Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌

ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌

ODIASpotNEWS 3 weeks ago

ଭୁବନେଶ୍ୱର: ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଶନିବାରଠାରୁ ଆରମ୍ଭ ହେବ। ଜୁନ ୨୮ ପର୍ଯ୍ୟନ୍ତ ବୁଥ୍‌ ସ୍ତରୀୟ ଅଧିକାରୀ(ବିଏଲ୍ଓ) ଭୋଟରଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ କରିବେ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଏନେଇ ସିଇଓ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି।
ଶୁକ୍ରବାର ସିଇଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଥିଲେ; ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ସମୟସୂଚୀ ଘୋଷଣା ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ; ଜୁଲାଇ ୧କୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ମେ' ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ବିଏଲ୍ଓ ପ୍ରତି ଘରକୁ ଯାଇ ପ୍ରତ୍ୟେକ ଭୋଟର ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ ନ ପଡ଼ନ୍ତି ଓ ଅଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି, ସେଥିପ୍ରତି ବିଏଲଓଙ୍କୁ ସଜାଗ ରହିବାକୁ ସିିଇଓ ଶ୍ରୀ ଗୋପାଳନ ନିର୍ଦେଶ ଦେଇଛନ୍ତି।
ଜୁନ ୨୮ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ଏବଂ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଛି। ଜୁଲାଇ ୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ/ଦାବି ଓ ଆପତ୍ତିର ସମାଧାନ କରାଯିବ। ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ ଭୋଟରଙ୍କ ମଧ୍ୟରୁ ୩,୧୬,୦୩,୩୨୩ ଅର୍ଥାତ ୯୪.୬୧% ଭୋଟରଙ୍କୁ ୨୦୦୨ରେ ପ୍ରକାଶିତ ଶେଷ ଏସ୍ଆଇଆର ସମୟର ଭୋଟର ତାଲିକା ସହିତ ମ୍ୟାପିଂ କରାଯାଇଛି। ପ୍ରାକ୍-ଏସ୍ଆଇଆର ପର୍ଯ୍ୟାୟରେ ଯେଉଁ ନିର୍ବାଚକଙ୍କୁ ମ୍ୟାପିଂ କରାଯାଇ ପାରି ନ ଥିଲା, ସେମାନେ ମଧ୍ୟ ଏସ୍ଆଇଆର ସମୟରେ ଯଥୋଚିତ ସୂଚନା ଦାଖଲ କଲେ ମ୍ୟାପିଂ ହୋଇପାରିବ। ଏସ୍ଆଇଆର ସମୟରେ ୪୫ ହଜାର ୨୫୫ଜଣ ବିଏଲ୍ଓ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ଫର୍ମ ଯୋଗାଇ ଦିଆଯିବ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ବିଏଲ୍ଓ ପରିଦର୍ଶନ ସମୟରେ ସେମାନଙ୍କ ତଥ୍ୟ ଯାଞ୍ଚ କରିବା ସହ ତ୍ରୁଟି ସଂଶୋଧନ କରିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ। ଭୋଟର ଚାହିଁଲେ ନିର୍ବାଚନ ଆୟୋଗଙ୍କ ସରକାରୀ ୱେବ୍‌ସାଇଟ (voters.eci.gov.in)ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅପଲୋଡ୍ କରିପାରିବେ।

ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରଙ୍କୁ ସହାୟତା କରିବେ। ଏଥିସହ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲ୍ଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ। ଭୋଟରଙ୍କଠାରୁ ପରିଗଣନା ଫର୍ମ ଗ୍ରହଣ କରିବା ପାଇଁ ପ୍ର‌େ‌ତ୍ୟକ ବିଏଲ୍ଓ ତାଙ୍କ ବୁଥ୍‌ରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ସିଇଓ ସୁଶାନ୍ତ ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS