Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିପଦ ସଙ୍କେତ ଟପିଲା ଦୟା

ବିପଦ ସଙ୍କେତ ଟପିଲା ଦୟା

ODIASpotNEWS 2 weeks ago

ଣାସ: ବଢୁଛି ପାଣି, ବଢ଼ିବ ବିପଦ । ବନ୍ୟା ଆଶଙ୍କାରେ ନଈକୂଳିଆ ବାସିନ୍ଦା ଛାନିଆ । କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟା ନଦୀ ଓ ତା'ର ଶାଖା ନଦୀ ରାଜୁଆ, ମକରା, କଣିଆ, ଲୁଣା ନଦୀରେ ବନ୍ୟା ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ନଦୀ ସବୁ ଫୁଲି ଅନେକ ଛୋଟ ବନ୍ଧ ବୁଡ଼ାଇଲାଣି । ପ୍ରଶାସନ ପକ୍ଷରୁ ଘେରିରେ ବାଲି ବସ୍ତା ପକାଇ ପାଣି ରୋକିବାକୁ ଚେଷ୍ଟା କରାଯାଉଛି ।ଦୟା ଓ ରାଜୁଆ ନଦୀର ମଧ୍ୟ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ବଡ଼ାସ, ଗଡ଼ ବଳଭଦ୍ରପୁର, ପାଣ୍ଡିଆକେରା ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକ ତିନିଦିନ ହେଲା ଜଳବନ୍ଦୀ ହୋଇରହିଛନ୍ତି ।

ବ୍ଲକ ପ୍ରଶାସନ ପକ୍ଷରୁ କଣାସ ବ୍ଲକର ୨୮ ଗ୍ରାମ ପଞ୍ଚାୟତରେ ଥିବା ୨୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖା ଯାଇଛି । ପାଣ୍ଡିଆକେରା ଗ୍ରାମ ପଞ୍ଚାୟତର ବଗିପଡା ଗ୍ରାମର ୫ଟି ହରିଜନ ପରିବାର ବାସ ଗୃହରେ ବନ୍ୟା ଜଳ ପଶିବାରୁ ସେମାନଙ୍କୁ ଗ୍ରାମରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଛି । ଦୋକନ୍ଦା ଗ୍ରାମକୁ ବନ୍ୟା ଦାଉରୁ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ଘେରି ବନ୍ଦ ଭାଙ୍ଗି ଯିବାରୁ ବନ୍ୟା ଜଳ ଗ୍ରାମ ଭିତରେ ପ୍ରବେଶ କରିବାରୁ ୬୦ ପରିବାରରେ ପାଣି ଘେରରେ ରହିଛନ୍ତି।ଲୋକଙ୍କ ରାସନ ସାମଗ୍ରୀ ଏବଂ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ଖାଇବା ଏବଂ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ ଓ ତହସିଲିଦାର ହିମାଂଶୁ ଶେଖର ଗିରି ଉପସ୍ଥିତ ରହି ଭାଙ୍ଗି ଯାଇଥିବା ଘେରି ବନ୍ଧକୁ ବାଲି ବସ୍ତା ପକାଇ ବନ୍ଧାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।

ସେହିପରି ତ୍ରିଲୋଚନପୁର ଗାଁ ମୁଣ୍ଡରେ ଦୁଇଟି ବଡ଼ ଧରଣର ଘଳିଆ ପଡିଥିବାରୁ ଜଳ ସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଘଳିଆ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ସେହିପରି ଚାରି ବର୍ଷ ହେଲା ଦୟା ନଦୀର ବାମ ପାଶ୍ୱର୍ ନଦୀ ନନ୍ଧ ଦବି ଯାଉଥିବାରୁ ଭୟଙ୍କର ପରିସ୍ଥତି ସୃଷ୍ଟି ହୋଇଛି । ଯେତେଥର କାମ ହେଲେ ମଧ୍ୟ୍ୟ ନଦୀ ବନ୍ଧ ନଦୀ ଶଯ୍ୟାକୁ ଦବି ଦବି ଯାଉଛି, ଦୁଇଦିନ ହେଲା ବନ୍ୟା ଜଳ ବୃଦ୍ଧି ପାଉଥିବାରୁ କଣାସ ଅଞ୍ଚଳବାସୀଙ୍କ ଭାଗ୍ୟ ନଦୀ ବନ୍ଧ ଉପରେ ଝୁଲୁଛି । ଦୟା ଓ ରାଜୁଆ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ ପାଞ୍ଚୋଟି ପଞ୍ଚାୟତ ଜଳବନ୍ଦୀଥିବାରୁ ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼, ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ ପ୍ରଶାସନ ପକ୍ଷରୁ ଗଛିତ ରଖା ଯାଇଛି । ବନ୍ୟା ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ବ୍ଲକ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି ବୋଲି ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ କହିଛନ୍ତ ।
କଣାସ ବ୍ଲକରେ ଦୟା ଓ ତା'ର ଶାଖା ରାଜୁଆ, ମକରା ଆଦି ନଦୀରେ ବନ୍ୟା ଜଳ ବହୁ ପରିମାଣରେ ଚିଲିକାକୁ ପ୍ରବାହିତ ହେଉଛି । ଖୋର୍ଦ୍ଧା ଓ ପୁରୀ ଜଳ ସମ୍ପଦ ବିଭାଗ ତରଫରୁ ନଦୀବନ୍ଧ ଉପରେ ନଜର ରଖାଯାଇଛି । ଅଧିକାରୀ ଓ କର୍ମଚାରୀମାନେ ପ୍ରଭାବିତ ଅଞ୍ଚଳରେ ବନ୍ଧ ବୁଲି ଦେଖୁଛନ୍ତି । ଦୟା ନଦୀ ବିପଦ ସଂକେତ ୬.୮ ମିଟର ରହିଥିବା ବେଳେ ଶୁକ୍ରବାର ଅପରାହ୍ଣ ୩ ଟା ସୁଦ୍ଧା ବିପଦ ସଙ୍କେତ ଡେଇଁ ୭.୨ ମିଟରରେ ପ୍ରବାହିତ ହେଉଥିବା ଖୋର୍ଦ୍ଧା ଜଳସମ୍ପଦ ଏସ୍‌ଡିଓ ପାକିଜା ହୁସେନ କହିଛନ୍ତି । ବନ୍ୟା ସ୍ଥିତି ଏବେ ନିୟନ୍ତ୍ରଣ ରହିଥିବା ସେ ସୂଚନା ଦେଇଛନ୍ତିି । ଦୟା ନଦୀର ତଳ ମୁଣ୍ଡ ଗୋପୀନାଥପୁର ପଞ୍ଚାୟତ ଅନ୍ତର୍ଗତ ଜାଗୁଳାଇପଦର-ମାଳିସାହି ରାସ୍ତାର ଦୟା ନଦୀ ବନ୍ଧ (ଦକ୍ଷିଣ ପାଶ୍ୱର୍) ସନ୍ଧ୍ୟାରେ ଏକ ବଡ ଘଳିଆ ସୃଷ୍ଟି ହୋଇଛି । ଘଳିଆ ଯୋଗୁ କାଦୁଆ, ଗୋପୀନାଥପୁର,ବଡାଲ ଜନସାଧାରଣ ଭୟଭୀତ ହୋଇପଡିଛନ୍ତି । ପ୍ରଶାସନ ପକ୍ଷରୁ ଘଳିଆ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS