ଭୁବନେଶ୍ବର/ପୁରୀ: ବାହୁଡ଼ା ଯାତ୍ରା ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନହାନି ଓ ଅନେକ ଆହତ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ସର୍ବବୃହତ ବାର୍ଷିକ ଆଧ୍ୟାତ୍ମିକ ସମାଗମର ପରିଚାଳନାରେ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରଶାସନିକ ବିଫଳତାକୁ ଘୋର ସମାଲୋଚନା କରିଛନ୍ତି ନବୀନ ।
ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ କହିଛନ୍ତି ବିରୋଧୀ ଦଳ ନେତା ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଯୋଗୁଁ ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତ ହୋଇଛନ୍ତି । ଏ ବିଷୟ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଉଛି ''।
ଏହା ସହ ସେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ରଥଯାତ୍ରା ସମୟରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଖାମଖିଆଲି ଭାବେ କାମ କରୁଛନ୍ତି ବୋଲି ନବୀନ ଅଭିଯୋଗ ଆଣିଛନ୍ତି । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସରକାର ଆଦୌ ଗୁରୁତ୍ୱର ସହ ଗ୍ରହଣ ନକରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି ।
ନବୀନ ଆହୁରି ମଧ୍ୟ କହିଛନ୍ତି, "ଅନୁଭବ ହେଉଛି ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ବିଜେପି ସରକାରର ନାହିଁ । ଗୋଟିଏ ପରେ ଗୋଟିଏ ଅଘଟଣ ପ୍ରତିବର୍ଷ ରଥଯାତ୍ରା ସମୟରେ ଘଟୁଛି । ଲୋକଙ୍କ ଜୀବନ ଯାଉଛି । ରାଜ୍ୟ ବଦନାମ ହେଉଛି । କିନ୍ତୁ ସରକାରଙ୍କ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ । ଭୁଲରୁ ଶିଖିବା ପରିବର୍ତ୍ତେ ସବୁକିଛି କାମଚଳା ନୀତିରେ କରାଗଲା ଭଳି ଅନୁଭବ ହେଉଛି । ଆଉ କେତେ ଅଘଟଣ ପରେ ସରକାର ସଚେତନ ହେବେ । ସୁନାବେଶରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଘୋଷଯାତ୍ରାର ଦେବନୀତି କିଭଳି ବିନା କୌଣସି ବିଭ୍ରାଟରେ ଶେଷ ହେବ ସରକାର ସେଥିପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅକାଳରେ ପ୍ରାଣ ନହରାନ୍ତୁ ।

