କଟକ: ଆଜି ହେଉଛି ପବିତ୍ର ବଡ଼ଓଷା । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠ। ଆଜି ଭୋର ୪ଟା ସମୟରେ ମନ୍ଦିରର ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା । ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ବର୍ତ୍ତମାନ ବଡ଼ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।
ବଡ଼ଓଷା ଅବସରରେ ଆଜି ଚାଉଳ ଚୂନାରେ ସ୍ୱତନ୍ତ୍ର ଗଜମଣ୍ଡା ପ୍ରସ୍ତୁତ କରାଯାଇଛି । ଆଜି ମଧ୍ୟରାତ୍ରିରେ ଏହା ବାବାଙ୍କ ନିକଟରେ ଲାଗି ହେବ । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି। ୧୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ବଡି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଧବଳେଶ୍ବରଙ୍କ ପୀଠରେ ପହଞ୍ଚି ବାବାଙ୍କ ଦର୍ଶନ କରୁଛନ୍ତି ।

