ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି । ୨ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ମଧ୍ୟପ୍ରାଚ୍ୟରେ ଗତ ଫେବ୍ରୁଆରୀ ୨୮ ତାରିଖ ଠାରୁ ଜାରି ଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିଛନ୍ତି। ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ଇରାନ ରାଜି ହେବା ପରେ ଯୁଦ୍ଧବିରତି ହୋଇଥିବା ଜଣାପଡିଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ଅନୁରୋଧ ପରେ ଯୁଦ୍ଧ ଟଳିଲା ।ଇରାନର ୧୦ ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା ହେବ ।
ଟ୍ରମ୍ପ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଆମେରିକା ଇରାନ ସହିତ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ରାଜି ହୋଇଛି। ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରି ଏହାର ସମ୍ପୂର୍ଣ୍ଣ ସଭ୍ୟତାକୁ ଧ୍ୱଂସ କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ତାଙ୍କର ଏହି ବୟାନ ଆସିଛି।
ଏହି ଚୁକ୍ତିନାମା ଘୋଷଣା କରି ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି, ମୁଁ ଦୁଇ ସପ୍ତାହ ପାଇଁ ଇରାନ ଉପରେ ବୋମାମାଡ଼ ଏବଂ ଆକ୍ରମଣ ସ୍ଥଗିତ ରଖିବାକୁ ରାଜି। ଏହା ଏକ ଦ୍ୱିପାକ୍ଷିକ ଯୁଦ୍ଧବିରତି ହେବ। ସିଜ୍ଫାୟର ଘୋଷଣା କରିବା ସହିତ ଟ୍ରମ୍ପ କହିଛନ୍ତି ଷ୍ଟ୍ରେଟ୍ ଅଫ ହରମୁଜ ଖୋଲିବାକୁ ଇରାନ ୧୦ ସୂତ୍ରୀ ଶାନ୍ତି ପ୍ରସ୍ତାବ ରଖିଛି। ଏହାକୁ ସ୍ୱୀକାର କରି ଆମେରିକା ଇରାନୀ ସେତୁ(ବ୍ରିଜ୍), ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବ ନାହିଁ।
ଆସନ୍ତା ଶୁକ୍ରବାର ଦିନ ପାକିସ୍ତାନର ଇସଲାମାବାଦରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେବ । ଆମେରିକା ଏବଂ ଇରାନ ମଧ୍ୟରେ ଅଧିକାଂଶ ବିବାଦୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଇସ୍ରାଏଲ ମଧ୍ୟ ଏହି ଯୁଦ୍ଧବିରତି ପାଇଁ ରାଜି ହୋଇଛି ଏବଂ ଲେବାନନରେ ହିଜବୁଲ୍ଲା ସହ ଚାଲିଥିବା ଲଢ଼େଇକୁ ସ୍ଥଗିତ ରଖିଛି। ଯୁଦ୍ଧ ବିରତି ଖବର ଆସିବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦରହ୍ରାସ ପାଇଛି ।

