Dailyhunt
ତହସିଲ ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି, ଅସରାଏ ବର୍ଷାରେ ରାସ୍ତା ଉବୁଟୁବୁ , ଯାତାୟତରେ ଲୋକେ ହନ୍ତସନ୍ତ

ତହସିଲ ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି, ଅସରାଏ ବର୍ଷାରେ ରାସ୍ତା ଉବୁଟୁବୁ , ଯାତାୟତରେ ଲୋକେ ହନ୍ତସନ୍ତ

ଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ତହସିଲ ରାସ୍ତାଟି ଖରା ଦିନ ବର୍ଷାରେ ଲହଡି ଭାଙ୍ଗୁଛି। ଆଗକୁ ବର୍ଷା ଦିନ ଆସୁଛି। ସେତେବେଳେ ରାସ୍ତାର ପରିସ୍ଥିତି କଣ ହେବ କହିଲେ ନସରେ। ଏବେ ମାତ୍ର ଅସରାଏ ବର୍ଷାରେ ରାସ୍ତା ଉବୁଟୁବୁ ହେଉଛି।ଏପରିକି ତହସିଲ କାର୍ଯ୍ୟାଳୟ ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତାରେ ପାଣି ସୁଅ ଛୁଟୁଛି କ୍ଷଯାହାଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ହନ୍ତସନ୍ତ ହେଉଛନ୍ତି।

ରାସ୍ତାର ସେହି କିଛି ସ୍ଥାନ ଅଣଓସାରିଆ ସାଙ୍ଗକୁ ଦବି ଯାଇଥିବାରୁ ବର୍ଷାପାଣି ନିଷ୍କାସିତ ହୋଇ ପାରୁନଥିବାରୁ ଏପରି ପରିସ୍ଥିତି ଉପୁଜୁଥିବା ଜଣାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିହିଡି଼ -ବିଲଣା ରାସ୍ତା ଆରମ୍ଭରେ ତହସିଲ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳ ପରିମଳ ବିଭାଗ ସମେତ ଉପ ନିବନ୍ଧକ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ଲୋକମାନେ ବିଭିନ୍ନ କାର୍ଯ୍ୟ ନେଇ ଏହିସବୁ କାର୍ଯ୍ୟାଳୟକୁ ଯାଇଥାନ୍ତି । ଏହାଛଡ଼ା ଭାଟପଡ଼ା, ମୁକୁନ୍ଦପୁର, ତାଳପଦା, ବାରୋ, ବିଲଣା, ବୋଡ଼କ,ତଳଗୋପବିନ୍ଧା ଇତ୍ୟାଦି ପଞ୍ଚାୟତର ଲୋକମାନେ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ ଧାମନଗର ବ୍ଲକକୁ ଏହି ରାସ୍ତା ମଧ୍ୟ ସଂଯୋଗୀକରଣ ହୋଇଛି।

ରାସ୍ତାରେ ମଧ୍ୟ ପ୍ରତିଦିନ ଶତାଧିକ ଯାନ ବାହାନ ଚଳାଚଳ କରିଥାଏ ।ରାସ୍ତା ପାର୍ଶ୍ୱରେ ମଧ୍ୟ କିଛି ପରିବାର ବସବାସ କରି ରହୁଛନ୍ତି । ବର୍ଷା ସମୟରେ ରାସ୍ତା ପାଣିରେ ବୁଡ଼ି ଯାଉଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରୁ ପାଣି ନିଷ୍କାସିତ ହୋଇପାରୁ ନଥିବାରୁ ଏହା ୩/୪ ଦିନ ପର୍ଯ୍ୟନ୍ତ ଜମି ରହୁଛି । ତାଉପରେ ମଧ୍ୟରେ ପୁଣି ବର୍ଷା ହେଲେ ପରିସ୍ଥିତି ଜଟିଳ ହୋଇପଡୁଛି । ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାକୁ ଉଚ୍ଚା କରି ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ଚିନ୍ତାମଣି ଦାସ,ଗଣେଷ ନାୟକ,ବିଶ୍ୱଜିତ ବେହେରା,ତ୍ରିଲୋଚନ ମହାଳିକ,ବିକାଶ ସେନାପତି,ପ୍ରଫୁଲ ପାତ୍ର, ପ୍ରଭାତ ପାତ୍ର, ସତ୍ୟବ୍ରତ କୁଣ୍ଡ ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି,ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua