ହରାରେ : ଗୁରୁବାର ଘରୋଇ ଜିମ୍ବାୱେ ଓ ବିଶ୍ବ ଚମ୍ପିଆନ୍ ଭାରତ ମଧ୍ୟରେ ୩-ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଗତ ୩ ବର୍ଷରେ କ୍ରମାଗତ ୧୨ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ଶୃଙ୍ଖଳା ହାରିନଥିବା ଭାରତ ନିକଟରେ କ୍ରମାଗତ ୨ଟି ଶୃଙ୍ଖଳାରେ ପରାସ୍ତ ହୋଇଛି। ପ୍ରଥମେ ଆୟରଲାଣ୍ଡଠାରୁ ୦-୨ରେ ଓ ଇଂଲଣ୍ଡଠାରୁ ୦-୪ରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଭାରତ ହାରିଛି।
ପ୍ରଥମଥର କ୍ରମାଗତ ୬ଟି ଟି୨୦ ମ୍ୟାଚ୍ ହାରିଥିବା ଭାରତ ପାଖରେ ବିଜୟଧାରାକୁ ଫେରିବାର ସୁଯୋଗ ରହିଛି। ପୁଣି ଶ୍ରେୟସ ଆୟରଙ୍କୁ ନେତୃତ୍ବ ମିଳିବା ପରେ ଭାରତ ୬ଟିଯାକ ମ୍ୟାଚ୍ରେ ପରାସ୍ତ ହୋଇଛି। ତେଣୁ ସେ ମଧ୍ୟ ପ୍ରଥମ ବିଜୟ ସନ୍ଧାନରେ ଅଛନ୍ତି। ଗତ ଦୁଇଟି ଟି୨୦ ଶୃଙ୍ଖଳା ଖେଳିଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍ରେ କେବଳ ସଞ୍ଜୁ ସାମ୍ସନ ନଥିବା ବେଳେ ତାଙ୍କ ସ୍ଥାନରେ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ ପ୍ରଭସିମ୍ରନ୍ ସିଂହ ରହିଛନ୍ତି। ତେବେ ବୋଲିଂ ବିଭାଗରେ ଦଳରେ ଏକାଧିକ ନବାଗତ ଓ ଅନଭିଜ୍ଞ ଖେଳାଳି ରହିଛନ୍ତି। ତେଣୁ ଭାରତୀୟ ବ୍ୟାଟର୍ଙ୍କୁ ଅଧିକ ଦାୟିତ୍ବସମ୍ପନ୍ନ ହେବାକୁ ପଡ଼ିବ।
ଜିମ୍ବାୱେ ପାଇଁ ୨୦୨୬ ସଫଳ ବର୍ଷ ପ୍ରମାଣିତ ହୋଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଭଳି ଦଳଙ୍କୁ ପରାସ୍ତକରି ଜିମ୍ବାୱେ ସୁପର-୮ରେ ପହଞ୍ଚିଥିଲା। ନିର୍ଭିକ କ୍ରିକେଟ୍ ଖେଳି ଜିମ୍ବାୱେ ସଫଳ ହୋଇଛି। ଓପ୍ନର ବ୍ରାୟାନ୍ ବେନେଟ୍ ନିୟମିତ ରନ୍ କରୁଛନ୍ତି। ଅଧିନାୟକ ସିକନ୍ଦର ରାଜା ଅତ୍ୟନ୍ତ ଅଭିଜ୍ଞ ଅଲ୍ରାଉଣ୍ଡର। ତାଡିୱାନାସେ ମାରୁମାନି, ରିୟାନ ବର୍ଲ, ଡିଅନ୍ ମେୟର୍ସ ଓ ମିଲ୍ଟନ ସୁମ୍ବା ଭଲ ବ୍ୟାଟ୍ସମ୍ୟାନ। ତେବେ ବ୍ୟାଟିଂ ଅପେକ୍ଷା ବୋଲିଂ ବିଭାଗରେ ଜିମ୍ବାୱେ ଅଧିକ ଶକ୍ତିଶାଳୀ ରହିଛି। ବ୍ଲେସିଂ ମୁଜାରବାନି ଭଲ ଫାଷ୍ଟବୋଲର ଏବଂ ତାଙ୍କ ଉଚ୍ଚତାକୁ ବ୍ୟବହାର କରି ବାଉନ୍ସ ହାସଲ କରିପାରନ୍ତି। ରିଚାର୍ଡ ଏନ୍ଗାରାଭା ମଧ୍ୟ ଭଲ ପେସ୍ ବୋଲର। ସିକନ୍ଦର ରାଜା, ରିୟାନ ବର୍ଲ ଓ ବ୍ରାଡ୍ ଇଭାନ୍ସଙ୍କ ପରି ଅଲ୍ରାଉଣ୍ଡର ନିୟମିତ ୱିକେଟ୍ ନେଉଛନ୍ତି। ଏହି ଶୃଙ୍ଖଳାରେ ମୁଖ୍ୟତଃ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ନଜର ରହିବ। ଦୁହେଁ ହେଲେ ୧୫ ବର୍ଷ ବୟସ୍କ ବୈଭବ ସୂର୍ଯ୍ୟବଂଶୀ ଓ ବାମହାତି ମଧ୍ୟକ୍ରମ ବ୍ୟାଟର ରିଙ୍କୁ ସିଂହ। ଆଇପିଏଲ୍ରେ ସଫଳତମ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ପ୍ରଥମଥର ସିନିୟର ଦଳେର ସ୍ଥାନ ମିଳିଥିଲା। ଇଂଲଣ୍ଡ ବିପକ୍ଷ ୩ଟି ଟ୍ବେଣ୍ଟି୨୦ରେ ବୈଭବ ୧୩, ୧୪ ଓ ୧୫ ରନ୍ କରିଥିଲେ। ସଞ୍ଜୁ ସାମ୍ସନ ନ ଥିବାରୁ ବୈଭବଙ୍କୁ ଜିମ୍ବାୱେ ବିପକ୍ଷରେ ଅଭିଷେକ ଶର୍ମାଙ୍କ ସହ ଓପନ୍ କରିବାର ସୁଯୋଗ ମିଳିବ। ଟି୨୦ ବିଶ୍ବକପ୍ ପେର ରିଙ୍କୁ ସିଂହ ଭାରତୀୟ ଦଳରେ ସ୍ଥାନ ପାଇନଥିଲେ। ଆଇପିଏଲ୍ର ୨ୟ ଭାଗରେ ରିଙ୍କୁ ଫର୍ମକୁ ଫେରିଥିଲେ। ଏହି ଗସ୍ତରେ ଭଲ ଖେଳି ରିଙ୍କୁ ପୁଣିଥରେ ଦଳର ନିୟମିତ ସଦସ୍ୟ ହେବାର ପ୍ରୟାସ କରିବେ। ଈଶାନ୍ କିଷନ୍, ଶ୍ରେୟସ ଆୟର ଓ ତିଳକ ବର୍ମା ମଧ୍ୟକ୍ରମ ସମ୍ଭାଳିବାକୁ ଥିବା ବେଳେ ରିଙ୍କୁ ଓ ଶିବମ୍ ଦୁବେ ଫିନିସର ଭାବେ ଖେଳିବେ। ଭାରତ ପାଇଁ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିବା ଫାଷ୍ଟବୋଲର ମୟଙ୍କ ଯାଦବ ୨ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଦଳରେ ସ୍ଥାନ ନିୟମିତ କରିବାର ସୁଯୋଗ ତାଙ୍କ ପାଖରେ ଅଛି। ପ୍ରିନ୍ସ ଯାଦବଙ୍କ ସହ ମୟଙ୍କ ପେସ୍ ବୋଲର ଭାବେ ଖେଳିବେ। ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ହର୍ଷ ଦୁବେ ଖେଳିବାର ଥିବାରୁ ରବି ବିଷ୍ଣୋଇଙ୍କୁ ବସିବାକୁ ପଡ଼ିପାରେ। ୩ୟ ପେସର ଭାବେ ଦୁଇ ନବାଗତ ଅଶୋକ ଶର୍ମା ଓ ଯଶ ଠାକୁରଙ୍କ ମଧ୍ୟରୁ ଜଣେ ଖେଳିବେ।

