Dailyhunt
ଅନନ୍ୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ବିୟୋଗ

ଅନନ୍ୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ବିୟୋଗ

ଭୁବନେଶ୍ୱର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଓଡ଼ିଶାର ବିଶିଷ୍ଟ ବରପୁତ୍ରୀ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର କୋଲକାତାଠାରେ ବିୟୋଗ ଘଟିଛି। ଅସୁସ୍ଥତା ଯୋଗୁଁ ସେ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ ଆଜି ସକାଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା ସୁନନ୍ଦା ୧୯୮୩ଠାରୁ କୋଲକାତାରେ ରହୁଥିଲେ। ସୁନନ୍ଦାଙ୍କ ଜନ୍ମ ୧୯୩୪ ମସିହା ନଭେମ୍ବର ୭ ତାରିଖରେ କଟକଠାରେ ହୋଇଥିଲା। ସେ ମାତ୍ର ୧୪ ବର୍ଷ ବୟସରେ କଟକ ଆକାଶବାଣୀ କେନ୍ଦ୍ରରେ ସଂଗୀତ ପରିବେଷଣ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହାରେ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।

ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ଗାୟିକା ସୁନନ୍ଦା ପଟ୍ଟନାୟକ 'ଗୁରୁମା' ଭାବେ ଲୋକପ୍ରିୟ ଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ପ୍ରଖ୍ୟାତ ଗୁରୁ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଶିଷ୍ୟା ସୁନନ୍ଦା 'ତରାନା' ଗାୟନ ଲାଗି ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ଶହ ଶହ ରାଗ, ଖୟାଲ ଓ ତରାନା ଏବେ ବି ଶାସ୍ତ୍ରୀୟ ସଂଗୀତପ୍ରେମୀଙ୍କ ମନରେ ଅନୁରଣିତ ହୁଏ।କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua