News18 Odia Digital PoK Protest: ଦିନେ ଯେଉଁ PoK ମାଟିକୁ ବ୍ୟବହାର କରି ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦର ବିଷ ମଞ୍ଜି ବୁଣୁଥିଲା, ଆଜି ସେହି ମାଟିରେ ପାକିସ୍ତାନ ସେନା ବିରୋଧରେ ବିଦ୍ରୋହର ନିଆଁ ଜଳୁଛି...
କର୍ମର ଫଳ ଆଜି ପାକିସ୍ତାନକୁ ଭୋଗିବାକୁ ପଡୁଛି। PoKର ମୁଜାଫରାବାଦ ଓ ରାୱଲକୋଟ୍ ଭଳି ସହରରେ ହିଂସା ଚରମ ସୀମାରେ ପହଞ୍ଚିଛି।
କର୍ମର ଫଳ ଆଜି ପାକିସ୍ତାନକୁ ଭୋଗିବାକୁ ପଡୁଛି। PoKର ମୁଜାଫରାବାଦ ଓ ରାୱଲକୋଟ୍ ଭଳି ସହରରେ ହିଂସା ଚରମ ସୀମାରେ ପହଞ୍ଚିଛି।
୯୦ ଦଶକରେ ଯେଉଁ ଲାଉଡ୍ସ୍ପିକର ଗର୍ଜନ ଜାମ୍ମୁ କାଶ୍ମୀରର ଘାଟିରେ ଆତଙ୍କ ଖେଳାଉଥିଲା, ଆଜି ସେହି ଲାଉଡ୍ସ୍ପିକର ପାକିସ୍ତାନ ଅଧିକୃତ କାଶ୍ମୀରର ମସଜିଦ୍ଗୁଡ଼ିକରେ ଗୁଞ୍ଜରିତ ହେଉଛି। କିନ୍ତୁ ଏଥର ସ୍ବର ରହିଛି ଭିନ୍ନ। ପାକିସ୍ତାନ ସେନାର ଅତ୍ୟାଚାର ବିରୋଧରେ ଏକାଠି ହେବାକୁ ସ୍ଥାନୀୟ ଇମାମମାନେ ଏବେ କାଶ୍ମୀରବାସୀଙ୍କୁ ଆହ୍ବାନ ଦେଉଛନ୍ତି।
ଜାମ୍ମୁ କାଶ୍ମୀରର ପୂର୍ବତନ ଡିଜିପି ଏସ୍.ପି ବୈଦ୍ୟଙ୍କ କହିବା ଅନୁସାରେ, ଇତିହାସ ପୁଣି ଥରେ ଦୋହରିଛି। ଦିନେ ପାକିସ୍ତାନ ସେନା ଏବଂ ଆଇଏସଆଇ ଯେଉଁ ସାଲୋତ୍ରୀ ମସଜିଦ୍ରୁ ଭାରତୀୟ ଯୁବକମାନଙ୍କୁ ଭୁଲାଇ PoKକୁ ଆଣୁଥିଲେ, ଆଜି ସେହି ଅଞ୍ଚଳରେ ନିଜ ସେନା ବିରୋଧରେ ଜନ ବିଦ୍ରୋହ ସୃଷ୍ଟି ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ କେବଳ ୫୦ରୁ ଅଧିକ ଲୋକ ସେନାର ଗୁଳିରେ ପ୍ରାଣ ହରାଇଛନ୍ତି।
ଆନ୍ଦୋଳନର ପ୍ରମୁଖ କେନ୍ଦ୍ର ପାଲଟିଥିବା ରାୱଲକୋଟ୍ରୁ ଆସିଥିବା ଚିତ୍ର ସମସ୍ତଙ୍କୁ ଚକିତ କରୁଛି। ସେଠାରେ ଥିବା ଏକ ଅସ୍ଥାୟୀ କ୍ଲିନିକର ଡାକ୍ତର ଅନୱରଙ୍କ କହିବା କଥା, ପାକିସ୍ତାନୀ ସେନାର ମୁଖ୍ୟ ଟାର୍ଗେଟରେ ଅଛନ୍ତି ୧୫ ରୁ ୩୫ ବର୍ଷର ଯୁବପିଢ଼ି। କ୍ଲିନିକ୍ରେ କେବଳ ପ୍ରାଥମିକ ଚିକିତ୍ସା ଏବଂ ଗୁଳି ବାହାର କରାଯାଉଛି, କିନ୍ତୁ ଗୁରୁତର ଆହତଙ୍କ ପାଇଁ ବଡ଼ ମେଡିକାଲର ସୁବିଧା ନାହିଁ।
ଆନ୍ଦୋଳନକାରୀଙ୍କ ସଂଗଠନ JAAC ଅଭିଯୋଗ କରିଛି ଯେ, ଗତ ଅକ୍ଟୋବର ମାସରେ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମାକୁ ଲାଗୁ କରାଗଲା ନାହିଁ। ମହଙ୍ଗା ମାଡ଼, ବିଦ୍ୟୁତ କାଟ୍ ଏବଂ ଖାଦ୍ୟ ସଙ୍କଟ ଯୋଗୁଁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ସ୍ଥାନୀୟ ପ୍ରଶାସନ ଏହି ସଂଗଠନକୁ ନିଷେଧ ଘୋଷଣା କରି ଏହାକୁ ନିର୍ବାଚନରେ ବାଧା ସୃଷ୍ଟି କରୁଥିବା ଏକ ସଶସ୍ତ୍ର ଗୋଷ୍ଠୀ ବୋଲି କହୁଛି।
PoK ହାତରୁ ଖସିଯାଉଥିବା ଦେଖି ପାକିସ୍ତାନ ଏବେ ଅନ୍ତର୍ଜାତୀୟସ୍ତରରେ ନିଜର ସମ୍ମାନ ବଞ୍ଚାଇବା ପାଇଁ ଭାରତର କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ାଇବାକୁ ବଡ଼ ଧରଣର ଷଡ଼ଯନ୍ତ୍ର କରୁଛି।
କୁଲଗାମ୍ ଓ ଅନନ୍ତନାଗରେ ହୋଇଥିବା ସାମ୍ପ୍ରତିକ ଟାର୍ଗେଟ୍ କିଲିଂ ଏହାର ସ୍ପଷ୍ଟ ପ୍ରମାଣ। କିନ୍ତୁ PoK ଭିତରେ ଯେଉଁ ବିଦ୍ରୋହର ନିଆଁ ଜଳିଛି, ତାହାକୁ ଆଉ ଚାପି ରଖିବା ପାକିସ୍ତାନ ପାଇଁ ସହଜ ନୁହେଁ...
ବ୍ୟୁରୋ ରିପୋର୍ଟ, ନ୍ୟୁଜ18 ଓଡ଼ିଆ

