Dailyhunt
ଯୁଗେ ଯୁଗେ ମା' ତଥା ନାରୀ ଚରିତ୍ର ବନ୍ଦନୀୟା, ମାତୃଶକ୍ତି ବନ୍ଦନ: ମା' ଓ ମାଟି ମହୋତ୍ସବ -୨୦୨୬ ର ତୃତୀୟ ସନ୍ଧ୍ୟା

ଯୁଗେ ଯୁଗେ ମା' ତଥା ନାରୀ ଚରିତ୍ର ବନ୍ଦନୀୟା, ମାତୃଶକ୍ତି ବନ୍ଦନ: ମା' ଓ ମାଟି ମହୋତ୍ସବ -୨୦୨୬ ର ତୃତୀୟ ସନ୍ଧ୍ୟା

ଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣରେ ବର୍ଣ୍ଣିତ ନାରୀ ଚରିତ୍ର; ସାବିତ୍ରୀ,ସୀତା , ଉର୍ମିଳା,ଅନସୂୟା, କୁନ୍ତୀ, ଗାନ୍ଧାରୀ ,ଅହଲ୍ୟା, ଦ୍ରୌପଦୀ, ଯଶୋଦା, ଗାର୍ଗୀ, ଲୋପାମୁଦ୍ରା ପରି ଅଧିକାଂଶ ନାରୀ ଚରିତ୍ର ଯେପରି ପୂଜନୀୟା ସେପରି ଇତିହାସର ତଥା ସାମ୍ପ୍ରତିକ ସମୟର ବହୁ ନାରୀ ଚରିତ୍ର ବନ୍ଦନୀୟା।

ଯୁଗେ ଯୁଗେ ମା’ ତଥା ନାରୀ ଚରିତ୍ର ବନ୍ଦନୀୟା ବୋଲି ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ କମିଟି ତଥା ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ, ଭଦ୍ରକ ଏବଂ ଭୂମି କନ୍ୟା ମହିଳା ସଙ୍ଗଠନ ଓଡ଼ିଶା, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ ସହର କଚେରୀ ବଜାର ସ୍ଥିତ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଆୟୋଜିତ ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ କମିଟିର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟ ତଥା ଭୂମି କନ୍ୟା ମହିଳା ସଙ୍ଗଠନ ଓଡ଼ିଶାର ସଭାନେତ୍ରୀ ସଂଯୁକ୍ତା ବଳ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସନ୍ଧ୍ୟାରେ ଭଦ୍ରକର ଜିଲ୍ଲାପାଳ, ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ‘ଅମୃତ ଦର୍ଶନ’ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ପ୍ରବାଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ଭଦ୍ରକ ପୌରପାଳିକା ପାରିଷଦ ସଦସ୍ୟା ସ୍ୱାଗତିକା ନାୟକ, କବୟିତ୍ରୀ ଓ ଅଧିବକ୍ତା ଚୈତାଳି ଖିଲାର ସମ୍ମାନନୀୟା ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ କବିତା ପାଠ ହୋଇ ଥିଲା ଏବଂ କବୟିତ୍ରୀ ଓ ପ୍ରାବନ୍ଧିକା ପ୍ରୀତିଲତା ପଣ୍ଡା ଓ ଅଧ୍ୟାପିକା ଦେବସ୍ମିତା ମିଶ୍ର କବିତା ସଂଯୋଜନା କରିଥିଲେ। ବିଶିଷ୍ଟ କବୟିତ୍ରୀ ବିଦ୍ୟୁତ୍ ପ୍ରଭାଙ୍କ ସ୍ମୃତିରେ ତୃତୀୟ ସନ୍ଧ୍ୟା ମଂଚକୁ ଉତ୍ସର୍ଗ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ ସ୍ୱାଗତ ଭାଷଣ ଓ ତେଜସ୍ୱିନୀ ମହିଳା ସଙ୍ଗଠନ, ଭଦ୍ରକର ସଭାନେତ୍ରୀ କଳ୍ପନା ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବର ଉପସଭାପତି, କବୟିତ୍ରୀ ଓ ଶିକ୍ଷୟିତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସଂଗୀତ ପରିବେଷଣ କରିଥିଲେ ଓ ତେଜସ୍ୱିନୀ ମହିଳା ସଙ୍ଗଠନ ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ନୀହାର ରଞ୍ଜନ କର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ସୁଦର୍ଶନ ନାୟକ ପରିଚାଳିତ ଦର୍ଶନ ସାଂସ୍କୃତିକ ଏକାଡେମୀ, ଭଦ୍ରକର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua