Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ODIASpotNEWS 1 week ago

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ତପ୍ତପାଣିରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ ୁ ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ ମୁତୟନ ରହିବେ । ଭୁବନେଶ୍ୱର କଟକରେ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ । ୧୫୦ ଜଣ ପୁଲିସ ଅଫିସର ତଦାରଖ କରିବେ । ଜଣେ ଲେଖାଏଁ ଏସ୍‌ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ । ସୋମବାର ଅପରାହ୍ଣ ୨ଟା ୨୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଅପରାହ୍ଣ ସାଢ଼େ ୨ଟାରେ ରାଷ୍ଟ୍ରପତିଙ୍କ କାରକେଡ୍‌ ଲୋକଭବନ ଅଭିମୁଖେ ବାହାରିବ । ସେଥିପାଇଁ ଅପରାହ୍ଣ ୨ଟା ୧୦ ମିନିଟ୍‌ରୁ ୨ଟା ୪୫ ମିନିଟ୍‌ ଯାଏ ଏୟାରପୋର୍ଟ ଛକ ହସ୍ପିଟାଲ ଛକରୁ ଏଜି ଛକ ଦେଇ ଲୋକଭବନ ଛକ ଯାଏ ରାସ୍ତା ବନ୍ଦ ରହିବ । ଅପରାହ୍ଣ ୪ଟାରେ ଲୋକଭବନରୁ ବାହାରି ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ ଯିବେ । ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ରିଯାପନ କରିବେ ।

ତା'ପରଦିନ ସକାଳ ୮ଟା ୪୫ ମିନିଟ୍‌ରେ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିବେ ରାଷ୍ଟ୍ରପତି । ଭିଆଇପି ଲାଉଞ୍ଜ ଦେଇ ପ୍ଲାଟଫର୍ମ ନଂ ୧ କୁ ଯିବେ । ଦିଲ୍ଲୀରୁ ଆସିଥିବା 'ସ୍ପେଶାଲ ସାଲୁନ୍‌' ଟ୍ରେନ୍‌ରେ ସକାଳ ୯ଟାରେ ରାଷ୍ଟ୍ରପତି ବ୍ରହ୍ମପୁର ଅଭିମୁଖେ ବାହାରିବେ । ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ଆଗ ପଛ ହୋଇ ୨ଟି ଟ୍ରେନ୍‌ ଏସକର୍ଟ କରିବ । ସେହି ଟ୍ରାକ୍‌ରେ ଅନ୍ୟ କୌଣସି ଟ୍ରେନ୍‌ ଯିବ ନାହିଁ। ଭୁବନେଶ୍ୱର ଓ ବ୍ରହ୍ମପୁର ରେଳଷ୍ଟେସନକୁ ପୁଲିସ ଛାଉଣୀ କରାଯିବ । ୨ଟି ରେଳଷ୍ଟେସନର କୋଣ ଅନୁକୋଣକୁ ତନ୍ନତନ୍ନ କରି ଯାଞ୍ଚ ଚାଲିଛି । ବମ୍‌ ସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ସଜାଗ ଅଛନ୍ତି । ସୋମବାର ସନ୍ଧ୍ୟାରୁ ୨ଟି ରେଳଷ୍ଟେସନକୁ ହାଇଆଲର୍ଟରେ ରଖାଯିବ । ପ୍ରତିଟି ଯାତ୍ରୀ ଓ ଜିନିଷପତ୍ରକୁ ଟିକିନିଖି ଯାଞ୍ଚ କରାଯିବ ।

ଅଧିକ ପଢ଼ନ୍ତୁ :- Rain Alert: ଆସନ୍ତା ୮ ତାରିଖ ଯାଏ ପ୍ରବଳ ବର୍ଷା, ଉପରମୁଣ୍ଡରେ ବି ପ୍ରବଳ ବର୍ଷିବ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି​​​​​​​

ଭୁବନେଶ୍ୱର ରେଳଷ୍ଟେସନରେ ୧୫ ପ୍ଲାଟୁନ୍‌ ଫୋର୍ସ ଜଗିବେ । ସେଥିରେ କମିଶନରେଟ୍‌ ପୁଲିସ ସହ ରେଳବାଇ ସୁରକ୍ଷା ବଳ (ଆରପିଏଫ୍‌) ଓ ଜିଆର୍‌ପିର ଫୋର୍ସ ମୁତୟନ ହେବେ । ବ୍ରହ୍ମପୁର ରେଳଷ୍ଟେସନରୁ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ବୁଲିବା ସହ ମା' କନ୍ଧୁଣୀ ଦେବୀ ପୀଠକୁ ଯିବେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କ କହିବା ମୁତାବକ, ତାଙ୍କ ସହ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆସିବା କାର୍ଯ୍ୟକ୍ରମ ରହିଛି । ମା'ଙ୍କ ଦର୍ଶନ ପରେ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ରାତିରେ ରହିବେ । ତା'ପରଦିନ ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ ।

ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ ଓ ଗଞ୍ଜାମ ଏସ୍‌ପି ହରିଶ୍‌ ବି.ସି ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବ୍ରହ୍ମପୁରରୁ ତପ୍ତପାଣି ପର୍ଯ୍ୟନ୍ତ ନୋ-ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା କରାଯାଇଛି । ସୁରକ୍ଷାରେ ୫୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ । ରାଷ୍ଟ୍ରପତିଙ୍କ କାରକେଡ୍‌ରେ ୨୮ଟି ଗାଡ଼ି ଯିବା ବ୍ୟବସ୍ଥା ରହିଛି । ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ବ୍ରହ୍ମପୁର ଷ୍ଟେସନ୍‌ ଠାରୁ ଫାଷ୍ଟଗେଟ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଚକାଚକ୍‌ ହୋଇଛି । ଖାଲଖମା ଉଭେଇ ଯାଇଛି । ଡ୍ରେନ୍‌ରେ କଭର ସ୍ଲାବ୍‌ ଢାଙ୍କି ହୋଇ ରହିଛି । ସହରର ଏହି ପ୍ରମୁଖ ଜନଗହଳି ଅଞ୍ଚଳର ରାସ୍ତା ଏବେ ଭିଆଇପି ରୋଡ୍‌ର ଭ୍ରମ ସୃଷ୍ଟି କରୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS