Dailyhunt
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

ODIASpotNEWS 1 week ago

ପୁରୀ : ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ। ଏଥିପାଇଁ ଚୈତ୍ର ପୂର୍ଣ୍ଣିମା ଅବସରରେ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବାୟତମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢିଛନ୍ତି।

ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତରୀ ଡଙ୍ଗାକୁ ମିଶାଇ ପାଞ୍ଚୋଟି ଡଙ୍ଗା କଢାଯାଇଛି। ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ।
ସୂଚନା ଯୋଗ୍ୟ, "ଚନ୍ଦନଯାତ୍ରା" ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି । ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ।

ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ଏହି ଡଙ୍ଗା ଗୁଡିକ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ରଖାଯାଇଥିଲା। ଆଜି ସକାଳୁ ୩୦ ଜଣ ଭୋଇ ସେବାୟତ ଅକ୍ଳାନ୍ତ ପରିଶ୍ରମ କରି ଡଙ୍ଗାକୁ ପାଣି ଭିତରୁ କାଢିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS