Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ରାକେଶ ଓ ତାଙ୍କ ଦୁଇ ସାଥୀ; ସୁରକ୍ଷିତ ଅଛନ୍ତି ବାରିପଦାର କୁଲସୁମ ନିଗାର

ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ରାକେଶ ଓ ତାଙ୍କ ଦୁଇ ସାଥୀ; ସୁରକ୍ଷିତ ଅଛନ୍ତି ବାରିପଦାର କୁଲସୁମ ନିଗାର

ODIASpotNEWS 1 week ago

ପୁରୀ/ଭୁବନେଶ୍ୱର: "ମୋ ପୁଅକୁ ବଞ୍ଚାଇ ଦେଲେ ମା' ଖମ୍ବେଶ୍ୱରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ। ମୋ ପୁଅ ସହ ତା'ର ଦୁଇଜଣ ସାଙ୍ଗଙ୍କୁ ମଧ୍ୟ ମା' ଖମ୍ବେଶ୍ୱରୀ ବଞ୍ଚାଇ ଦେଇଛନ୍ତି।" ନେପାଳରେ ଭୟଙ୍କର ବନ୍ୟା ଓ ଫ୍ଲାସ୍ ଫ୍ଲଡ୍‌ରୁ ପୁଅ ଓ ତାଙ୍କ ଦୁଇ ବନ୍ଧୁ ସୁରକ୍ଷିତ ଫେରିଆସିବା ପରେ ଏଭଳି ଭାବବିହ୍ୱଳ ହୋଇ କହିଛନ୍ତି ପୁରୀ ଜମିଖୁଣ୍ଟିଆ ଅଞ୍ଚଳର ପ୍ରଭାତ ପଣ୍ଡା।

ଅନ୍ୟପକ୍ଷେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ବାସିନ୍ଦା କୁଲସୁମ ନିଗାର ମଧ୍ୟ ନେପାଳରେ ନିଖୋଜ ଥିଲେ । ଗତାକାଲିଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁ ନ ଥିବାବେଳେ ଆଜି ସେ ସୁରକ୍ଷିତ ଅବସ୍ଥାରେ ଥିବା ଖବର ଦେଇଛନ୍ତି । ଏହି ଖବର ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ନେଇ ଅନିଶ୍ଚିତତା ଓ ଚିନ୍ତା ବଢ଼ିଛି। ଇତି ମଧ୍ୟରେ 4 ଜଣ ସୁରକ୍ଷିତ ଥିବା ସୂଚନା ଆସିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ନିଖୋଜ ଦମ୍ପତିଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ।
ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ଅନେକ ଜୀବନ ହାନି ହୋଇଥିବାବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ଏପରି ଖବର ମଧ୍ୟରେ ପୁରୀର ୨୬ ବର୍ଷୀୟ ରାକେଶ ରଞ୍ଜନ ପଣ୍ଡା ଓ ତାଙ୍କ ଦୁଇ ସାଥୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଛନ୍ତି। ପାହାଡ଼ ଉପରେ ଥିବାବେଳେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା ଯେଉଁଥିପାଇଁ ସେମାନେ ବର୍ତ୍ତି ଯାଇଥିଲେ ।
ସୂଚନା ଅନୁସାରେ, ରାକେଶ ରଞ୍ଜନ ପଣ୍ଡା ଓ ତାଙ୍କ ଦୁଇ ବନ୍ଧୁ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ନେପାଳରେ ପହଞ୍ଚିବା ପରେ ସେମାନେ ପଶୁପତିନାଥ ମନ୍ଦିର ଦର୍ଶନ କରିଥିଲେ। ଦର୍ଶନ ପରେ ନିକଟସ୍ଥ ଏକ ପାହାଡ଼ ଉପରକୁ ଯାଇଥିବା ସମୟରେ ହଠାତ୍ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଚାହୁଁଚାହୁଁ ବନ୍ୟା ପାଣି ତଳିଆ ଅଞ୍ଚଳକୁ ମାଡ଼ି ଆସିଥିବାବେଳେ ରାକେଶ ଓ ତାଙ୍କ ସାଥୀମାନେ ପାହାଡ଼ ଉପରେ ରହିଯାଇଥିଲେ। ଫଳରେ ସେମାନେ ବନ୍ୟାର ପ୍ରତ୍ୟକ୍ଷ ପ୍ରଭାବରୁ ବର୍ତ୍ତି ଯାଇଥିଲେ। ପରିସ୍ଥିତି ଭୟଙ୍କର ହେବା ପରେ ସେମାନେ ନିଜ ଟୁର୍‌ ଅପରେଟରଙ୍କ ସହ ଯୋଗାଯୋଗ କରିଥିଲେ।ନେପାଳ ସରକାରଙ୍କ ସହଯୋଗରେ ହେଲିକପ୍ଟର ଯୋଗେ ରାକେଶ ଓ ତାଙ୍କ ଦୁଇ ସାଥୀଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ସହଯୋଗରେ ସେମାନେ ଭାରତ ଫେରିଥିବା ଜଣାପଡ଼ିଛି। ତିନିଜଣ ଯାକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପରିବାର ପକ୍ଷରୁ କୁହାଯାଇଛି। ରାକେଶଙ୍କ ବାପା ପ୍ରଭାତ ପଣ୍ଡା କହିଛନ୍ତି, "ନେପାଳରେ ହଠାତ୍ ବନ୍ୟା ଆସି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ମୁଁ ବହୁତ ବିଚଳିତ ହୋଇପଡ଼ିଥିଲି। ପୁଅକୁ ମେସେଜ୍ କରିବା ପରେ ସେ ଓ ତା'ର ଦୁଇ ବନ୍ଧୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାଇଥିଲେ। ମୋର ଗୋଟିଏ ପୁଅ। ତା'ର ଜୀବନ ରକ୍ଷା ହୋଇଯାଇଥିବାରୁ ମୁଁ ମା' ଖମ୍ବେଶ୍ୱରୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରୁଛି।"
ଖୋରଧା ଜିଲ୍ଲାର ବାସିନ୍ଦା ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ଗତ ଅଗଷ୍ଟ ୨୨ ତାରିଖରେ ନେପାଳରେ ପହଞ୍ଚିଥିଲେ। ଉଭୟେ ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଥିବା ଜଣାପଡ଼ିଛି। ତେବେ ନେପାଳ ଯିବା ପରଠାରୁ ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ଫଳରେ ପରିବାର ସଦସ୍ୟମାନେ ସେମାନଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି । ସେମାନଙ୍କ ନିଖୋଜ ନେଇ ପରିବାର ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ପରେ ଆବଶ୍ୟକୀୟ ସମସ୍ତ ତଥ୍ୟ ସେମାନଙ୍କ ଭଉଣୀଙ୍କଠାରୁ ସଂଗ୍ରହ କରାଯାଇଛି। ଏହି ସୂଚନା ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଉଭୟଙ୍କ ସନ୍ଧାନ ଏବଂ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ ।
ଅନ୍ୟ ପକ୍ଷେ ବାରିପଦାର କୁଲସୁମ ନିଖୋଜ ଥିବାବେଳେ ତାଙ୍କର ସନ୍ଧାନ ପାଇଁ ପ୍ରୟାସ କରିଥିଲା ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ଥିବା ରାଜ୍ୟ ସରକାରଙ୍କ ସହାୟତା ସଂସ୍ଥା 'ଓଡ଼ିଶା ପରିବାର' । ଏହାର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ପ୍ରୀତିଶ ପଣ୍ଡାଙ୍କ କହିବା ଅନୁଯାୟୀ , ଓଡ଼ିଶାରେ ଥିବା କୁଲସୁମଙ୍କ ପରିବାର ତାଙ୍କ ନିଖୋଜ ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତାଙ୍କୁ ଶୀଘ୍ର ଖୋଜିବା ପାଇଁ ଆବଶ୍ୟକ ସମସ୍ତ ତଥ୍ୟ ବିଦେଶ ମନ୍ତ୍ରଣାଳୟକୁ ପଠା ଯାଇଥିଲା । ତେବେ କୁଲସୁମ ଗୁରୁବାର ସନ୍ଧ୍ୟାରେ ଫୋନ କରି ସୁରକ୍ଷିତ ଥିବା ଜଣାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS