Dailyhunt
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍‌ଲାଇନ୍

ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍‌ଲାଇନ୍

ODIASpotNEWS 3 days ago

ତେହରାନ/ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟସ୍ଥତା ଚଳାଇଥିବା ଦେଶଗୁଡିକ ପକ୍ଷରୁ ଆମେରିକା ଓ ଇରାନକୁ ବଡ ପ୍ରସ୍ତାବ ଦିଆଯାଇଛି। ଇଜିପ୍ଟ, ପାକିସ୍ତାନ ଓ ତୁର୍କୀ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ୪୫ଦିନ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବାକୁ ଉଭୟ ଦେଶକୁ କୁହାଯାଇଛି। ଏହା ସହିତ ହର୍ମୁଜ ପ୍ରଣାଳୀକୁ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ମୁକ୍ତ କରିବାକୁ କୁହାଯାଇଛି।

ଆମେରିକା ପକ୍ଷରୁ ଏହାର ମଧ୍ୟପ୍ରାଚ୍ୟ ପାଇଁ ନିଯୁକ୍ତ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍‌ଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ସେହିପରି ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ ପ୍ରସ୍ତାବ ଦିଆଯାଇଛି। ମଧ୍ୟସ୍ଥଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅସ୍ଥାୟୀ ଅସ୍ତ୍ରବିରତି ପ୍ରସ୍ତାବରେ ସେମାନେ ହର୍ମୁଜ ପ୍ରଣାଳୀକୁ ଖୋଲିବେ ନାହିଁ। ଅଧିକାରୀ ଜଣଙ୍କ କହିଛନ୍ତି ଯେ ଆମେ ସ୍ଥାୟୀ ଅସ୍ତ୍ରବିରତି ଚାହଁୁ। ଅସ୍ତ୍ରବିରତି ନିମନ୍ତେ ଇରାନ ୧୦ଟି ଦାବି ଉପସ୍ଥାପନ କରିଛି। ଏଥିରେ ଇରାନ କହିଛି ଯେ କେବଳ ଇସ୍ରାଏଲ କିମ୍ବା ଆମେରିକା ସହ ନୁହେଁ, ବରଂ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲିଥିବା ସମସ୍ତ ସଂଘର୍ଷର ସ୍ଥାୟୀ ଅନ୍ତ ପାଇଁ ବୁଝାମଣା ହେଉ।

ହର୍ମୁଜ ଦେଇ ଜାହାଜ ଚଳାଚଳ ପାଇଁ ଏକ ନୂଆ ଏବଂ ସୁରକ୍ଷିତ ନିୟମାବଳୀ ପ୍ରସ୍ତୁତ କରାଯାଉ। ସ୍ଥାୟୀ ଅସ୍ତ୍ରବିରତି ନ ହେବା ଯାଏ ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ଇରାନ ମନା କରିଛି। ସେହିପରି ଇରାନ ଉପରେ ଆମେରିକା ଲଗାଇଥିବା ସମସ୍ତ ଆର୍ଥିକ ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ତେହରାନ ଦାବି କରିଛି। ଯୁଦ୍ଧ ଯୋଗୁଁ ଇରାନର ଯେଉଁ ସବୁ ଭିତ୍ତିଭୂମି ନଷ୍ଟ ହୋଇଛି, ତାହାର ପୁନଃନିର୍ମାଣ ପାଇଁ ବ୍ୟବସ୍ଥା ରଖିବାକୁ ଇରାନ ଦାବି କରିଛି। ଇରାନ ପାକିସ୍ତାନ ମାଧ୍ୟମରେ ଜଣାଇଛି ଯେ ସେମାନଙ୍କୁ ଏକ ସ୍ଥାୟୀ ସମାଧାନ ଦରକାର। ମଧ୍ୟସ୍ଥଙ୍କ ପକ୍ଷରୁ ଦିଆଯାଇଥିବା ୪୫ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ସୋମବାର ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ୮ଟା ସୁଦ୍ଧା ଇରାନ ଏହାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ସମୟ ଦିଆଯାଇଛି। ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଇରାନ ଯେଉଁ ନିଷ୍ପତ୍ତି ନେଇଛି ତା'ର

