ଭୁବନେଶ୍ୱର,: ଲଘୁଚାପ ଆହୁରି ବଳୁଆ ହେବ । ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ । ଏହା ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ କନ୍ଧମାଳରେ ଭୀଷଣ ବର୍ଷା ଆଶଙ୍କା ଅଛି ।
ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।
ଶନିବାର ରାଜ୍ୟରେ ଭାରି ବର୍ଷା ଜାରି ରହିବ । ଭୀଷଣ ବର୍ଷା ଆଶଙ୍କାରେ ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଏହାର ନିକଟବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଶୁକ୍ରବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିଲା । ଆଗାମୀ ଦୁଇ ଦିନରେ ଏହା ଅଧିକ ଘନୀଭୂତ ହେବ । ସମ୍ଭବତଃ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୯ ତାରିଖ ଯାଏ ଓଡ଼ିଶାରେ ବର୍ଷା ହେବ । କିନ୍ତୁ ୮ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି ।

