ବରଗଡ଼: ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ତଥା ବିଜ୍ଞାନ ଶିକ୍ଷକଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି । ଜଣେ ୧୫ ବର୍ଷୀୟ ନାବାଳକ ଛାତ୍ରଙ୍କୁ ଟ୍ୟୁସନ ବାହାନାରେ ହୋଟେଲ ରୁମ୍କୁ ନେଇ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବରଡୋଲ ଗ୍ରାମର ଦେବଦତ୍ତ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି । ପୁଲିସ ପୀଡ଼ିତ ଛାତ୍ରଙ୍କୁ ହୋଟେଲ ରୁମରୁ ଉଦ୍ଧାର କରିଛି ।
ବରଗଡ଼ ଟାଉନ ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ପ୍ରକାଶ, ଦେବଦତ୍ତ ପ୍ରଧାନଙ୍କ ନିକଟରେ ସମ୍ପୃକ୍ତ ନାବାଳକ ଛାତ୍ର ଟ୍ୟୁସନ ହେଉଥିଲେ । ଏକ କନଫରେନ୍ସରେ ଯୋଗଦେବା ବାହାନାରେ ଛାତ୍ରଙ୍କୁ ଫୁସୁଲାଇ ଶିକ୍ଷକ କୋଚିଂ ସେଣ୍ଟରରୁ ସିଧା ବରଗଡ଼ ସହରକୁ ଆଣିଥିଲେ । ଦେବଦତ୍ତ ତାଙ୍କୁ ସ୍ଥାନୀୟ ଗଣପତି ହୋଟେଲର ଏକ ରୁମ୍କୁ ଆଣିଥିଲେ । ରାତିରେ ପଢ଼ାଇବା ପାଇଁ ସେଠାରେ ରହିବାକୁ ପଡ଼ିବ ବୋଲି କହିଥିଲେ । ଛାତ୍ର ରହିବା ପରେ ସେଠାରେ ଶିକ୍ଷକଙ୍କ ପାଶବିକ ଅତ୍ୟାଚାର ଆରମ୍ଭ ହୋଇଥିଲା । ଛାତ୍ର କୌଣସି ପ୍ରକାରେ ହୋଟେଲ ରୁମ୍ରୁ ବାହାରି ପରିବାର ଲୋକଙ୍କୁ ମେସେଜ୍ ମାଧ୍ୟମରେ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଖବର ପାଇବା ପରେ ପରିବାର ଲୋକେ ତୁରନ୍ତ ପୁଲିସର ସହାୟତା ନେବା ସହିତ ସିଧା ହୋଟେଲକୁ ଆସିଥିଲେ ।
ପରିବାରବର୍ଗ ହୋଟେଲରେ ପହଞ୍ଚିିବା ପୂର୍ବରୁ ହିଁ ସେଠାରେ ପହଞ୍ଚି ସାରିଥିବା ପୁଲିସ ଫୋର୍ସ ରୁମକୁ ଯାଇ ପୀଡ଼ିତ ନାବାଳକ ଛାତ୍ରଙ୍କୁ ଉଦ୍ଧାର କରିବା ସହିତ ଶିକ୍ଷକ ଦେବଦତ୍ତଙ୍କୁ ଥାନାକୁ ଭିଡ଼ି ଆଣିଥିଲେ । ପୁଲିସ ଉକ୍ତ ହୋଟେଲ ରୁମରୁ କିଛି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିଛି । ଏକ ଲାପଟପ ବି ଜବତ ହୋଇଛି ଯେଉଁଥିରେ ଅନେକ ଅଶ୍ଳୀଳ ଭିଡ଼ିଓ ଥିବା ପୁଲିସ କହିଛି । ପୁଅଠାରୁ ସବୁକିଛି ଜାଣିବା ପରେ ଛାତ୍ରଙ୍କ ବାପା ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ । ପୁଲିସ ଶିକ୍ଷକ ଦେବଦତ୍ତ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲ୍ଲା କାରାଗାରକୁ ପଠାଯାଇଥିବା ଟାଉନଥାନା ଆଇଆଇସି ଚିତ୍ତରଞ୍ଜନ ମେହେର ସୂଚନା ଦେଇଛନ୍ତି ।

