ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ବୁଧବାର ସଦ୍ୟ ପ୍ରକାଶିତ ପୁରୁଷ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହି ତାଲିକାର ପ୍ରଥମ ୪ ଜଣଙ୍କ ମଧ୍ୟରେ ୩ ଭାରତୀୟ ବ୍ୟାଟ୍ସମ୍ୟାନ ରହିଛନ୍ତି। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ଡ୍ୟାରିଲ ମିଚେଲ ୮୦୨ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ୮୦୧ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମିଚେଲଙ୍କଠାରୁ ଗିଲ୍ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ ରହିଛନ୍ତି। ଅନ୍ୟତମ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୭୬୭ ରେଟିଂ ପଏଣ୍ଟ ସହ ତୃତୀୟ ଓ ରୋହିତ ଶର୍ମା ୭୫୮ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।
ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଗିଲ୍ ୧୮୮ ରନ୍ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଗିଲ୍ଙ୍କ ରେଟିଂ ପଏଣ୍ଟ ବୃଦ୍ଧିପାଇଛି। ଲର୍ଡସରେ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ୧୩୮ ରନ୍ କରିଥିବା ରୋହିତ ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ତାଙ୍କ ରେଟିଂ ପଏଣ୍ଟରେ ଅଭିବୃଦ୍ଧି ହୋଇଛି। ଆଫ୍ଗାନିସ୍ତାନର ଇବ୍ରାହିମ ଜାଦ୍ରାନ୍ ପଞ୍ଚମ, ପାକିସ୍ତାନର ବାବର ଆଜମ୍ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ଷଷ୍ଠ, ଆୟରଲାଣ୍ଡର ହ୍ୟାରି ଟେକ୍ଟର ସପ୍ତମ, ଇଂଲଣ୍ଡର ଜୋ ରୁଟ୍ ଅଷ୍ଟମ ସ୍ଥାନରେ ରହିଛନ୍ତି। ରୁଟ୍ ଭାରତ ବିପକ୍ଷ ୩ଟି ଦିନିକିଆ ମ୍ୟାଚ୍ରେ ଆଉଟ୍ ନ ହୋଇ ୨୪୯ ରନ୍ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ରୁଟ୍ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୨ରୁ ୮ମ ସ୍ଥାନରେ ପହଞ୍ଚିଛନ୍ତି। ୨୦୨୦ ପରେ ରୁଟ୍ ପ୍ରଥମ ଥର ପାଇଁ ଦିନିକିଆରେ ଶୀର୍ଷ ୧୦କୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ର ସୈ ହୋପ୍ ୩ଟି ସ୍ଥାନ ତଳକୁ ଖସି ୯ମ ଓ ଶ୍ରୀଲଙ୍କାର ଚାରିର୍ଥ ଆଶାଲାଙ୍କା ୧୦ତମ ସ୍ଥାନରେ ରହିଛନ୍ତି। ଶ୍ରେୟସ ଆୟର ୧୫ରୁ ୧୩ତମ ସ୍ଥାନ ଓ ଆଫ୍ଗାନିସ୍ତାନର ରହମତୁଲ୍ଲା ଗୁର୍ବାଜ ୧୪ଶ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଆଫ୍ଗାନିସ୍ତାନର ରସିଦ ଖାନ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ପାକିସ୍ତାନର ଅବ୍ରାର ଅହମ୍ମଦ ଦ୍ବିତୀୟ, ଇଂଲଣ୍ଡର ଜେଫ୍ରା ଆର୍ଚର ୩ୟ, ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଚତୁର୍ଥ, ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ପଞ୍ଚମ ସ୍ଥାନରେ ରହିଛନ୍ତି। ଶୀର୍ଷ ୧୦ ମଧ୍ୟରେ କୌଣସି ଭାରତୀୟ ନାହାନ୍ତି। ଭାରତୀୟ ସ୍ପିନର କୁଳଦୀପ ଯାଦବ ୧୧ଶ ସ୍ଥାନରେ ରହିଛନ୍ତି।

