Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ଫୁଲୁରୀ ତେଲ ଲାଗି

ଆଜି ଫୁଲୁରୀ ତେଲ ଲାଗି

ODIASpotNEWS 3 weeks ago

ପୁରୀ : ସ୍ନାନଯାତ୍ରା ପରେ ଅଣସର ଘରେ ଅସୁସ୍ଥ ଦାରୁବ୍ରହ୍ମଙ୍କ ଅନବସର ତଥା ଗୁପ୍ତ ସେବା। ପଞ୍ଚମ ଦିନର ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିଛି । ଠାକୁରେ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ ଓ କରାଳ ଆଦି ଦିବ୍ୟ ବସ୍ତୁ ବାହାରିଛି । ଆଜି ଠାକୁରଙ୍କ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ ହେବ । ପରେ ଫୁଲୁରୀ ତେଲ ଲାଗି କରାଯାଇ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବାରେ ଲାଗିପଡ଼ିବେ ଦଇତାପତି ସେବାୟତଗଣ।

ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତ ହୋଇଛି ମହାପ୍ରଭୁଙ୍କ ଫୁଲୁରୀ ତେଲ । ଏଥିରେ ରହିଥାଏ ୨୪ ପ୍ରକାର ଉପାଦାନ । ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ଦୁର୍ଲଭ ଔଷଧିୟ ତେଲ ଠାକୁରଙ୍କୁ ଲାଗି ହେବ । ହେରାପଞ୍ଚମୀରେ ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ସରିଲେ ସାନ୍ଧ୍ୟ କାଳରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ତାଙ୍କ ସାହାଯ୍ୟକାରୀ କିମ୍ବା ଉତ୍ତରାଧିକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି ।

ମଠ ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ ରହିଛି । କେହି ନଦେଖିଲା ଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟି ଖୋଳା ହୋଇ ରହିଥାଏ । ମାଟି ହାଣ୍ଡିରେ ଘଣା ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ ପୁଷ୍ପ ଓ ଚେରମୂଳି ପକାଯାଏ ।

ସେହି ଦିନ ଠାରୁ ତେଲ ରହିବା ସ୍ଥାନରେ ଫୁଲ ପାଣି ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା ସମୟରେ ପୋତା ସ୍ଥାନରୁ ବାହାରି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଉକ୍ତ ତେଲ ମୁଦ ଦିଆଯାଇ ରହିଥାଏ । ପରେ ତେଲକୁ ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ ରହିଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକରା ଆସିଲା ପରେ ଫୁଲୁରୀ ତେଲ ଠାକୁରଙ୍କ ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS