Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ: ଫୁଲୁରି ତେଲ ଲାଗି ହେଲେ

ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ: ଫୁଲୁରି ତେଲ ଲାଗି ହେଲେ

ODIASpotNEWS 1 week ago

ପୁରୀ: ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ। ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କୁ ଭଲ କରିବା ପାଇଁ ଚାଲିଛି ଗୁପ୍ତ ନୀତି। ଜ୍ୱରରୁ ଉପଶମ ପାଇଁ ଶନିବାର ପଞ୍ଚମୀ ତିଥିରେ ମଣିମାଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ଜଡ଼ିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା।

ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ମହୌଷଧିଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରରେ ବିଜେ କରିଥିଲେ। ତିନୋଟି ମାଟି ଘଡ଼ିରେ ଫୁଲୁରି ତେଲ ଅଣାଯାଇଥିଲା। ପରେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା।

ଜ୍ୱର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଉପଶମ ପାଇଁ ତୈଳ ମର୍ଦ୍ଦନର ପରମ୍ପରା ରହିଆସିଛି। ଶ୍ରୀଜୀଉଙ୍କୁ ଲାଗି ହେଉଥିବା ଫୁଲୁରି ତେଲର ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ତିନି ଘଡ଼ିରେ ଘଣାପେଡ଼ା ରାଶି ତେଲ ସହ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ ଓ ଜାଇ ଆଦି ଫୁଲର ମିଶ୍ରଣ କରାଯାଇଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ସ୍ୱତନ୍ତ୍ର ପଦ୍ଧତି ଅନୁସରଣ କରିଥା'ନ୍ତି। ଯାହା ବର୍ତ୍ତମାନ ସୁଦ୍ଧା ଗୁପ୍ତ ରଖାଯାଇଛି। ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥାଏ। ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଇଥାଏ। ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧିକୁ ବାହାର କରାଯାଇଥାଏ। ପରେ କପଡ଼ାରେ ଛଣାଯାଇ ମାଟି ଘଡ଼ିରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ଗାରଦରେ ଦାଖଲ ପରେ ଦଇତାପତି, ପତି ମହାପାତ୍ର, ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହାପରେ ତିନିଠାକୁର ଧୀରେଧୀରେ ସୁସ୍ଥ ହେବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS