କୋରାପୁଟ: ନିର୍ବାଚନ ନେଇ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ କରିଛି ଆନ୍ଧ୍ର ପ୍ରଦେଶ । ଡିସେମ୍ବର ୨ ତାରିଖରେ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଶେଷ କରି ଗଞ୍ଜେଇପଦର ପଞ୍ଚାୟତକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପଞ୍ଚାୟତରୁ ଦୁଇ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।
ଧୁଳିପଦର ଗାଁ ସୋଡ଼ିପିଲି ବେର୍ଶୋ ଏବଂ ତଳ ଗଞ୍ଜେଇପଦର ଗାଁର କୋରା ସୁନ୍ଦରୀ ନାମାଙ୍କନ ଦାଖଲ କରିଛନ୍ତି ।
ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ଅନୁସାରେ ଏହି ନାମାଙ୍କନ ଦାଖଲ ହୋଇଥିବା କୁହାଯାଉଛି । ଏପଟେ କୋଟିଆରେ ଆନ୍ଧ୍ର ପକ୍ଷର ନିର୍ବାଚନୀ ଗତିବିଧି ଉପରେ ଓଡ଼ିଶା ପୁଲିସ ଓ ପ୍ରଶାସନର ନଜର ରହିଛି । ପୂର୍ବ ଥର ଭଳି ଏଥର ବି ଆନ୍ଧ୍ର ନିର୍ବାଚନକୁ ଫେଲ୍ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । କୋଟିଆ ପ୍ରତିଟି ଗାଁ ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ ନଜର ରଖିଛି । ପୁଲିସ ପ୍ରଶାସନ ପକ୍ଷରୁ ଚେକ୍ ପୋଷ୍ଟ ଗୁଡ଼ିକକୁ ନିରୀକ୍ଷଣ କରାଯାଉଛି ।
ସୂଚନାଥାଉକି, ଦୀର୍ଘବର୍ଷ ହେଲା କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ସୀମାରେ ଥିବା ୨୧ ଗାଁକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର । ଏହାକୁ ଦୃଢ଼ ବିରୋଧ କରୁଛନ୍ତି ଓଡ଼ିଶା ସରକାର ଓ ସମସ୍ତ ରାଜନୈତିକ ଦଳ । ଗତ ୫ ତାରିଖରେ ଏହାର ନମୁନା କୋଟିଆରେ ଦେଖିବାକୁ ମିଳିଥିଲା । ପୁଲିସ, ପ୍ରଶାସନ, ରାଜନେତା, ସ୍ଥାନୀୟ ଜନସାଧାରଣ କୋଟିଆରେ ଡେରା ପକାଇଥିଲେ । ସୀମା ଜଗିଥିଲେ । ଓଡ଼ିଶାର ପ୍ରବଳ ବିରୋଧ ପରେ କୋଟିଆର ନେରେଡ଼ିବାଲସା ବୁଥ୍ ହଟାଇବାକୁ ବାଧ୍ୟ ହୋଇଥିଲା ଆନ୍ଧ୍ର । ସୀମା ଆର ପଟ ସାରିକାରେ ବୁଥ୍ ଖୋଲିଥିଲା । କେତେକ ଭୋଟର ଲୁଚିଛପି ସୀମା ଆରପଟକୁ ଯାଇ ଭୋଟ ଦେଇଥିଲେ । ଜିଲ୍ଲା ପ୍ରଶାସନ ସଫେଇ ଦେଇଥିଲା ଯେ ମାତ୍ର ୧୦ ପ୍ରତିଶତ କୋଟିଆ ଭୋଟର ନିର୍ବାଚନରେ ଭୋଟ ଦେଇଥିଲେ ।

