Dailyhunt
୨୨ ଜଣ ମହିଳାଙ୍କୁ ଠକି ମହିଳା ଚମ୍ପଟ, ଥାନାରେ ଅଭିଯୋଗ

୨୨ ଜଣ ମହିଳାଙ୍କୁ ଠକି ମହିଳା ଚମ୍ପଟ, ଥାନାରେ ଅଭିଯୋଗ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ମଙ୍ଗରାଜପୁର ଗ୍ରାମରେ ୨୨ ଜଣ ମହିଳା ଜନୈକା ମହିଳାଙ୍କ ଦ୍ୱାରା ଠକାମୀର ସମ୍ମୁଖୀନ ହୋଇଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗରୁ ଯାହା ଜଣାଯାଏ ୨୩ ଜଣ ମହିଳାଙ୍କୁ ନେଇ ଗଠିତ ସ୍ୱୟଂ ସହାୟିକା ଗୋଷ୍ଠୀର ଏହି ମହିଳା ଜଣକ ଅନ୍ୟ ୨୨ ଜଣଙ୍କ ଠାରୁ କାଗଜପତ୍ର ନେଇ ଘରୋଇ ଋଣ ଲଗାଣକାରୀ ସଂସ୍ଥାରୁ ଋଣ କରାଇଥିଲେ । ଏବଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ନେଇଥିବାବେଳେ ଆଉ ଫେରାଇନଥିଲେ । ଫଳରେ ମହିଳାମାନେ ତାଙ୍କୁ ବାରମ୍ବାର ଭେଟି କୌଣସି ସୁଫଳ ପାଇନଥିବାବେଳେ ସଂପୃକ୍ତ ମହିଳା ଇତିମଧ୍ୟରେ ସପରିବାର ଗାଁ ଛାଡି ପଳାଇଥିଲେ । ଅନ୍ୟପଟେ ଋଣ ଲଗାଣକାରୀ ସଂସ୍ଥା ଏହି ମହିଳାମାନଙ୍କ ଦୁଆରେ କିସ୍ତି ଟଙ୍କା ଦାବି କରି ବସିରହିଥିଲା ।

ଏହି ଘଟଣାକୁ ନେଇ ଦୀର୍ଘ ୨ ମାସ ଧରି ଉକ୍ତ ଗ୍ରାମରେ ଅଶାନ୍ତି ଲାଗିରହିଥିବାବେଳେ ପୁଲିସ୍ ଅଭିଯୋଗ ପାଇ ମଧ୍ୟ ସଂପୃକ୍ତ ମହିଳା ଗ୍ରାମରେ ନଥିବାର ଆଳ ଦେଖାଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ତେବେ ଅଭିଯୁକ୍ତ ମହିଳାଙ୍କୁ ପୁଲିସ୍ ଖୋଜି ବାହାର କରିବା ସହ ସେମାନଙ୍କ ଟଙ୍କା ଫେରସ୍ତ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଅର୍ଣ୍ଣପୂର୍ଣ୍ଣା ପତି, ମିନତୀ ପାତ୍ର, ଲକ୍ଷ୍ମୀ ସାହୁ, ଦ୍ରୌପଦୀ ସାହୁ, ଅର୍ଚ୍ଚନା ପତି, ବାସନ୍ତୀ ବାରିକ, ମିନତୀ ସେନାପତି, କାଂଚନ ତ୍ରିପାଠୀ, ଆରତୀ ସେନାପତି, ସଂଜୁଲତା ପୁହାଣ ଓ ପାର୍ବତୀ ସାହୁ ଭଳି ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି । ବିଶେଷକରି ଠକେଇର ସମ୍ମୁଖୀନ ହୋଇଥିବା ଏହି ମହିଳାମାନଙ୍କ ଆର୍ଥିକ ସଂକଟ ଥିବାବେଳେ ସେମାନଙ୍କ ନାମରେ ଏଭଳି ଋଣ ଉଠାଣ ହୋଇଥିବା ଓ ଘରୋଇ ଋଣ ଲଗାଣକାରୀ ସଂସ୍ଥା ତାଗିଦ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua