ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ମଙ୍ଗରାଜପୁର ଗ୍ରାମରେ ୨୨ ଜଣ ମହିଳା ଜନୈକା ମହିଳାଙ୍କ ଦ୍ୱାରା ଠକାମୀର ସମ୍ମୁଖୀନ ହୋଇଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗରୁ ଯାହା ଜଣାଯାଏ ୨୩ ଜଣ ମହିଳାଙ୍କୁ ନେଇ ଗଠିତ ସ୍ୱୟଂ ସହାୟିକା ଗୋଷ୍ଠୀର ଏହି ମହିଳା ଜଣକ ଅନ୍ୟ ୨୨ ଜଣଙ୍କ ଠାରୁ କାଗଜପତ୍ର ନେଇ ଘରୋଇ ଋଣ ଲଗାଣକାରୀ ସଂସ୍ଥାରୁ ଋଣ କରାଇଥିଲେ । ଏବଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ନେଇଥିବାବେଳେ ଆଉ ଫେରାଇନଥିଲେ । ଫଳରେ ମହିଳାମାନେ ତାଙ୍କୁ ବାରମ୍ବାର ଭେଟି କୌଣସି ସୁଫଳ ପାଇନଥିବାବେଳେ ସଂପୃକ୍ତ ମହିଳା ଇତିମଧ୍ୟରେ ସପରିବାର ଗାଁ ଛାଡି ପଳାଇଥିଲେ । ଅନ୍ୟପଟେ ଋଣ ଲଗାଣକାରୀ ସଂସ୍ଥା ଏହି ମହିଳାମାନଙ୍କ ଦୁଆରେ କିସ୍ତି ଟଙ୍କା ଦାବି କରି ବସିରହିଥିଲା ।