Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୫ ଦିନ ପରେ ବି ପହଂଚିନି ରିଲିଫ, ଧାମନଗର ବନ୍ୟାଂଚଳରେ ବିଜେଡିର ସ୍ଥିତି ପରଖିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ନିଷ୍କ୍ରିୟତା ନେଇ ଲୋକଙ୍କ କ୍ଷୋଭକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ସରକାରକୁ ଘେରିଲେ

୫ ଦିନ ପରେ ବି ପହଂଚିନି ରିଲିଫ, ଧାମନଗର ବନ୍ୟାଂଚଳରେ ବିଜେଡିର ସ୍ଥିତି ପରଖିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ନିଷ୍କ୍ରିୟତା ନେଇ ଲୋକଙ୍କ କ୍ଷୋଭକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ସରକାରକୁ ଘେରିଲେ

ଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ୟା ପରେ ଧାମନଗର ବ୍ଲକର ଅନେକ ଅଂଚଳରେ ଲୋକଙ୍କ ଦୁର୍ଦ୍ଦଶା ଜାରି ରହିଥିବାବେଳେ, ବନ୍ୟାର ପାଂଚ ଦିନ ପରେ ମଧ୍ୟ ଅନେକ ପ୍ରଭାବିତ ପରିବାରଙ୍କ ନିକଟରେ ସରକାରୀ ରିଲିଫ୍ ପହଂଚି ନଥିବା ଅଭିଯୋଗ ଉଠିଛି। ଏପରି ପରିସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମଙ୍ଗଳବାର ଧାମନଗର ବ୍ଲକର ବନ୍ୟା ଓ ଜଳବନ୍ଦୀ ପ୍ରଭାବିତ ଅଂଚଳ ଗସ୍ତ କରି କ୍ଷତିଗ୍ରସ୍ତଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ସାହସପୁର ପଂଚାୟତର ତାରିଣୀ ଛକ, ବମକୁରା ପଂଚାୟତର ଦେଉଳଡ଼ିହ ଜେନାସାହି, ଖଡ଼ିମାହାରା ଓ ଘାଟସାହି, ହସନାବାଦ ପଂଚାୟତର ଅନଳଡ଼ିହ, ଅସ୍ତକ, ଗୋପବନ୍ଧୁନଗର , ଅର୍ଜୁନପୁର ପଂଚାୟତର ମଠସାହି , ବାଲିପାଟଣା , ତରେଇସାହି ଓ ସଇଲୋ ଠାରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା କୋଚିଳା ନଦୀ ବନ୍ଧ ଅଂଚଳ ବୁଲି ବନ୍ୟାର ସ୍ଥିତି ପରଖିଥିଲେ। ଚାଷୀମାନେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଧାନ ତଳି ଦେଖାଇ ନିଜ ଦୁଃଖ ବଖାଣିବା ସହ କ୍ଷତିପୂରଣ ଦାବି କରିଥିଲେ। ଗସ୍ତ ବେଳେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ, ବନ୍ୟାର ଏତେଦିନ ପରେ ମଧ୍ୟ ପଲିଥିନ, ଚୁଡ଼ା, ଗୁଡ଼ ଭଳି ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ସହିତ ଗୋ ଖାଦ୍ୟ ସେମାନଙ୍କ ପାଖରେ ପହଂଚିନାହିଁ। ବହୁ ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପହଂଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବମକୁରା ପଂଚାୟତର ଘାଟସାହି ମୁଖ୍ୟ ରାସ୍ତା ଉପରେ ଏବେ ମଧ୍ୟ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଯାତାୟାତ ବ୍ୟାହତ ହେଉଥିବାବେଳେ, ଗେଙ୍ଗୁଟି ନଦୀ କୂଳରେ ଅଧୁରା ପଡ଼ିଥିବା ଘେରୀ ବନ୍ଧ କାମ ପ୍ରତିବର୍ଷ ବନ୍ୟା ବିପଦକୁ ବଢ଼ାଉଥିବା ନେଇ ସ୍ଥାନୀୟ ବାସିନ୍ଦା ଉଦ୍ୱେଗ ପ୍ରକାଶ କରିଥିଲେ। ଅପରାହ୍ନରେ ହସନାବାଦ ସ୍ଥିତ ହୃଦାନନ୍ଦମଲ୍ଲିକ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ବନ୍ୟା ସମୟରେ ରିଲିଫ୍ ବଂଟନ, କ୍ଷୟକ୍ଷତି ଆକଳନ ଓ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।ଏହି ଗସ୍ତରେ ବିଜେଡିର ଧାମନଗର ନିର୍ବାଚନମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ବ୍ଲକ ବିଜେଡି ସଭାପତି ପ୍ରତାପ ସାମଲ, ଧୂଷୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଲା ବିଶ୍ୱାଳ, ତିହିଡି ବ୍ଲକର ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି, ପୂର୍ବତନ ଧାମନଗର ନଗର ସଭାପତି ସୁଶାନ୍ତ ରାଉତ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ଧାମନଗର ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳେଇ ଙ୍କ ସମେତ ବହୁ ବିଜେଡି ନେତା,କର୍ମୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua