Tuesday, 22 Oct, 12.15 am ଓଡିଆ ପୁଅ

ଜିଲ୍ଲା ପରିକ୍ରମା
ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରି ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଫେରାର

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ଗ୍ରାମର ବାଇଶା ସାହି ନିବାସୀ ଜନୈକା ବିବାହିତା ମହିଳାଙ୍କୁ ବ୍ଲାକ୍ମେଲିଂ କରି ସ୍ଥାନୀୟ ଖୁଣ୍ଟିଆସାହିର ଜଣେ ବିବାହିତ ଯୁବକ ବଳାତ୍କାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣାରେ ଫେରାର ଅଭିଯୁକ୍ତ ଯୁବକ ସୋସିଆଲ ମିଡିଆରେ ଭାଇରାଲ କରିଥିବା କେତେକ ଅଡିଓରୁ ଏହା ବଳାତ୍କାର ନଥାଇ ପୂର୍ବ ସଂପର୍କରୁ ଉପୁଜିଥିବା ବିବାଦ ବୋଲି ଜଣାପଡିଛି। ତଥାପି ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗକାରିଣୀ ମହିଳାଙ୍କ ଅଭିଯୋଗ କ୍ରମେ ସଂପୃକ୍ତ ଯୁବକଙ୍କ ନାମରେ କେଶ୍ ନଂ ୫୫୯/୧୯, ଦଫା ୩୭୬/୫୦୬ ମୂଳେ ମାମଲା ରୁଜୁ ହୋଇଥିଲେ ବି ଅଭିଯୁକ୍ତ ଫେରାର ରହିଛି। ଅଭିଯୋଗକାରିଣୀ ବିବାହିତା ମହିଳାଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ତାଙ୍କ ସ୍ୱାମୀ ବିଦେଶରେ ରହୁଥିବାବେଳେ ସେ ଖୁଣ୍ଟିଆସାହିର ଶରତ ନାୟକ ଓରଫ କାଳିଆଙ୍କ ପତ୍ନୀ ସଂଜୁଲତାଙ୍କ ମାଧ୍ୟମରେ ସୁନାଗହଣା ସୁଧକୁ ବନ୍ଧକ ରଖି ଟଙ୍କା ନେଇଥାନ୍ତି। ଏହିଭଳି ଭାବେ ସେ ପ୍ରତିମାସ ମୂଳ ୨୫ ହଜାର ଟଙ୍କା ବାବଦକୁ ଶରତଙ୍କୁ ମାସିକ ୧୫ ଶହ ଟଙ୍କା ସୁଧ ଦେଇଆସୁଥିଥିଲେ। ତେବେ ୬ ମାସ ସୁଧ ଦେବା ପରେ ଦୁଇମାସ ସୁଧ ବାକିଥିବାରୁ ଶରତ ତାଙ୍କୁ ବାଟରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେଇଥିଲା। ଏକଥା ସଂପୃକ୍ତ ମହିଳା ତାଙ୍କ ପିତାଙ୍କୁ ଜଣାଇ ସୁଧ ଓ ମୂଳ ଟଙ୍କା ପରିଶୋଧ କରିଥିଲେ। ଇତିମଧ୍ୟରେ ଶରତ ସଂପୃକ୍ତ ମହିଳାଙ୍କୁ ନିଜ ଘର ନିର୍ମାଣ ବାବଦ କିଛି ଟଙ୍କା ଗ୍ରୁପ୍ରୁ ଆଣି ତାକୁ ଦେବାକୁ କହିଥିଲା। ଫଳରେ ମହିଳା ଜଣକ ଅର୍ଣ୍ଣପୂର୍ଣ୍ଣା, ଆଶୀର୍ବାଦ ଗ୍ରୁପ୍ ଓ ଆଇସିସିଆଇ ବ୍ୟାଙ୍କରୁ ମୋଟ ୧ ଲକ୍ଷ ୩୬ ହଜାର ଟଙ୍କା ଉଠାଇ ସଂପୃକ୍ତ ଯୁବକଙ୍କୁ ଦେଇଥିଲେ। କିନ୍ତୁ କିସ୍ତି ଟଙ୍କା ନଦେବାରୁ ମହିଳା ଜଣକ ତାଙ୍କ ଘରକୁ ବାରମ୍ବାର ଯାଇ ଫେରିବା ପରେ ଯୁବକ ଜଣକ ବନ୍ଧକ ରଖିଥିବା ଗହଣା ଦେବ ବୋଲି ତାଙ୍କ ଘରପାଖ ପଂଚାୟତ ଅଫିସ୍କୁ ଡାକି ବଳାତ୍କାର କରିଥିଲା। ସେ ପାଟି କରିବାରୁ ଏକଥା କାହାକୁ କହିଲେ ସେ ତା ସ୍ୱାମୀକୁ ହତ୍ୟା କରିବା ସହ ରେକର୍ଡ କରିଥିବା ଅଡିଓକୁ ଭାଇରାଲ କରିଦେବାର ଚେତାବନୀ ଦେଇଥିଲା। ତେବେ ମହିଳା ଜଣକ ଏକଥା କାହାକୁ କିଛି ନକହି ସ୍ୱାମୀ ଆସିବା ପରେ ଏବେ କହି ନିଜ ପିତାଙ୍କ ସହ ଥାନାରେ ଅଭିଯୋଗ କରିଥିବା ବିଷୟ କହିଛନ୍ତି। ମାତ୍ର ଫେରାର ଥିବା ଯୁବକ ଜଣକ ସୋସିଆଲ ମିଡିଆରେ ମହିଳା ଓ ତାଙ୍କର ଯେଉଁ ଅଡିଓ ଭାଇରାଲ କରିଛନ୍ତି, ସେଥିରୁ ଉଭୟଙ୍କର ଅନୈତିକ ସଂପର୍କ ରହିଥିବାର ସ୍ପଷ୍ଟ ଜଣାପଡିଛି। ଏଣୁ ଏହି ଘଟଣାରେ ପୁଲିସ୍ ସତର୍କତାର ସହ ତଦନ୍ତ କରୁଥିବାର ଜଣାପଡୁଛି।

Continue reading ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରି ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଫେରାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odia Pua
Top