News18 Odia Digital Orangutans News: ଓରାଙ୍ଗଉଟାନ ଚ୍ୟାଲେଞ୍ଜ ଗ୍ରହଣ କଲେ ରାଜ୍ୟ ସରକାର । ଓଡ଼ିଶାର ପରିବେଶରେ ଓରାଙ୍ଗଉଟାନମାନଙ୍କୁ କିଭଳି ସୁସ୍ଥ ଓ ସୁରକ୍ଷିତ ଭାବେ ରଖାଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରିଛନ୍ତି ସରକାର । ଯେଉଁ କମିଟିରେ ନନ୍ଦନକାନନ ନିର୍ଦ୍ଦେଶକଙ୍କ ସମେତ ଡେରାଡୁନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା ନିର୍ଦ୍ଦେଶକ, ମହୀଶୂର ଚିଡ଼ିଆଖାନା ଅଧିକାରୀ ଏବଂ ରାଜ୍ୟର ବନ୍ୟପ୍ରାଣୀ ବିଶେଷଜ୍ଞ ରହିଛନ୍ତି ।
ପୁଣି ଜ୍ବରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କ ଭିତରୁ ସବୁଠୁ ଛୋଟ ଓରାଙ୍ଗଉଟାନକୁ ଜ୍ବର ହେବା ପରେ ଆଲର୍ଟ ହୋଇଛନ୍ତି ଡାକ୍ତରୀ ଟିମ୍ । ସଂଘରୋଧ ଗୃହ ଚାରିପଟେ ମଶା ନିରୋଧୀ ଜାଲି ଲଗାଯିବା ସହ ଖାଦ୍ୟରେ ପରିବର୍ତ୍ତନ କରାଯାଇଛି । ୨ ଘଣ୍ଟା ବଦଳରେ ପ୍ରତି ୩ ଘଣ୍ଟାରେ ଖାଦ୍ୟ ଦିଆଯାଉଛି ।.. ସେପଟେ ଓରାଙ୍ଗଉଟାନଙ୍କ ଲାଳନପାଳନ ଓ ସୁସ୍ଥତା ପାଇଁ ବିଶେଷଜ୍ଞମାନଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।
କମିଟିରେ ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ସଦସ୍ୟ ତଥା ଆବାହକ ଅଛନ୍ତି । ସେହିପରି ଡେରାଡୁନରେ ଥିବା ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା ନିର୍ଦ୍ଦେଶକଙ୍କ ଜଣେ ପ୍ରତିନିଧି, ଓୟୁଏଟି ବନ୍ୟପ୍ରାଣୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରକଳ୍ପ ସଂଯୋଜକ ପ୍ରଫେସର ଆଦିତ୍ୟ ଆଚାର୍ଯ୍ୟ, ଦିଲ୍ଲୀ ନ୍ୟାସନାଲ ଜୁଲୋଜିକାଲ ପାର୍କର ଜଣେ ଅଧିକାରୀ କମିଟିର ସଦସ୍ୟ ଅଛନ୍ତି । ମହୀଶୂର ଚିଡିଆଖାନାରେ ଓରାଙ୍ଗଉଟାନ ଥିବାରୁ ସେଠାକାର ଭେଟେରନାରୀ ଅଧିକାରୀଙ୍କୁ କମିଟିରେ ରଖାଯାଇଛି । ନନ୍ଦନକାନନ ପରିବେଶରେ ଏହି ଓରାଙ୍ଗଉଟାନମାନଙ୍କୁ କିଭଳି ସୁସ୍ଥ ଓ ସୁରକ୍ଷିତ ରଖାଯାଇପାରିବ, ସେ ନେଇ କମିଟି ସଦସ୍ୟମାନେ ପରାମର୍ଶ ଦେବେ ।
ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଏ.କେ ସିଂ କହିଛନ୍ତି, ସରକାର କମିଟି ଗଠନ କରିବାର ଅର୍ଥ ହେଉଛି, ଓରାଙ୍ଗଉଟାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ଦିଗରେ ସରକାର ଏକ ଚ୍ୟାଲେଞ୍ଜ ଗ୍ରହଣ କଲେ । ସେମାନଙ୍କ ଦୈନନ୍ଦିନ ଖାଦ୍ୟ ସହ ସ୍ବାସ୍ଥ୍ୟ ଓ ଜୀବନ ଶୈଳୀ ଉପରେ ବୈଷୟିକ କମିଟି ତୀକ୍ଷଣ ନଜର ରଖିବା ସହ ସମସ୍ତ ପ୍ରକାର ଯତ୍ନ ନେବେ।
ବନ୍ୟପ୍ରାଣୀ ବିଶେଷଜ୍ଞ ସୁଶାନ୍ତ ନନ୍ଦଙ୍କ ମତରେ, ଆଇନ ଦୃଷ୍ଟିକୋଣରୁ ବାହାର ଦେଶର କୌଣସି ଜୀବଜନ୍ତୁଙ୍କୁ ଆମେ ରଖି ପାରିବା ନାହିଁ। ଏହାର ମୂଳ ଠିକଣା ମିଳିଲେ, ସେ ଦେଶକୁ ହସ୍ତାନ୍ତର କରିଦିଆଯିବ । ବନ୍ୟଜନ୍ତୁ ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବେ । ବୈଷୟିକ କମିଟି ସବୁ ଦିଗରୁ ଓରାଙ୍ଗଉଟାନମାନଙ୍କ ଯତ୍ନ ନେବେ ବୋଲି ସେ ଆଶା ରଖିଛନ୍ତି ।
ବାଲେଶ୍ବର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ଏହି ଓରାଙ୍ଗଉଟାନମାନଙ୍କୁ ଉଦ୍ଧାର କରାଯାଇଥିଲା ଦୀଘା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏବଂ ପଶ୍ଚିମବଙ୍ଗ ପୋଲିସ ବିଗତ କିଛି ଦିନ ହେଲା ମିଳିତ ତଦନ୍ତ କରୁଥିବାରୁ ଏକ ହୋଟେଲର ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ତେବେ ହୋଟେଲ ମାଲିକଙ୍କ ପତ୍ନୀ ଓ ଝିଅଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି ।
କାରଣ ଯେଉଁ ଥର ଗାଡ଼ି କଥା ସାମ୍ନାକୁ ଆସିଛି, ସେଇ ଗାଡ଼ିର ମାଲିକ ହେଉଛନ୍ତି ଜୟନ୍ତ ମାଇତି । ଜୟନ୍ତଙ୍କ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବାରୁ, ସେଥିରୁ ଓରାଙ୍ଗଉଟାନ ସ୍ମଗଲିଂର ବଡ଼ ସୁରାକ ମିଳିବା ଆଶା କରାଯାଉଛି ।

