Dailyhunt
ଆଦର୍ଶ ଗ୍ରାମ କଂଚନବିଲି: ୨୧ ଝିଅରେ ୧୬ ପୁଅ

ଆଦର୍ଶ ଗ୍ରାମ କଂଚନବିଲି: ୨୧ ଝିଅରେ ୧୬ ପୁଅ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫ ରହିଛି। ଯାହାକି କନ୍ୟା ସଂଖ୍ୟା କ୍ରମଶଃ ହ୍ରାସନେଇ ରାଜ୍ୟରେ ନୟାଗଡ଼ ଜିଲା ବେଶ୍ ଚର୍ଚ୍ଚିତ ହୋଇପଡ଼ିଛି। ଏହାକୁ ଆଖି ଆଗରେ ରଖି ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତର କଂଚନବିଲି ଗ୍ରାମରେ ସଚେତନତା କରାଯାଇ କନ୍ୟା ସଂଖ୍ୟା ବୃଦ୍ଧି କରାଯିବାରେ ନୂଆ ସମ୍ଭାବନା ସୃଷ୍ଟି କରିଛି। କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ସମ୍ପ୍ରତି ଏହାର ସଫଳତା ଦେଖାଦେଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ବର୍ଷ ବୟସର ଶିଶୁମାନଙ୍କ ନାମ ଲେଖାଇବାର ସୁବିଧା କରି ଶିଶୁମାନଙ୍କୁ ଶାରିରୀକ, ପୌଷ୍ଠିକ, ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ ସରକାର ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏହାର ସୁଦୁର ପ୍ରସାରୀ ସଫଳତା ଦେଖାଯାଉଛି।

ଏହି ପରିପ୍ରେକ୍ଷିରେ ଅଙ୍ଗନବାଡ଼ି ପକ୍ଷରୁ କନ୍ୟାଭୃଣ ହତ୍ୟା ଉପରେ ବୁଝେଇବା, ପୁଅ ତୁଳନାରେ ଝିଅ ଜନ୍ମକୁ ପାପ ବୋଲି ନଭାବି ଝିଅକୁ ଘରର ଗୌରବ ବୋଲି ଭାବିବା ସହିତ ଝିଅବି ବାପା ମା'ଙ୍କର ଆଶା ଭରଷା ବୋଲି ବାରମ୍ବାର ସଚେତନତା କରାଯାଉଥିଲା। ଯାହାକି ଏହାର ସଫଳତା କଂଚନବିଲିରେ ଦେଖାଯାଇଛି। ସଚେତନତା ପରେ ଦେଖିବାକୁ ଗଲେ ଏବେ ଗ୍ରାମରେ ପ୍ରୁଅ ଝିଅଙ୍କ ସଂଖ୍ୟା ୦ରୁ ୬ବର୍ଷ ଭିତରେ ଝିଅଙ୍କ ସଂଖ୍ୟା ୩୫ ଥିବାବେଳେ ପୁଅଙ୍କ ସଂଖ୍ୟା ୩୪ ରହିଛି। ୩ରୁ ୬ବର୍ଷ ଭିତରେ ପୁଅ ଝିଅଙ୍କ ସଂଖ୍ୟା ହିସାବକୁ ନେଲେ ଝିଅଙ୍କ ସଂଖ୍ୟା ୨୧ ଥିବାବେଳେ ପୁଅଙ୍କ ସଂଖ୍ୟା ୧୬ ରହିଛି। ଏବଂ ସେଥିମଧ୍ୟରୁ ୩ରୁ ୬ବର୍ଷ ଭିତରେ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ଝିଅଙ୍କ ସଂଖ୍ୟା ୧୭ ଥିବାବେଳେ ପୁଅଙ୍କ ସଂଖ୍ୟା ୧୦ ରହିଛି। ଯାହାକି ପୂର୍ବରୁ ଏହି ଗ୍ରାମରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ବହୁତ ଥିଲା।

ଏପରିକି ଗ୍ରାମରେ ସମ୍ପ୍ରତି ମୋଟ ଜନସଂଖ୍ୟା ୮୦୨ ଥିବାବେଳେ ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୪୩୦ ଓ ମହିଳାଙ୍କ ସଂଖ୍ୟା ୩୭୨ ରହିଛି। ତେବେ ଲୋକମାନଙ୍କୁ ସଚେତନତା କରିବା ପରେ ଏହି ଗ୍ରାମରେ କନ୍ୟା ସଂଖ୍ୟା ବୁଦ୍ଧି ପାଇଥିବା କହନ୍ତି କଂଚନବିଲି ଅଙ୍ଗନାବାଡ଼ି କେନ୍ଦ୍ରର କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ। ତେବେ ନୟାଗଡ଼ ଜିଲାରେ କନ୍ୟା ସଂଖ୍ୟା ହ୍ରାସନେଇ ଜିଲାରେ ଉଦ୍‌ବେଗଜନକ ସ୍ଥିତି ଥିବାବେଳେ ଏପରି ସଚେତନତା ଯୋଗୁଁ କଂଚନବିଲି ଗ୍ରାମରେ କନ୍ୟାସଂଖ୍ୟା ବୃଦ୍ଧିକୁ ନେଇ ନୂଆ ଆଶା ସଂଚାର କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua