର୍ଟ ଆସିଛି। ଅର୍ଥାତ୍ ଦୁଇ ଦେଶକୁ ମିଶାଇ ପ୍ରାୟ ୩ ହଜାର ଲୋକଙ୍କ ସମ୍ପର୍କରେ ଏବେ ବି କୌଣସି ସୂଚନା ମିଳିନାହିଁ। ଏହି ନିଖୋଜଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ଓ ଶ୍ରମିକ ମଧ୍ୟ ରହିଛନ୍ତି।
ଏହି ବିପର୍ଯ୍ୟୟରେ ଭାରତୀୟମାନେ ମଧ୍ୟ ବଡ଼ ସଂଖ୍ୟାରେ ପ୍ରଭାବିତ ହୋଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଏପର୍ଯ୍ୟନ୍ତ ୮୪ ଜଣ ଭାରତୀୟଙ୍କୁ ନେପାଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ରାସୁୱାର ଜଳବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ୬୩ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଅନ୍ୟପଟେ, ଆହୁରି ଅନେକ ଭାରତୀୟଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ଓ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।
ସବୁଠାରୁ ବଡ଼ ଚିନ୍ତା ରାସୁୱା ଜିଲ୍ଲାର ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ନେଇ ରହିଛି। ଅନେକ ଟନେଲ ଓ ଅଣ୍ଡରଗ୍ରାଉଣ୍ଡ ପାୱାରହାଉସ୍ ମାଟି ଓ କାଦୁଅରେ ପୋତି ହୋଇଯାଇଛି। ଅପର ତ୍ରିଶୂଳୀ-୧ ଜଳବିଦ୍ୟୁତ ପ୍ରକଳ୍ପର ଟନେଲରେ ୧୦୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା ରହିଛି। ନେପାଳ ସେନା ସେଠାରେ ଉଦ୍ଧାର ଅଭିଯାନ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଅପର ତ୍ରିଶୂଳୀ-୧ରୁ ୨୫୪ ଜଣ ଏବଂ ଲାଙ୍ଗଟାଙ୍ଗ ଖୋଲା ପ୍ରକଳ୍ପରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି।
ବିପର୍ଯ୍ୟୟରେ ଜଳବିଦ୍ୟୁତ କ୍ଷେତ୍ର ମଧ୍ୟ ଭୀଷଣ ପ୍ରଭାବିତ ହୋଇଛି। ତ୍ରିଶୂଳୀ କରିଡରର ୧୪ରୁ ୧୫ଟି ଜଳବିଦ୍ୟୁତ ପ୍ରକଳ୍ପର ପ୍ରାୟ ୪୩୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କ୍ଷମତା ବନ୍ଦ ହୋଇଯାଇଛି। ରାସ୍ତା ଓ ବ୍ରିଜ୍ ଭାସିଯିବାରୁ ଅନେକ ସ୍ଥାନରେ ଭୂପଥରେ ପହଞ୍ଚିବା ସମ୍ଭବ ହେଉନାହିଁ।
ଖରାପ ପାଗ ମଧ୍ୟ ଉଦ୍ଧାର କାର୍ଯ୍ୟକୁ ବାଧା ଦେଉଛି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କିଛି ସମୟ ପାଇଁ ବନ୍ଦ ରହିଥିବା ସୂଚନା ମିଳିଛି। ତଥାପି ନେପାଳ ସେନା, ପୁଲିସ ଓ ଅନ୍ୟ ସୁରକ୍ଷାବଳ ମାଟି, କାଦୁଅ ଓ ଧ୍ୱଂସାବଶେଷ ଭିତରେ ଜୀବନ ଖୋଜିବା ଜାରି ରଖିଛନ୍ତି। ଭାରତ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହଯୋଗ ପାଇଁ ବିଶେଷଜ୍ଞ ଟିମ୍ ଓ ଆବଶ୍ୟକ ସାମଗ୍ରୀ ପଠାଇବାକୁ ପଦକ୍ଷେପ ନେଇଛି।
ଏହି ଭୟାବହ ବନ୍ୟା ପରେ ଆଗକୁ ମଧ୍ୟ ନୂଆ ବିପଦ ଆଶଙ୍କା ରହିଛି। ବନ୍ୟାରେ ସୃଷ୍ଟି ହୋଇଥିବା ହ୍ରଦ ଓ ହିମାଳୟ ଅଞ୍ଚଳର ଜଳସ୍ତର ଉପରେ ନଜର ରଖାଯାଉଛି। ନେପାଳ ସରକାର ଏବେ ଉଦ୍ଧାର, ନିଖୋଜଙ୍କ ସନ୍ଧାନ ଓ ଭିତ୍ତିଭୂମି ପୁନରୁଦ୍ଧାରକୁ ସର୍ବାଧିକ ପ୍ରାଥମିକତା ଦେଉଛି।