ପୁନଃବିଚାର କରୁ। ଏହି ସମୟ ମଧ୍ୟରେ ଇରାନ ଯଦି ଉପଯୁକ୍ତ ନିଷ୍ପତ୍ତି ନ ନିଏ ତେବେ ଏହାକୁ ବହୁମୂଲ୍ୟ ଦେବାକୁ ପଡିବ। ମଧ୍ୟସ୍ଥଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଇରାନ ଗ୍ରହଣ କରିବା ପୂର୍ବକ ଶାନ୍ତି କଥାବାର୍ତ୍ତା ପାଇଁ ସମୟ ବାହାର କରିବା ଦରକାର। ଯାହା ଇରାନ ଓ ସମଗ୍ର ମଧ୍ୟପ୍ରାଚ୍ୟ ପାଇଁ ଶାନ୍ତିର ବାତାବରଣ ସୃଷ୍ଟି କରିବ। ସୋମବାର ରାତିରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ। ସମ୍ଭବତଃ ମଙ୍ଗଳବାର ଇରାନ ପାଇଁ ଶେଷ ରାତି ହୋଇପାରେ। ଟ୍ରମ୍ପ କହିଛନ୍ତି ଆମେରିକା ହେଉଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନା। ଇରାନରୁ ଆମେରିକା ନିଜର ନିଖୋଜ ବାୟୁସେନା ଅଧିକାରୀଙ୍କୁ ଉଦ୍ଧାର କରିବାରେ ଯେଉଁ ସଫଳତା ପାଇଛି ଟ୍ରମ୍ପ ତାକୁ ପ୍ରଶଂସା କରିଛନ୍ତି। ବାୟୁସେନା ଅଧିକାରୀଙ୍କୁ ଉଦ୍ଧାର ପାଇଁ ଯେଉଁ ମିଶନ କାର୍ଯ୍ୟକାରୀ ହୋଇଥିଲା ସେଥିରେ ୧୫୫ଟି ଯୁଦ୍ଧବିମାନ ବ୍ୟବହାର ହୋଇଥିଲା।

ଏଥିରେ ୪ଟି ବମ୍ବର, ୬୪ ଲଢୁଆ ଯୁଦ୍ଧବିମାନ, ୪୮ଟି ଇନ୍ଧନ ଯୋଗାଣକାରୀ ବିମାନ, ୧୩ଟି ଉଦ୍ଧାରକାରୀ ବିମାନ ରହିଥିଲା। ଟ୍ରମ୍ପ କହିଛନ୍ତି ଯେ, ଇରାନର ସାଧାରଣ ଜନତା ସେମାନଙ୍କ ସରକାରଙ୍କ କାର୍ଯ୍ୟକଳାପରେ ଖୁସି ନାହାନ୍ତି ଏବଂ ସେମାନେ ମୁକ୍ତି ଚାହୁଁଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ବାରମ୍ବାର କହିଆସୁଛନ୍ତି ଯେ ମଙ୍ଗଳବାର ସୁଦ୍ଧା ଇରାନ ହର୍ମୁଜ ପ୍ରଣାଳୀକୁ ନ ଖୋଲିଲେ ଏହାର ବେସାମରିକ ଭିତ୍ତିଭୂମିଗୁଡିକ ଉପରେ ଜୋରଦାର ଆକ୍ରମଣ କରାଯିବ। ଆକ୍ରମଣ ଏପରି ହେବ ଯେ ଇରାନକୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିବ। ମାତ୍ର ଇରାନ ଟ୍ରମ୍ପଙ୍କ ଏପରି ଧମକକୁ ବେଖାତିର କରିଚାଲିଛି। ୪୫ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଆମେରିକା ପକ୍ଷରୁ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଷ୍ଟିଭ୍‌ ୱିଟ୍‌ପଫ ଓ ଜାରେଡ୍ କୁସନର ପାକିସ୍ତାନ ସହିତ କଥାବାର୍ତ୍ତା ଚଳାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS